୪,୭୩୫ ବିଦ୍ୟାଳୟରେ ‘ମୋ ସ୍କୁଲ’

ବର୍ଷକ ଭିତରେ ୪୩ କୋଟି ୨୧ ଲକ୍ଷ ଟଙ୍କା ପ୍ରଦାନ, ଗଞ୍ଜାମ ଜିଲ୍ଲାରେ ସଫଳତା, ଦେବଗଡ଼ର ମାତ୍ର ଦୁଇ ସ୍କୁଲ

ଭୁବନେଶ୍ବର: ‘ମୋ ସ୍କୁଲ’। ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ୨୦୧୭ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଥିଲେ। ଲକ୍ଷ୍ୟ ଥିଲା ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସ୍କୁଲର ବିକାଶ ସହ ଯୋଡ଼ିବା। ଏଥିରେ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସ୍କୁଲର ପାଠାଗାର, ବିଜ୍ଞାନାଗାର, ଛାତ୍ରବୃତ୍ତି ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସହାୟତା ଦେଇପାରିବେ। ସେମାନେ ଯେତେ ପରିମାଣର ଅର୍ଥ ଦାନ କରିବେ, ରାଜ୍ୟ ସରକାର ତା’ର ଦୁଇଗୁଣ ଅର୍ଥ ପ୍ରଦାନ କରିବେ। ଏଥିପାଇଁ ରାଜ୍ୟ ସରକାର ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ମଧ୍ୟ ସୃଷ୍ଟି କରିଥିଲେ। ଇତିମଧ୍ୟରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ବର୍ଷେ ପୂରିଛି। ସଫଳତା ମଧ୍ୟ ମିଳିଛି। ବର୍ଷକ ମଧ୍ୟରେ ୨୦ ହଜାର ୩୪୯ ସ୍କୁଲରେ ‘ମୋ ସ୍କୁଲ’ ବୈଠକ ଅନୁଷ୍ଠିତ ହୋଇଛି। ୪ ହଜାର ୭୩୫ ବିଦ୍ୟାଳୟ ‘ମୋ ସ୍କୁଲ’ରେ ସାମିଲ ହୋଇଛି। ପୁରାତନ ଛାତ୍ରଛାତ୍ରୀ, ସଂସ୍ଥା, ଅନୁଷ୍ଠାନଠାରୁ ୧୪ କୋଟି ୪୦ ଲକ୍ଷ ୪୬ ହଜାର ୪୨୦ ଟଙ୍କା ବିଦ୍ୟାଳୟଗୁଡ଼ିକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବାବଦରେ ୨୮ କୋଟି ୮୦ ଲକ୍ଷ ୯୨ ହଜାର ୮୪୦ ଟଙ୍କା ମିଳିଛି। ଏହିପରି ଭାବେ ମୋ ସ୍କୁଲ କାର୍ଯ୍ୟକ୍ରମରେ ୪୩ କୋଟି ୨୧ ଲକ୍ଷ ୩୯ ହଜାର ୩୬୦ ଟଙ୍କା ବିଦ୍ୟାଳୟଗୁଡ଼ିକୁ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ ‘ମୋ ସ୍କୁଲ’କୁ ସଫଳତା ମିଳିଛି। ଜିଲ୍ଲାର ୭୭୩ ବିଦ୍ୟାଳୟ ‘ମୋ ସ୍କୁଲ’ ଅଧୀନରେ ରହିଛନ୍ତି। ୨୧୨୯ଟି ବିଦ୍ୟାଳୟରେ ଏବେ ସୁଦ୍ଧା ‌ବୈଠକ ହୋଇଛି। ବିଦ୍ୟାଳୟଗୁଡ଼ିକୁ ୩ କୋଟି ୯୨ ଲକ୍ଷ ୭୨ ହଜାର ୩୧୯ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହା ତଳକୁ ପୁରୀରେ ୪୮୨, ବରଗଡ଼ରେ ୩୧୭, କୋରାପୁଟରେ ୨୭୯, ଖୋର୍ଧାରେ ୨୬୪, ସମ୍ବଲପୁରରେ ୨୪୨, ବାଲେଶ୍ବରରେ ୨୧୧ ବିଦ୍ୟାଳୟ ‘ମୋ ସ୍କୁଲ’ରେ ସାମିଲ ହୋଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ମାତ୍ର ୨ଟି ବିଦ୍ୟାଳୟ ‘ମୋ ସ୍କୁଲ’ରେ ସାମିଲ ହୋଇଥିବା ବେଳେ ବୌଦ୍ଧର ୭ଟି ବିଦ୍ୟାଳୟ ତାଲିକାରେ ରହିଛି। ନଭେମ୍ବର ୩ ତାରିଖ ସୁଦ୍ଧା ଗଣଶିକ୍ଷା ବିଭାଗ ନିକଟରେ ୮ ହଜାର ୫୯୯ ସ୍କୁଲ ପ୍ରକଳ୍ପ ପହଞ୍ଚିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଇତି ମଧ୍ୟରେ ୫ଟି ପର୍ଯ୍ୟାୟରେ ବୈଠକ ବସି ସାରିଲାଣି। କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଓ ଆହୁରି ବିଦ୍ୟାଳୟକୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ‘ମୋ ସ୍କୁଲ’ ସେଲ୍‌ ଖୋଲିବ। ଜିଲ୍ଲାସ୍ତରରେ ପ୍ରକଳ୍ପ ପରିଚାଳନା ପାଇଁ ଜଣେ ନୋଡାଲ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯିବ। ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ଏକ ୬ ଜଣିଆ କାର୍ଯ୍ୟକାରୀ ଦଳ ଗଠନ ହେବ। ବିଦ୍ୟାଳୟସ୍ତରରେ ପ୍ରକଳ୍ପ କାର୍ଯ୍ୟ ତଦାରଖ ପାଇଁ ଜଣେ ବରିଷ୍ଠ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ, ଆଲୁମିନି ଆସୋସିଏସନ ପ୍ରତିନିଧି, ଶିକ୍ଷାର୍ଥୀ ମନ୍ତ୍ରିମଣ୍ଡଳ ପ୍ରତିନିଧି ସଦସ୍ୟକୁ ନେଇ କାର୍ଯ୍ୟକାରୀ ଦଳ ଗଠନ କରାଯିବ। ଏହି ଯୋଜନାର ବ୍ୟାପକ ପ୍ରସାର ଓ ପ୍ରଚାର ପାଇଁ ପ୍ରଚାରପତ୍ର, ହୋର୍ଡିଂ, ପୋଷ୍ଟର୍‌, ସାମାଜିକ ଗଣମାଧ୍ୟମ, ମୁଦ୍ରିତ ଓ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମକୁ ଉପଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେପା ଓ ମାଧ୍ୟମିକ ଶିକ୍ଷା ମିସନ୍‌ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି।

ସମ୍ବନ୍ଧିତ ଖବର