ମୋ ସରକାର ପ୍ରଭାବ: ୫୦ ଅଫିସରଙ୍କ ବଦଳି, ୨୦ ନିଲମ୍ବିତ, ୧୫ ପୁରସ୍କୃତ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ମୋ ସରକାରର ପ୍ରଭାବ ପଡିଛି। ରାଜ୍ୟ କଲ ସେଣ୍ଟରରୁ ବିଭିନ୍ନ ଅଭିଯୋଗକାରୀଙ୍କୁ ପାଖକୁ ଯାଇଥିବା ଫୋନ୍ କଲର ଉତ୍ତରକୁ ଆଧାର କରି କାର୍ଯାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା ପୁଲିସ। ୭୦ ଜଣ ଅଫିସରଙ୍କ ବିରୋଧରେ ନକରାତ୍ମକ ମନ୍ତ୍ୟବ ପ୍ରଦାନ କରିଥିଲେ ଅଭିଯୋଗକାରୀ, ଆଉ ୧୫ ଜଣ ଅଫିସରଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଅର୍ଥାତ ସେମାନଙ୍କ ସମ୍ପର୍କରେ ଉତ୍ତର ଥିଲା ଅତ୍ୟନ୍ତ ସନ୍ତୋଷଜନକ। ଯେଉଁ ପୁଲିସ ଅଫିସରଙ୍କ ବିରୋଧରେ ନକରାତ୍ମକ ମନ୍ତବ୍ୟ ମିଳିଛି ସେମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ଥିବାବେଳେ ସନ୍ତୋଷ ଜନକ ଉତ୍ତର ମିଳିଥିବା ୧୫ ଅଫିସରଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି। ଏହି ୧୫ ଜଣ ଅଫିସରଙ୍କ ଏଭଳି କାର୍ଯ୍ୟଜାରୀ ରହିଲେ ସେମାନଙ୍କୁ ଖୁବ ଶୀଘ୍ର ପଦୋନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ମାସକ ମଧ୍ୟରେ ରାଜ୍ୟ କଲ ସେଣ୍ଟରରୁ ପାଖାପାଖି ୨୬ ହଜାର ୫ଶହ ଫୋନ୍ କଲ ଯାଇଛି ବିଭିନ୍ନ ଅଭିଯୋଗକାରୀଙ୍କ ନିକଟକୁ। ସେମାନଙ୍କୁ ଥାନା, ସେମାନେ ଥାନାରେ ଦେଇଥିବା ଅଭିଯୋଗ, ତାର ତଦନ୍ତ, ଥାନା କର୍ମଚାରୀଙ୍କ ବ୍ୟବହାର, ତଦନ୍ତକାରୀ ଅଫିସରଙ୍କ ନମ୍ବର ପାଇଛି କିମ୍ବା ନାହିଁ ? ଥାନାରେ କେହି ଟଙ୍କା ମାଗିଥିଲେ କି? ଆଦି ୮ଟି ପ୍ରଶ୍ନ ପଚରା ଯାଇଥିଲା। ଅଭିଯୋଗକାରୀଙ୍କ ଉତ୍ତରକୁ ଆଧାର କରି ଥାନା, ଥାନା ଇନ୍ସପେକ୍ଟର ଓ ତଦନ୍ତକାରୀ ଅଫିସରଙ୍କୁ ୧ରୁ ୫ ମାର୍କ ଦିଆଯାଇଥିଲା। ଯେଉଁମା‌ନେ ୧ରୁ ୨ନମ୍ବର ପାଇଁଛନ୍ତି ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଯେଉଁମାନେ ୨ରୁ ୩.୫ ନମ୍ବର ପାଇଛନ୍ତି ସେମାନଙ୍କୁ କାର୍ଯ୍ୟସ୍ଥଳୀରୁ ଅନ୍ୟତ୍ର ବଦଳି କରାଯାଇଛି। ଯେଉଁମାନେ ୪ରୁ ୫ ମାର୍କ ରଖିଛନ୍ତି, ସେମାନଙ୍କୁ ପୁରସ୍କୃତ କରାଯାଇଛି। ଅଭିଯୋଗକାରୀମାନେ ଦେଇଥିବା ଉତ୍ତର ଆଧାରରେ ୫୦ ଜଣ ପୁଲିସ ଅଫିସରଙ୍କୁ ବଦଳି କରାଯାଇଥିବାବେଳେ ୨୦ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ୧୫ ଜଣଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି। ନିଲମ୍ବିତ ହୋଇଥିବା ପୁଲିସ ଅଫିସରମାନଙ୍କ ମଧ୍ୟରେ ଅଧିକାଂଶ ଏଏସଆଇ, ବଦଳି ହୋଇଥିବା ଅଫିସରମାନଙ୍କ ମଧ୍ୟରେ ଏସଆଇ ଓ ଇନ୍ସପେକ୍ଟରମାନେ ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ଆଇଜି ରାଜେଶ କୁମାର କହିଛନ୍ତି, ସିସିଟିଏନଏସ ମାଧ୍ୟମରେ

ଅଭିଯୋଗକାରୀମାନଙ୍କ ନମ୍ବର ସଂଗ୍ରହ କରାଯାଇ ରାଜ୍ୟ କଲ ସେଣ୍ଟରରୁ ବିଭିନ୍ନ ଅଭିଯୋଗକାରୀମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେମାନଙ୍କଠାରୁ ମିଳିଥିବା ଫିଡ ବ୍ୟାକକୁ ରେଞ୍ଜ ଆଇଜି, ଡିଆଇଜି ଓ ଏସପିମାନଙ୍କୁ ପଠାଇ ଦିଆଯାଉଛି। ଯେଉଁ ପୁଲିସ ଅଫିସରଙ୍କ ବିରୋଧରେ ନକରାତ୍ମକ ଉତ୍ତର ମିଳୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦେଶ ହୋଇଛି। ଏହା ପରେ ବରିଷ୍ଠ ପୁଲିସ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବା ପରେ ସଂପୃକ୍ତ ପୁଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ଫାଇଭ ଟି ଲାଗୁ ହେବା ପରେ ଓଡ଼ିଶା ପୁଲିସର ଆଚାର ବ୍ୟବହାରରେ ଅନେକ ପରିବର୍ତନ ଆସିଛି ବୋଲି ଆଇଜି ରାଜେଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର