‌‘ମୋ ସରକାର’ : ପୁଲିସ ପରେ ଡାକ୍ତର; ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଫୋନ୍ କରିବେ ଏବଂ ସେମାନେ କିପରି ସେବା ପାଉଛନ୍ତି ପଚାରି ବୁଝିବେ

ଭିଡିଓ କନ୍‌ଫରେନ୍ସିଂରେ ଡାକ୍ତରଙ୍କ ସହ ଆଲୋଚନା, ୧୮ବର୍ଷ ତଳର କାଶୀପୁର ଘଟଣା ମନେ ପକାଇଲେ, ଡାକ୍ତରଖାନାରୁ ଦଲାଲରାଜ୍ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରର ସମ୍ପୂର୍ଣ୍ଣ ଭିତ୍ତିଭୂମି, ବଜେଟ୍‌, ମେଡିକାଲ କଲେଜ ଓ ଡାକ୍ତରଖାନା ଲୋକଙ୍କ ଟଙ୍କାରେ ଚାଲୁଛି। ଲୋକମାନେ ହେଉଛନ୍ତି ଡାକ୍ତରଖାନା‌ର ପ୍ରକୃତ ମାଲିକ। ସେମାନଙ୍କୁ ସମ୍ମାନର ସହ ଚିକିତ୍ସା, ଔଷଧ ପ୍ରଦାନ, ରୋଗ ପରୀକ୍ଷା ଆଦି ସବୁ ସେବା ମାଗଣାରେ ଯୋଗାଇଦେବା ହେଉଛି ଆମର କର୍ତ୍ତବ୍ୟ। ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ବ। ରାଜ୍ୟର ଡାକ୍ତରମାନଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମୋ ସରକାର’। ପୁଲିସ୍‌ ଥାନା ଓ ଡାକ୍ତରଖାନାରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ଥାନାକୁ ଆସୁଥିବା ଅଭିଯୋଗକାରୀ ଓ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଫୋନ୍ କରିବେ ଏବଂ ସେମାନେ କିପରି ସେବା ପାଉଛନ୍ତି ପଚାରି ବୁଝିବେ। ସାରା ଦେଶରେ ଏପରି ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ।

ଆଜି ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ସିଡିଏମ୍‌ଓ ଓ ଅନ୍ୟ ଡାକ୍ତରମାନଙ୍କ ସହ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଯେଉଁ ଡାକ୍ତର ଭଲ କାମ କରିବେ, ସ୍ବୀକୃତି ସ୍ବରୂପ ସେମାନଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ‌େଚତାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ବାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ୨୦୦୦ ମସିହାରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟ୍‌ ୫୧୪ କୋଟି ଟଙ୍କା ଥିଲା ବେଳେ ଏବେ ଏହା ୭୦୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ତିନିଟି ସରକାରୀ ମେଡିକାଲ୍‌ କଲେଜରୁ ଏବେ ୭ଟି ମେଡିକାଲ୍‌ କଲେଜ ହେଲାଣି ଓ ଖୁବ୍ ଶୀଘ୍ର ୧୨ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। କିଛି ଜାଗାରେ ବିଶେଷ କରି ବ୍ଲଡ୍ ବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାଏଲିସିସ୍ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ରୋଗୀଙ୍କୁ ଏହି ସୁବିଧା ଉପଲବ୍ଧ କରିବା ଦିଗରେ ବାଧା ସୃଷ୍ଟି କରୁଥିବା ଦଲାଲମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ଏସ୍‌ପିମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ୨୦୦୧ ମସିହାରେ କାଶୀପୁରରେ ଆମ୍ବ ଟାକୁଆ ଖାଇ କିଛି ଲୋକ ଅସୁସ୍ଥ ହୋଇଥିବା ଘଟଣା ସମ୍ପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେହି ସମୟରେ ସେଠାକୁ ତାଙ୍କ ଗସ୍ତ ଅବସରରେ ସେଠାକାର ସ୍ଥାନୀୟ ଡାକ୍ତରଙ୍କ ସେବା ମନୋଭାବ ତାଙ୍କୁ ବି‌େଶଷ ଭାବେ ପ୍ରଭାବିତ କରିଥିଲା। ସଂପୃକ୍ତ ଡାକ୍ତରଙ୍କ ଉପରେ ଜନସାଧାରଣଙ୍କର ପ୍ରଚଣ୍ଡ ଭରସା ଥିଲା। କାଶୀପୁର ଘଟଣା ପରେ ସେଠାକୁ ପଠାଯାଇଥିବା ୪ ଜଣ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର୍‌ଙ୍କୁ ମଧ୍ୟ ସେହି ଡାକ୍ତର ବହୁତ ସାହାଯ୍ୟ କରିଥିଲେ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ଭଲ ଡାକ୍ତର ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ରାଜ୍ୟବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କର ମହତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ। ଡାକ୍ତରମାନଙ୍କ ପଦୋନ୍ନତି କ୍ଷେତ୍ରରେ ମୋ ସରକାରର ସଫଳତା ଦିଗ‌ରେ ତାଙ୍କ ଅବଦାନକୁ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ।

ମୋ ସରକାର କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ‘୫ ଟି’ ସଚିବ ଭି କେ ପାଣ୍ଡିଆନ୍ କହିଲେ, ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଭିଜନ୍‌କୁ ପୂରଣ କରିବା ପାଇଁ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ। ଡାକ୍ତରଖାନାଗୁଡ଼ିକୁ ବିଶେଷ କରି ବ୍ଲଡ୍‌ ବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାଏଲିସିସ୍‌ ଆଦି ‌େକ୍ଷତ୍ରଗୁଡ଼ିକୁ ୧୫ ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ‌େସ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍, ପୁଲିସ୍‌ ମହାନିର୍ଦ୍ଦେଶକ, ଉନ୍ନୟନ କମିସନର୍‌ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର