‘ମୋ ସରକାର’ ପ୍ରସଙ୍ଗରେ ଅରୁଣ ଦେଙ୍କ ସାମ୍ବାଦିକ ସମ୍ମିଳନୀ : ନେତାଙ୍କୁ ନିନ୍ଦା, ୫-ଟି ସଚିବଙ୍କୁ ପ୍ରଶଂସା

ବାଲେଶ୍ବର : ‘ମୋ ସରକାର’ ଓ ତାର ତଦାରଖ ପାଇଁ ଚାଲିଥିବା ୫ଟି’ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କର ଏକ ବୈପ୍ଳବିକ ପଦକ୍ଷେପ। ସରକାରୀ ଯୋଜନାଗୁଡ଼ିକୁ ତ୍ବରାନ୍ବିତ କରିବାରେ ସଚିବ ତଥା ଅଧିକାରୀମାନଙ୍କ ଏପରି ତତ୍ପରତା ବୋଧହୁଏ ଓଡ଼ିଶାର ରାଜନୈତିକ ଓ ପ୍ର‌ାଶାସନିକ ଇତିହାସରେ ପ୍ରଥମ। ତେବେ ଏହା ସବୁଦିନ ଜାରି ରହିଲେ ସାଧାରଣ ଜନତା ସରକାରୀ ଯୋଜନାର ସୁଫଳ ସାଉଣ୍ଟିବେ ବୋଲି କହିଛନ୍ତି ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଅରୁଣ ଦେ। ଆଜି ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ଦେ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫ଟି’ ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ପ୍ରଶଂସା କରିଛନ୍ତି।

ଶ୍ରୀ ଦେ କହିଥିଲେ, ସ୍ବାସ୍ଥ୍ୟ ସେବା ପାଇଁ ଓଡ଼ିଶା ସରକାର ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ଯେଉଁଥିରେ ସାଧାରଣ ଲୋକଟିଏ ବହୁମାତ୍ରାରେ ଉପକୃତ ହେବା କଥା। କିନ୍ତୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ଅସହଯୋଗ ଏବଂ ବିଭାଗୀୟ ଅଧିକାରୀଙ୍କ ହାମବଡ଼ା ନୀତି ଯୋଗୁଁ ଲୋକମାନେ ସେହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟସେବା କିପରି ଚାଲିଛି ସେ ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ସଚିବ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ କେବେ ବି କ୍ଷେତ୍ରସ୍ତରୀୟ ଯାଞ୍ଚ୍‌ କରନ୍ତିନି। ଏ କ୍ଷେତ୍ରରେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ ଡାକ୍ତରଖାନାରେ ସେମାନଙ୍କର କେବେ ପାଦ ପଡ଼ୁନି। ଅନ୍ୟପକ୍ଷରେ ଏବେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ସହ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଆଖିଦୃଶିଆ ଉନ୍ନତି ହୋଇଛି। ତା ସତ୍ତ୍ବେ ଲୋକେ ସ୍ବାସ୍ଥ୍ୟ ସେବା ନ ପାଇବା ପରିତାପର ବିଷୟ। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏବେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରି ଅଚାନକ କ୍ଷେତ୍ରସ୍ତରୀୟ ଯାଞ୍ଚ୍‌ କରୁଛନ୍ତି। ଯାହାର ଗୋଟିଏ ବଡ଼ ପ୍ରଭାବ ଦେଖିବାକୁ ମିଳୁଛି। ଏହାକୁ ଆହୁରି ବ୍ୟାପକ ଓ ସୁଦୂରପ୍ରସାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବା ଦରକାର ବୋଲି ଶ୍ରୀ ଦେ କହିଥିଲେ।

ସମ୍ବନ୍ଧିତ ଖବର