ଭୁବନେଶ୍ୱର : ସାଧାରଣ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ଉଦ୍ଦେଶ୍ୟରେ ଅକ୍ଟୋବର ମାସରୁ ଆରମ୍ଭ ହୋଇଛି ‘ମୋ ସରକାର’ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅଧୀନରେ ଆଜି ପୁଲିସ ଡିଜି (ଭାରପ୍ରାପ୍ତ) ଡ. ସତ୍ୟଜିତ ମହାନ୍ତି ନିଜ ମୋବାଇଲ୍‌ ଫୋନ୍‌ରୁ ଅଭିଯୋଗକାରୀଙ୍କ ସହ କଥା ହୋଇଛନ୍ତି। ଥାନାରେ ଅଭିଯୋଗ କଲାବେଳେ ଅଧିକାରୀ ଉତ୍ତମ ଆଚରଣ ପ୍ରଦର୍ଶନ କଲେ କି ନାହିଁ? ତଦନ୍ତରେ ବିଳମ୍ବ ହୋଇଛି ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି? ପୁଲିସ ପକ୍ଷପାତିତା କରିଛି କି? ଅଭିଯୋଗକାରୀଙ୍କଠାରୁ ଡିଜି ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଥିଲେ। ଅଧିକାଂଶ କ୍ଷେତ୍ରରେ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। କେତେକ କ୍ଷେତ୍ର‌ରେ ଆଉଥରେ ପ୍ରତିକ୍ରିୟା ଗ୍ରହଣ କରିବା ଆବଶ୍ୟକତା ରହିଥିବା ସେ ସୂଚନା ଦେଇଛନ୍ତି।

Advertisment

ପ୍ରଥମେ ସେ ଜଗତପୁରର ଜଣେ ଏତଲାକାରୀଙ୍କ ସହ କଥା ହୋଇଥିଲେ। ଏହା ପରେ ଟିଟିଲାଗଡ଼, ପୁରୀ କୁମ୍ଭାରପଡ଼ା, କନ୍ଧମାଳ, ଭଦ୍ରକ, ଜଗତପୁରର ଜଣେ ଜଣେ ଏତଲାକାରୀଙ୍କ ସହ କଥା ହୋଇଥିଲେ। ଏକ ଜମିବାଡ଼ି ମାମଲାକୁ ନେଇ ପ୍ରସନ୍ନ ସ୍ବାଇଁ କନ୍ଧମାଳ ଥାନା ଯାଇଥିଲେ। ଜମିବାଡ଼ି ମାମଲା ହୋଇଥିବାରୁ ରାଜସ୍ବ ବିଭାଗର ଅଧିକାରୀମାନେ ଏହାର ସମାଧାନ କରିବେ ବୋଲି ଥାନା ଫେରାଇ ଦେଇଥିଲା। ତେବେ ଥାନା ଅଧିକାରୀ ଉତ୍ତମ ଆଚରଣ କରିଥିବା ଡିଜିଙ୍କ ସହ କଥା ହେବା ବେଳେ ଅଭିଯୋଗକାରୀ କହିଥିଲେ। ଏଭଳି ଡିଜି ୧୦ ଜଣଙ୍କ ସହ କଥା ହୋଇଥିଲେ। ସମସ୍ତେ ପୁଲିସର ଆଚରଣ ଉତ୍ତମ ଥିବା କହିଥିଲେ।

ଏହି ଯୋଜନା ଅଧୀନରେ ୧୪୫୪୫ ନମ୍ବରରେ ଅଭିଯୋଗକାରୀ ମିସ୍‌ କଲ ଦେବା ପରେ ତାକୁ କଲ୍‌ବ୍ୟାକ୍‌ କରାଯାଉଛି। କେତେକଙ୍କୁ ସିଧା ସଳଖ କଣ୍ଟ୍ରୋଲ ରୁମ୍‌ରୁ ମଧ୍ୟ ଯୋଗାଯୋଗ କରାଯାଉଛି। ସେମାନଙ୍କର ପ୍ରତିକ୍ରିୟା ରେକର୍ଡ ହେଉଛି। ଡିଜି ଚାହିଲେ ଯେ କୌଣସି ଅଭିଯୋଗକାରୀ ସହ କଥା ହେଉଛନ୍ତି। ମୋ ସରକାର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଅର୍ଥାତ୍‌ ଅକ୍ଟୋବର ମାସରୁ ଅଦ୍ୟାବଧି ୫୯ ହଜାର ୭୫୬ ଅଭିଯୋଗ ଆସିଛି। ସେଥିମଧ୍ୟରୁ ୨୪ହଜାର ୩୦୦ ଜଣଙ୍କଠାରୁ ପ୍ରତିକ୍ରିୟା ନିଆଯାଇଛି। ପ୍ରତିକ୍ରିୟାରେ ଅଭିଯୋଗକାରୀ କେମିତି ତଦନ୍ତ ହେବ ବୋଲି ପରାମର୍ଶ ଦେଉଛନ୍ତି। କିନ୍ତୁ ଅଭିଯୋଗକାରୀ ଅନୁସାରେ ତଦନ୍ତ ହେବ ନାହିଁ ବରଂ ତଦନ୍ତ ବାଟରେ ତଦନ୍ତ ହେବ। ମୋ ସରକାର ବ୍ୟବସ୍ଥାରେ ପୁଲିସର ଆଚରଣ ବାବଦରେ ତଥ୍ୟ ସଂଗ୍ରହ କରାଯିବ ବୋଲି ଡିଜି ସ୍ପଷ୍ଟ କରିଛନ୍ତି।