ଭୁବନେଶ୍ବର : ରୋଗୀଙ୍କ ମତାମତ ଆଧାରରେ ନୟାଗଡ଼ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ ଅନିୟମିତତା ପାଇଁ ଆସନ୍ତାକାଲି ହୋଇପାରେ କାର୍ଯ୍ୟାନୁଷ୍ଠାନ। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମିଳୁଥିବା ସ୍ବାସ୍ଥ୍ୟ ସେବା ଯାଞ୍ଚ ପାଇଁ ମୋ ସରକାର ଟିମ୍‌ର ୪ ଜଣିଆ ପ୍ରତିନିଧି ଅଚାନକ ଗସ୍ତ କରିଥିଲେ। ଟିମ୍ ସଦସ୍ୟମାନେ ମେଡିକାଲ ଭିତ୍ତିଭୂମି, ମାଗଣା ଔଷଧ ଉପଲବ୍ଧି ଓ ରୋଗୀସେବା କ୍ଷେତ୍ରରେ ସରକାର ପ୍ରଦାନ କରୁଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଯାଞ୍ଚ କରିଥିଲେ।

Advertisment

publive-image

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଡାକ୍ତରଖାନାରେ ପ୍ରାୟ ୬୦ ଜଣ ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ଟିମ୍‌ ସଦସ୍ୟମାନେ ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ। ଏହାସହିତ ବିଭିନ୍ନ ଵାର୍ଡ଼ ଓ କାଉଣ୍ଟରରେ ମିଳୁଥିବା ସୁବିଧା ସମ୍ପର୍କରେ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ରୋଗୀମାନେ ଅବଗତ ଥିବା ସହ ଏ ନେଇ ମେଡିକାର କର୍ତ୍ତୃପକ୍ଷ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ପ୍ରମାଣ ପାଇଥିଲେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର ଲାଗୁ କରିଥିବା ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଅବଗତ ହେଉଥିବା ବିଷୟରେ ବି ରୋଗୀମାନେ ଜାଣିଥିବା ଟିମ୍ ସଦସ୍ୟମାନେ ଜାଣିବାକୁ ପାଇଛନ୍ତି। ମେଡିକାଲ ପରିସରରେ ପରିଷ୍କାର ପରିଚ୍ଛନତା, ଭିତ୍ତିଭୂମି ଓ ମାଗଣା ନିଦାନ ସେବା ବ୍ୟବସ୍ଥା ଉପଲବ୍ଧ ହେଉଥିବା ନେଇ ଟିମ୍ ସଦସ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ। ଟିମ୍‌ର ଦୁଇଜଣ ସଦସ୍ୟ ଛଦ୍ମବେଶରେ ଓପିଡି ଏବଂ ନିରାମୟ ଔଷଧ କାଉଣ୍ଟର ଆଗରେ ଲାଗିଥିବା ଧାଡ଼ିରେ ଠିଆ ହୋଇ ରୋଗୀଙ୍କୁ ଡାକ୍ତରଙ୍କ ଉତ୍ତମ ବ୍ୟବହାର ଓ ମାଗଣା ଔଷଧ ପ୍ରଦାନ ନେଇ ଯାଞ୍ଚ କରିଥିଲେ। ଡାକ୍ତରଖାନାରେ ରୋଗୀଙ୍କୁ ମିଳୁଥିବା ସ୍ବତନ୍ତ୍ର ଚିକିତ୍ସା ସେବା ଯଥା ଡାଇଲେସିସ୍‌, ଇଣ୍ଟେନ୍‌ସିଭ୍ ଚାଇଲ୍ଡ କେୟାର ସର୍ଭିସେସ୍‌ ଓ ପୁଷ୍ଟିସାଧନ ବ୍ୟବସ୍ଥା ବିଷୟରେ ସକାରାତ୍ମକ ଟିପ୍ପଣୀ ପାଇଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମିଳୁଥିବା ସ୍ବାସ୍ଥ୍ୟ ସେବାରେ କିଛି ମତାମତ ସନ୍ତୋଷଜନକ ନଥିବାରୁ ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣାଇଛି।