ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ : ଦେଶରେ ପ୍ରଥମ, ଥାନା ଓ ହସ୍‌ପିଟାଲରୁ ଆରମ୍ଭ ହେବ, ଭଲ କାମ କଲେ ପଦୋନ୍ନତି ମିଳିବ, ନହେଲେ ଦଣ୍ଡ

ଭିଡିଓ କନ୍‌‌ଫରେନ୍ସିଂରେ ୬୩୫ ଥାନା ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର। ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି ଓ ପୁଲିସ ଥାନା ବି ଚାଲୁଛି। ତେଣୁ ଥାନାରେ କୌଣସି ସେବା ପାଇଁ ନାଗରିକ ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ। ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇଦେବେ। ରାଜ୍ୟର ଥାନା ଅଧିକାରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଏପରି ବାର୍ତ୍ତା ଦେଇଛନ୍ତି।

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମ। ସେହିଦିନଠାରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରତି ଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ୍ କରିବେ। ସେମାନେ ଥାନାରେ କିପରି ବ୍ୟବହାର ଓ ସେବା ପାଇଲେ, ସେ ବିଷୟରେ ପଚାରି ବୁଝିବେ। ସାରା ଦେଶରେ ଏପରି ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ।

ଆଜି ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୬୩୫ ଥାନା ଅଧିକାରୀଙ୍କ ସହ ଏହି କାର୍ଯ୍ୟକ୍ରମର ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ।

ପୁଣି ଠିକ୍ କାମ ନ କଲେ ପରିଣତି କ’ଣ ହେବ ତାହାକୁ ବି ପରୋକ୍ଷରେ ଜଣାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଅଭିଯୋଗକାରୀଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ବ। ଯେତେ‌େବଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛି, ସେତେବେଳେ ସେମାନଙ୍କୁ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଜରୁରୀ। ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି। ପୂର୍ବରୁ ରାଜ୍ୟ ପୁଲିସ ବାମପନ୍ଥୀ ଉଗ୍ରବାଦକୁ ଦମନ, ହକି ବିଶ୍ବ କପ୍ ପରିଚାଳନା ଓ ରଥଯାତ୍ରା ପରିଚାଳନା ଆଦିରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ତେଣୁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ପୁଲିସ ସଫଳତାର ସହ କାର୍ଯ୍ୟକାରୀ କରିପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ ରୋକ୍‌ଠୋକ୍ ଜଣାଇ ଦେଇଥିଲେ, ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ। ଏଥି ପାଇଁ ସେ ନିଜେ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ। କାମ ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭି‌େଯାଗକାରୀଙ୍କ ଫୋନ୍ ନମ୍ବର ପଞ୍ଜୀକରଣ କରାଯିବ ଏବଂ ଏହା ଏସ୍‌ପିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ପୁଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ଉଚିତ। ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ। ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚାଲିଥିବା ବ୍ୟାପକ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସୂଚନା ଦେଇଥିଲେ। ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଓ ତା’ର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀଙ୍କୁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ।

ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ‘୫ଟି’ ସଚିବ ଭି କେ ପାଣ୍ଡିଆନ୍। ସେ କହିଥି‌େଲ, ‘ମୋ ସରକାର’ ‘୫ଟି’ କାର୍ଯ୍ୟକ୍ରମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏଥିରେ ଅଭିଯୋଗକାରୀକୁ ଆଉ କୁଆଡ଼େ ଯିବାକୁ ଦରକାର ପଡ଼ିବ ନାହିଁ। ଥାନାରେ ପୁଲିସ ତା’ର ଅଭିଯୋଗକୁ ଗୁରୁତ୍ବ ଦେଇ ତୁରନ୍ତ ପଦକ୍ଷେପ ନେବ। ଏହା ହିଁ ପରିବର୍ତ୍ତନ। ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସିଥା’ନ୍ତି। ତେଣୁ ‘ମୋ ସରକାର’ କାର୍ଯ୍ୟକ୍ରମ ଏହି ଦୁଇ ବିଭାଗରୁ ହିଁ ପ୍ରଥମେ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ଜିଲ୍ଲାର ଆଇଆଇସିମାନଙ୍କ ସହ ମୋ ସରକାର କାର୍ଯ୍ୟକ୍ରମର ସଫଳ ପ୍ରୟୋଗ ସମ୍ପର୍କରେ ସିଧାସଳଖ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର୍‌, ଗୃହ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମ‌ାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର