ଭୁବନେଶ୍ୱର : ‘ମୋ ସ୍କୁଲ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬୨ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ଭଦ୍ରକ, ବରଗଡ଼, ଗଜପତି, ଜଗତ୍‌ସିଂହପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ସାମିଲ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୨ କୋଟି ୬୬ ଲକ୍ଷ ୨୧ ହଜାର ୮୩୭ ଟଙ୍କା ବ୍ୟୟ କରାଯିବ। ଏଥିରେ ରାଜ୍ୟ ସରକାର ୧ କୋଟି ୭୭ ଲକ୍ଷ ଏକ ହଜାର ୮୯୧ ଟଙ୍କା ଅନୁଦାନ ଦେଇଥିବା ବେଳେ ବ୍ୟକ୍ତିବିଶେଷଙ୍କଠାରୁ ୮୯ ଲକ୍ଷ ୧୯ ହଜାର ୯୪୬ ଟଙ୍କା ସଂଗୃହୀତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସ୍କୁଲ’ ଅଭିଯାନର ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ସ୍ଥିର କରାଯାଇଛି।

Advertisment

ବରାଦ ହୋଇଥିବା ଅର୍ଥରେ ସ୍କୁଲର ଭିତ୍ତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚାର ଉନ୍ନତୀକରଣ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ। ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେଇ କାର୍ଯ୍ୟାନ୍ଵୟନ ପ୍ରସ୍ତୁତ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ଓପେପା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ‘ମୋ ସ୍କୁଲ’ ଯୋଜନାର ସଦସ୍ୟ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଏସ୍‌ସିଇଆରଟି ନିର୍ଦେଶକ ପ୍ରତାପ ଇନ୍ଦ୍ର ଦାସ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଅଧିକାରୀ ରଶ୍ମିରଞ୍ଜନ ସାହୁ, ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ୍‌ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ଗତ ଶିଶୁ ଦିବସରେ ରାଜ୍ୟରେ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ୍‌’ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା ହୋଇଛି। ପୁରାତନ ଛାତ୍ର ସଂଘ, ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍‌, ଶିଳ୍ପୋଦ୍ୟୋଗୀମାନଙ୍କୁ ସାମିଲ କରାଯିବ। ଆବଶ୍ୟକ ଅନୁଯାୟୀ ସେମାନେ ଆର୍ଥିକ, ଶୈକ୍ଷିକ ଦ୍ରବ୍ୟ ଓ ଶିକ୍ଷା-ସେବା ଯୋଗାଇବେ। ଏହି ଯୋଜନାରେ ଆର୍ଥିକ ସହାୟତା କ୍ଷେତ୍ରରେ ମିଳିବାକୁ ଥିବା ଅର୍ଥର ଦୁଇଗୁଣ ରାଜ୍ୟ ସରକାର ସମ୍ପୃକ୍ତ ବିଦ୍ୟାଳୟକୁ ଅନୁଦାନ ଭାବେ ଦେବେ ବୋଲି ସ୍ଥିର କରାଯାଇଛି।