ଅକ୍ଟୋବର ୨ରୁ ‘ମୋ ସରକାର’ : ଫୋନ୍‌ରେ ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକଙ୍କ ସେବା ହିଁ ସରକାର। ଗଣତନ୍ତ୍ରରେ ଜନତା ହିଁ ଶ୍ରେଷ୍ଠ। ତେଣୁ ଲୋକଙ୍କ ସେବା ପାଇଁ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ୫-ଟିକୁ ଭିତ୍ତି କରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୭୩ତମ ସ୍ବାଧୀନତା ଦିବସ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେବାକୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଥାନା ଓ ଜିଲ୍ଲା ହେଡ୍‌କ୍ବାର୍ଟର ହସ୍ପିଟାଲ୍‌ରେ ଲାଗୁ କରାଯିବ। ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନିଜେ ଫୋନ୍‌ରେ ଯୋଗାଯୋଗ କରିବେ ମୁଖ୍ୟମନ୍ତ୍ରୀ। ସେମାନେ ସବୁଠି ଠିକ୍‌‌ ସେବା ପାଉଛନ୍ତି କି ନାହିଁ ତାହା ନିଜେ ବୁଝିବେ। ଥାନା ଓ ହସ୍ପିଟାଲ୍‌ରେ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ କିଭଳି ସେବା ଯୋଗାଉଛନ୍ତି, ଥାନାରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି ନା ନାହିଁ, ହସ୍ପିଟାଲ୍‌ରେ ଉପଯୁକ୍ତ ସେବା ଯୋଗାଯାଉଛି ନା ନାହିଁ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଲୋକମାନେ କ’ଣ ଅନୁଭବ କରୁଛନ୍ତି, ଏସବୁ ବିଷୟରେ ‌ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଗାଯୋଗ କରି ନିଜେ ବୁଝିବେ ବୋଲି କହିଛନ୍ତି। ସମସ୍ତ ମନ୍ତ୍ରୀ, ରାଜ୍ୟ ଓ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଲୋକଙ୍କୁ ଫୋନ୍‌ କରି ସେମାନଙ୍କ ସମସ୍ୟା ବିଷୟରେ ବୁଝିବେ। ସରକାରୀ ଅଫିସ୍‌ରେ ସେମାନଙ୍କ ଅନୁଭବ ବିଷୟରେ ପଚାରି ବୁଝିବେ। ତେବ‌େ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ସମସ୍ତ ଗାଁକୁ ବିଜୁଳି ପହଞ୍ଚିଛି। ଯଦି କୌଣସି ବ୍ୟକ୍ତି ଏଥିରୁ ବଞ୍ଚିତ ଅଛି ତେବେ ସେମାନେ ପଞ୍ଚାୟତ ଅଫିସରେ ଦରଖାସ୍ତ ଦିଅନ୍ତୁ। ୪୮ ଘଣ୍ଟା ମଧ୍ୟରେ ବିଜୁ‌ଳି ସଂଯୋଗ ଦିଆଯିବ। ଏହି ସବୁ କାର୍ଯ୍ୟକ୍ରମ ସରକାର ଓ ଲୋକଙ୍କ ସଂପର୍କକୁ ମଜଭୁତ କରିବ। ସାଧାରଣ ଲୋକଙ୍କ ଜୀବନରେ ବହୁ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରପୁତ୍ର ଓ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହାପରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ଏବଂ ଓଡ଼ିଶାର ଭୂମିକା ମନେ ପକାଇବା ଲାଗି ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ତେବେ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି, ତାଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ, ଖାଦ୍ୟବସ୍ତ୍ର ପ୍ରଣାଳୀ ଏବଂ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ପ୍ରଦର୍ଶନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅସିତ ତ୍ରିପାଠୀ, ପୁଲିସ ଡିଜି ବିଜୟ କୁମାର ଶର୍ମା, ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି, ଡିସିପି ଅନୁପ ସାହୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ବିଭାଗୀୟ ନର୍ଦେଶକ ବିଜୟ ନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗ କମିସନର ସଂଜୟ ସିଂ, ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର