‘‌ମୋ ସ୍କୁଲ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୦୩ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ମାସକ ମଧ୍ୟରେ ୧୭ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ବରରେ ସର୍ବାଧିକ ୨.୨୮କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୂରଭଞ୍ଜରେ ୨୫ଲକ୍ଷ ୧ ହଜାର, ଜଗତସିଂହପୁରରେ ୨୫ଲକ୍ଷ ଏବଂ ନୟାଗଡ଼ରେ ୨୧ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୦ କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୪ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟର ୩୪ ହଜାରରୁ ଅଧିକ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି। ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍‌ସନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ସଫଳତା ମିଳିଛି। ମେ’ ମାସରେ ୮୪୪ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ନିଜ ସ୍କୁଲ୍‌ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଭର୍ଚୁଆଲ ବୈଠକର ଆୟୋଜନ କରିଛନ୍ତି।

‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେସନ କାର୍ଯ୍ୟକ୍ରମ’ରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ସ୍ମାର୍ଟ କ୍ଲାସ୍‌ରୁମ୍ ସହ ଡିଜିଟାଲ କଣ୍ଟେଣ୍ଟ୍‌, ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ, ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ଭର୍ଚୁଆଲ ଟ୍ରେନିଂ କାର୍ଯ୍ୟକ୍ରମର କରାଯିବ। ‘୫ଟି-ହାଇସ୍କୁଲ୍ ଟ୍ରାନ୍ସଫର୍‌ମେସନ କାର୍ଯ୍ୟକ୍ରମ’ ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ଏକ ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିଖାଇବାକୁ ପ୍ରତ୍ୟେକ ବିଦ୍ୟାଳୟରେ ‘କୋଡ୍ କ୍ଲବ୍‌’ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍‌’ ଦ୍ବାରା ୧୦ ହଜାର ଗାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି। ଲକ୍‌ଡାଉନ୍‌ ପରିସ୍ଥିତି କୋହଳ ହେବା ପରେ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର