ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ୭ ମହଲା ବିଶିଷ୍ଟ ଡିଏଚ୍ଏଚ୍ କଂପ୍ଲେକ୍ସ, ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି କରାଯିବ

ରୋଗୀ କଲ୍ୟାଣ ସମିତିକୁ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର:  ‘ମୋ ସରକାର’ ଟିମ୍ ଭଦ୍ରକ ପରିଦର୍ଶନ କରିବା ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପେକ୍ସର ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୩୦୦ଟି ଶଯ୍ୟା ରହିବ ବୋଲି  ନିଷ୍ପତ୍ତି ହୋଇଛି । ରୋଗୀଙ୍କ ମତାମତ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୯୧ଟି ଶଯ୍ୟା ରହିଛି । ତେଣୁ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ ବୋଲି ସ୍ଥିର ହୋଇଛି । ଏହାସହ ରୋଗୀମାନଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବିଶ୍ରାମଗାର ନିର୍ମାଣ କରାଯିବ । ସେହିଭଳି ଓପିଡି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ରୋଗୀ ଓ ଆଟେଣ୍ଡାଣ୍ଟମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆର ମଧ୍ୟ ବିକାଶ କରାଯିବ ।

ଏହାଛଡା ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଘଣ୍ଟାଏ ମଧ୍ୟରେ ଏହି ବିଜ୍ଞପ୍ତିକୁ ବଦଳାଇ ଦିଆଯାଇଥିଲା । ମେଡିକାଲ କଲେଜ ନୁହେଁ ବରଂ ଶିଶୁ ଚିକିତ୍ସାଳୟର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର