‘ମୋ ସ୍କୁଲ ଅଭିଯାନ’ : କଳାହାଣ୍ଡି ରାଜ୍ୟରେ ପ୍ରଥମ

ଦ୍ୱିତୀୟରେ ବରଗଡ଼, ତୃତୀୟରେ ମୟୂରଭଞ୍ଜ

ଭବାନୀପାଟଣା : ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି। ଗତ ଅକ୍ଟୋବର ୧୨ ତାରିଖରେ ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ବୈଠକରେ ସମଗ୍ର ରାଜ୍ୟର ୨୩୬ଟି ବିଦ୍ୟାଳୟ ପାଇଁ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଥିଲା। ଏଥିରେ ୩ କୋଟି ୧୪ ଲକ୍ଷ ୨୪  ହଜାର ୫୬୮ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଥିଲା। ରାଜ୍ୟର ୧୫ଟି ଜିଲ୍ଲାରୁ ଆସିଥିବା ସ୍ବେଚ୍ଛାକୃତ ଅନୁଦାନ ବାବଦକୁ ୧ କୋଟି ୪ ଲକ୍ଷ  ୭୪ ହଜାର  ୮୫୬ଟଙ୍କା ମିଳିଥିଲା। ମୋ ସ୍କୁଲ ତରଫରୁ ମ୍ୟାଚିଂ ଗ୍ରାଣ୍ଟ ବାବଦକୁ ୨ କୋଟି ୯ଲକ୍ଷ ୪୯ ହଜାର  ୭୧୨ଟଙ୍କା ପ୍ରଦାନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ୨୯ଟି ବିଦ୍ୟାଳୟରୁ ୨୧ଲକ୍ଷ ୮୪ ହଜାର ୫୧୪ଟଙ୍କା ସ୍ବେଚ୍ଛାକୃତ ଅନୁଦାନ ବାବଦକୁ ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ମୋ ସ୍କୁଲ ମ୍ୟାଚିଂ ଗ୍ରାଣ୍ଟରେ ୪୩ ଲକ୍ଷ ୬୯ ହଜାର ୨୮ଟଙ୍କା ମିଳିବ। ଏହି ପରିମାଣ ଓଡ଼ିଶାରେ ସର୍ବୋଚ୍ଚ ଅଟେ। କଳହାଣ୍ଡି ତଳକୁ ବରଗଡ଼, ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲା ରହିଛନ୍ତି।

ସଂପ୍ରତି ସମଗ୍ର ରାଜ୍ୟରେ ୧୧,୪୧୬ଟି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମ ଚାଲୁଅଛି। ଏହି ସଫଳତା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବଙ୍କ ପତ୍ରାଙ୍କ ୨୬୫(୩୦) ତା. ୧୯.୧୦.୨୦୨୦ରେ କଳାହାଣ୍ଡି ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲିଙ୍କୁ ପ୍ରଶଂସା କରାଯାଇଛି। ପ୍ରିନ୍ସପାଲ ସେକ୍ରେଟାରି ତାଙ୍କ ପ୍ରଶଂସା ପତ୍ରରେ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରେ କୋଭିଡ଼୍ ପରିଚାଳନା ଯେପରି ସଫଳତାର ସହ ଅନୁଷ୍ଠିତ ହୋଇଛି, ସେପରି କୋଭିଡ଼୍ ସମୟରେ ମଧ୍ୟ ମୋ ସ୍କୁଲ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଥିବା ପରିମାଣ ସମଗ୍ର ରାଜ୍ୟ ପାଇଁ ଉଦାହରଣ ସାଜିଛି। ଏ ଯାବତ୍ କଳହାଣ୍ଡି ଜିଲ୍ଲାରେ ୨୧୭ଟି ବିଦ୍ୟାଳୟର ୨୬୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ୨୦୫ଟି ବିଦ୍ୟାଳୟରେ ୨କୋଟି ୮୮ ଲକ୍ଷ ୪୭ ହଜାର ୯୬୦ ଟଙ୍କାର କାମ ଚାଲୁଅଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ସୁଚିନ୍ତିତ ଯୋଜନା ଓ ନିଷ୍ଠାପର ଉଦ୍ୟମ ଫଳରେ ଜିଲ୍ଲା ଏହି ସଫଳତା ହାସଲ କରିପାରିଛି। ମୋ ସ୍କୁଲ ଅଭିଯାନର ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁଙ୍କ ନିରନ୍ତର ଉଦ୍ୟମ, ତଥା ସମଗ୍ର ଜିଲ୍ଲାର ପ୍ରତିଟି ବ୍ଲକ୍‌ରେ ଆୟୋଜନ କରାଯାଇଥିବା ମୋ ସ୍କୁଲ ଅଭିଯାନର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଓ କୋଭିଡ଼-୧୯ ସମୟରେ ଭାର୍ଚୁଆଲ୍ ମିଟିଂ ଜରିଆରେ ସିଆର୍‌ସିସି, ବିଇଓମାନଙ୍କୁ ସଚେନତନ କରାଇ ଏହି ସଫଳତା ହାସଲ କରାଯାଇପାରିଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି  ପ୍ରକଳ୍ପଟି ୨୦୧୭ ମସିହା ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଛି। ଏହି ଯୋଜନା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଆବେଗିକ ଭାବେ ବିଦ୍ୟାଳୟ ସହ ଯୋଡ଼ି ପାରିଛି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଦେଉଥିବା ସହଯୋଗ ରାଶିର ଦୁଇଗୁଣ ପରିମାଣ ସରକାର ମୋ ସ୍କୁଲ ମ୍ୟାଚିଂ ଗ୍ରାଣ୍ଟ ଜରିଆରେ ବିଦ୍ୟାଳୟକୁ ପ୍ରଦାନ କରିଥାନ୍ତି।

ସମ୍ବନ୍ଧିତ ଖବର