ମନ୍ତ୍ରୀଙ୍କ ଜିଲ୍ଲାରେ ‘ମୋ ସରକାର’ ଫେଲ୍

ମମିତା, ମାହାଙ୍ଗା, ପରୀ ମାମଲାରେ କାମ କଲାନି, ବୈଧାନିକ କ୍ଷମତା ନାହିଁ ବୋଲି ମାନୁନାହାନ୍ତି?

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଳାହାଣ୍ଡି ଜିଲ୍ଲାର କେ ଗାଁ ପୁଲିସ ଏତଲା ରଖିଲାନି। ବଲାଙ୍ଗୀରର ସିନ୍ଧେକେଲା ପୁଲିସ ମମିତାଙ୍କ ପରିବାରକୁ ଦିନେ କି ଦୁଇଦିନ ନୁହେଁ, ତିନିଦିନ ଦୌଡ଼ାଇବା ପରେ ମାମଲା ରୁଜୁ କଲା। କେବଳ ଏଇ ଗୋଟିଏ ଘଟଣା ନୁହେଁ, ବହୁ ଚର୍ଚ୍ଚିତ ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନୟାଗଡ ପୁଲିସ ଏବଂ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କଟକର ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ପୁଲିସ ନିଜକୁ ନିର୍ବିବାଦୀୟ କରିପାରିନାହାନ୍ତି। ଏହି ତିନିଟି ଘଟଣା ସଙ୍କେତ ଦେଇଛି, ମନ୍ତ୍ରୀମାନଙ୍କ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ର ଡଙ୍କ ମୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ‘୫ଟି’କୁ ପୁଲିସ ବଳି ଚଢାଇ ଦେଇଛି।

ଗତ କିଛି ଦିନର ବହୁଚର୍ଚ୍ଚିତ ଘଟଣାକୁ ଅନୁଶୀଳନ କରି ରାଜନୈତିକ ମହଲ ଏଭଳି ମତ ରଖୁଛନ୍ତି। ଏମାନଙ୍କ ମତରେ ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମକୁ ତାଙ୍କର ମନ୍ତ୍ରୀ ଓ ଅମଲା ମୋଡ଼ିମକଚି ଦେଉଥିବା ଅଭିଯୋଗ କ୍ରମଶଃ ବଢିବାରେ ଲାଗିଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ପ୍ରଭାବଶାଳୀ ଏବଂ ଲୋକପ୍ରିୟ ‘ମୋ ସରକାର’ କାର୍ଯ୍ୟକ୍ରମର ଆନ୍ତରିକତା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।

Update Odisha

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫ଟି’ ରୂପାୟନ ବେଳେ ଫେଲ୍। ଯେମିତି ପ୍ରଚାର କରାଗଲା, ସେମିତି କିଛି ବି ଘଟିଲାନି। ନିକଟରେ ଘଟିଥିବା ମମିତା ମାମଲା ମେହେର ମାମଲା ଏହାର ବଡ ଉଦାହରଣ। ପୁଲିସ ଅଭିଯୋଗ ରଖିଲାନି। ଦ୍ବିତୀୟରେ ପୁଲିସ ଏତଲା ଲେଖିଦେଲା ଓ ଅଭିଯୋଗକାରୀ ସେଥିରେ କେବଳ ଦସ୍ତଖତ କରି ଫେରିଲେ। ଏଥିରେ କାହାକୁ କିଭଳି ନ୍ୟାୟ ମିଳିବ? ଏବେ ଆଉ ଗୋଟିଏ ଘଟଣା ସବୁ ଥାନାରେ ଦେଖିବାକୁ ମିଳୁଛି। ଥାନାକୁ ଯିଏ ଯାଇ ଅଭିଯୋଗ କରୁଛି, ପୁଲିସ ତାର ଅପରପକ୍ଷକୁ ଡାକି ତୁରନ୍ତ ଗୋଟିଏ କାଉଣ୍ଟର ଏତଲା କରୁଛି। ସାଲିସ୍ କରିବା ଲାଗି ପ୍ରବର୍ତ୍ତାଉଛି। ଅନ୍ୟଥା ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁଇଜଣଙ୍କୁ ବାନ୍ଧି କୋର୍ଟ ପଠାଇଦେବ ବୋଲି ଧମକ ଦେଉଛି। ଅତଏବ ଯିଏ ଏତଲା ଦେବ, ସିଏ ବି ବନ୍ଧାହେବ। ଏହା କୋଉଠିକାର ଆଇନ? ଏସସିଏସଟି ମାମଲା କ୍ଷେତ୍ରରେ ସ୍ଥିତି ଆହୁରି ସାଂଘାତିକ। ନିୟମ ଅନୁସାରେ, ଠିକ୍ ସମୟ ମଧ୍ୟରେ ଏହି ମାମଲାର ତଦନ୍ତ ଶେଷ ନ ହେଲେ, ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ମାମଲା ହେବ।

