ଭୁବନେଶ୍ବର : ‘ମୋ ସ୍କୁଲ’ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ୨୮ଟି ଜିଲ୍ଲାର ୬୫୭ଟି ବିଦ୍ୟାଳୟର ୧୦.୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହାଦ୍ବାରା ପ୍ରାୟ ୨୦ ହଜାର ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି।
ପୁରାତନ ଛାତ୍ରଛାତ୍ରୀ ଗଜପତିରେ ୫୩.୭୨ଲକ୍ଷ, ସୁନ୍ଦରଗଡ଼ରେ ୪୬.୭୨ ଲକ୍ଷ, କଳାହାଣ୍ଡିରେ ୩୬.୦୭ ଲକ୍ଷ, ବାଲେଶ୍ୱରରେ ୩୫.୯୨ ଲକ୍ଷ ଓ କଟକରେ ୨୧.୯୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ‘ମୋ ସ୍କୁଲ’ ଅଭିଯାନ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ଓ ଗୋଷ୍ଠୀସ୍ତରୀୟ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି। ଏହି ଜିଲ୍ଲାସ୍ତରୀୟ ତଦାରଖ ଟିମ୍ ପ୍ରତି କାର୍ଯ୍ୟକାରୀ ପରିଷଦର ବୈଠକ ପୂର୍ବରୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ‘ମୋ ସ୍କୁଲ୍’ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ପ୍ରତି ଜିଲ୍ଲାସ୍ତରରେ ଓ ଗୋଷ୍ଠୀସ୍ତରରେ ଗୋଟିଏ ଗୋଟିଏ ‘ମୋ ସ୍କୁଲ’ ସହାୟତା ଦଳ ଗଠନ କରିବା ସହ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଗୋଟିଏ ଲେଖାଏ ଭିଡିଓ ବାର୍ତ୍ତା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟମାନେ ବିଦ୍ୟାଳୟଗୁଡ଼ିକ ସହ ଯୋଡ଼ି ହୋଇସାରିଛନ୍ତି। ବୈଠକରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଏସ୍ସିଇଆର୍ଟି ନିର୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/mo-school-350x250.jpg)