‘୫ଟି’ ବ୍ୟବସ୍ଥା କଣ ଜାଣିପାରୁନି, ରାଜ୍ୟରେ କଣ ଚାଲିଛି? ଏତଲା ରଖିବେନି, ତଦନ୍ତ ହେବନି, ଦଣ୍ଡ ମିଳିବନି, ଇଏ କଣ ସୂଚାଉଛି? ‌ବୋଲି ସେ ପ୍ରଶ୍ନ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ବିଜୟ ମହାପାତ୍ର ଆଉ ଦୁଇ ପାଦ ଆଗକୁ ଯାଇ କହିଛନ୍ତି ଯେ ‘୫ଟି’ କ’ଣ? ମୋ ସରକାର କ’ଣ? ଏସବୁ ଫାର୍ସ ଚାଲିଛି। ସମସ୍ତେ ଜାଣିଛନ୍ତି, ରାଜ୍ୟରେ ନବୀନ ସରକାର ଚାଲିଛି। ତାଙ୍କ ନେତୃତ୍ବରେ ସରକାର କାର୍ଯ୍ୟ କରୁଛି। ‘୫ଟି’ର ବୈଧାନିକ ମାନ୍ୟତା କିଛି ଅଛି କି? ଏହାର ଆଇନଗତ କ୍ଷମତା ଅଛି କି? ଯଦି ଏହା କୌଣସି ବୈଧାନିକ ବା ଆଇନଗତ ବ୍ୟବସ୍ଥାର ଅଂଶବିଶେଷ ହୋଇଥାନ୍ତା, ତେବେ ପୁଲିସ ମାନିବାକୁ ବାଧ୍ୟ ହୋଇଥାନ୍ତା। ଯେହେତୁ ପୁଲିସ ଏକଥା ଜାଣେ, ଏଣୁ ଏହାକୁ କେହି ମାନୁନାହାନ୍ତି କିମ୍ବା ସରକାର କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି।

ଉଲ୍ଲେଖଥାଉକି ମମିତା ମେହେର ମୃତ୍ୟୁ ମାମଲାକୁ ଚାପି ଦେବା ଲାଗି ଯେତିକି ଉଦ୍ୟମ ହେଉଛି, ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଛି ଓ ପ୍ରତିକ୍ରିୟା ବି ଉତ୍କଟ ହେବାରେ ଲାଗିଲାଣି। ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଆଜି ବି ଚର୍ଚ୍ଚାରେ ରହିଛି। ଏହି ମାମଲାରେ ପୁଲିସର ଭୂମିକା ଦାଣ୍ଡରେ ପଡି ହାଟରେ ଗଡୁଛି।

 

ସବୁ ମହଲରେ ପ୍ରଶ୍ନ ଉଠୁଛି ଯେ ଏମିତି କି ଅନୈତିକ କାରବାରର ପ୍ରମାଣ ମମିତା ପାଖରେ ଥିଲା ଯେ ଗୋବିନ୍ଦ ତାଙ୍କୁ ଜଣେ ପେଶାଦାର ଅପରାଧୀ ଭଳି ମାରିଦେଲା? ସେସବୁ ପ୍ରମାଣ ପୁଲିସ ଖୋଜିବା ଲାଗି ପୁଲିସ କାହିଁକି ଆଗ୍ରହ ଦେଖାଉନାହିଁ, ତାହା ହିଁ ସମୁଦାୟ ମାମଲାର ଗମ୍ଭୀରତା ବଢ଼ାଇ ଦେଲାଣି। ମମିତା ମୋବାଇଲ୍ କଲ୍ ରେକର୍ଡ, ଗୋବିନ୍ଦ କଲ୍ ରେକର୍ଡରୁ କି ତଥ୍ୟ ବାହାରିଲା, ପେନ୍ ଡ୍ରାଇଭ୍ କୁଆଡେ ଗଲା ଏସବୁ ଉପରୁ ରହସ୍ୟ ଉଠାଇବାରେ ମଧ୍ୟ ପୁଲିସ ଏଯାଏ ସକ୍ଷମ ହୋଇପାରିନାହିଁ।
କିଛି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ ଏହି ମାମଲାରେ ଆଉ ଗୋଟିଏ ଦିଗକୁ ଆଙ୍ଗୁଠି ଉଠାଇଲେଣି। ଅତି ସମ୍ବେଦନଶୀଳ ଏହି ପ୍ରସଙ୍ଗ ପଛରେ ଏମିତି କଣ ତଥ୍ୟ ଲୁଚି ରହିଛି ଯେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଏସପିଙ୍କୁ ଦୂରେଇ ରଖି ଡିଆଇଜି ଦୀପକ କୁମାର ସାମ୍ନାକୁ ଆସିଲେ? ମାମଲାଟି କଳାହାଣ୍ଡିରେ ଘଟିଛି। କେ ଗାଁ ପୁଲିସ ଏତଲା ରଖିଲାନି ବୋଲି ସିନ୍ଧେକେଲାରେ ମାମଲା ରୁଜୁ ହେଲା ଓ ଏହା ଦୋଷାବହ ନୁହେଁ। ହେଲେ କଳାହାଣ୍ଡି ଏସପି ଯେମିତି ନିଜ ଜିଲ୍ଲାର ଏହି ଘଟଣା ନେଇ ଆଦୌ ତତ୍ପରତା ଦେଖାଇଲେ ନାହିଁ, ଠିକ୍ ସେହି ଜିଲ୍ଲା ଆସୁଥିବା ରେଞ୍ଜ ମୁଖିଆ ବି ଦିଶିଲେନି। ଆହୁରି ବଡ କଥା ହେଲା, ଏହି ମାମଲାକୁ ନେଇ ରାଜ୍ୟ ଉଠୁଛି, ପଡୁଛି। କିନ୍ତୁ ପୁଲିସ ମୁଖ୍ୟାଳୟ ସକ୍ରିୟ ହେଲେନି କି ପୁଲିସ ଡିଜି କଣ ଭୂମିକା ନେଲେ, ସେକଥା ରାଜ୍ୟ ଜାଣିପାରିଲାନି।

ସମ୍ବନ୍ଧିତ ଖବର