ମୋ ସ୍କୁଲରେ ଯୋଡ଼ିହେଲେ ୪ଲକ୍ଷ ପୁରାତନ ଛାତ୍ରଛାତ୍ରୀ : ‘ମୋ ସ୍କୁଲ୍‌’ ପ୍ରକଳ୍ପ ହେବ ପବ୍ଲିକ୍ ଡିସ୍‌କ୍ଲୋଜର୍

୨୬ ହଜାର ସ୍କୁଲ ସାମିଲ
୩୩ କୋଟିର ପ୍ରକଳ୍ପକୁ ଅନୁମୋଦନ‌
ହ୍ୱାଟ୍‌ସଆପ୍‌ରେ ଷ୍ଟାଟସ୍ ରିପୋର୍ଟ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ୍ ଅଭିଯାନ’ର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ୨୮ଟି ଜିଲ୍ଲାର ମୋଟ ୩୨.୩୮ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ମାସ ମଧ୍ୟରେ ୬୧,୧୨୦ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ମୋଟ ୧୦.୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ୩.୪୯ କୋଟି, କେନ୍ଦୁଝରରେ ୧.୯୫ କୋଟି, ମୟୂରଭଞ୍ଜରେ ୬୨ ଲକ୍ଷ, ଅନୁଗୁଳରେ ୩୬ଲକ୍ଷ ଏବଂ ବରଗଡ଼ରେ ୩୫ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୨୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୨୬ ହଜାର ସ୍କୁଲ୍ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇଛି। କରୋନା ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷ ଫେବ୍ରୁଆରି ସୁଦ୍ଧା ପୁରାତନ ଛାତ୍ରଛାତ୍ରୀ ୪୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ବୈଠକରେ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ପବ୍ଲିକ୍ ଡିସ୍‌କ୍ଲୋଜର୍ ଏବଂ ସୋସିଆଲ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟୟବରାଦ ଏବଂ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ। ସ୍କୁଲ୍‌ର ମାଇକ୍ରୋ ୱେବ୍‌ସାଇଟ୍‌ରେ ଏନେଇ ସମସ୍ତ ତଥ୍ୟ ଉପଲବ୍ଧ ହେବ। ପ୍ରକଳ୍ପ କାର୍ଯ୍ୟକାରିତାରେ ଅଧିକ ସ୍ୱଚ୍ଛତା ଆଣିବାକୁ ସ୍ୱତନ୍ତ୍ର ଅଡିଟର୍‌ଙ୍କ ଦ୍ୱାରା ବିଦ୍ୟାଳୟସ୍ତରରେ ସମସ୍ତ ପ୍ରକଳ୍ପର ଅଡିଟ୍ କରାଯିବ। ସେହିପରି ‘ମୋ ସ୍କୁଲ୍‌ ଅଭିଯାନ’ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକ କିଣିଥିବା ସମସ୍ତ ଆସବାବପତ୍ରର ଏକ ସ୍ୱତନ୍ତ୍ର ରେଜିଷ୍ଟର ପ୍ରସ୍ତୁତ କରାଯିବ। ମୋ ସ୍କୁଲ୍ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ମ୍ୟାଚିଂ ଗ୍ରାଣ୍ଟ୍ ତଥା ସରକାରୀ ସହାୟତା ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପୂର୍ବରୁ ବ୍ୟାଙ୍କ୍ ପାସ୍‌ବୁକ୍ ସହ ଆବଶ୍ୟକ ସମସ୍ତ କାଗଜପତ୍ର ଯାଞ୍ଚକୁ ଜୋରଦାର କରାଯାଇଛି। ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଷ୍ଟାଟସ୍ ରିପୋର୍ଟ ସହାୟତା ପ୍ରଦାନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ହ୍ୱାଟ୍‌ସଆପ୍ ଯୋଗେ ପଠାଇବାର ବ୍ୟବସ୍ଥା କରାଯାଇଛି।

‘ମୋ ସ୍କୁଲ୍’ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ପୁରାତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅହେତୁକ ଆଗ୍ରହ ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚରେ ଜିଲ୍ଲାସ୍ତରୀୟ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଛି। ମୋ ସ୍କୁଲ୍ କାର୍ଯ୍ୟାଳୟ ପକ୍ଷରୁ ମେଣ୍ଟରମାନଙ୍କୁ ସେମାନେ ପୋଷ୍ୟ ନେଇଥିବା ବିଦ୍ୟାଳୟର ପ୍ରୋଫାଇଲ୍ ସହ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମର ସମସ୍ତ ସୂଚନା ଓ ତଥ୍ୟ ଦିଆଯାଇଛି। ମୋ ସ୍କୁଲ୍ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୭୯୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ୨୩୮୦ଟି ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବୈଠକରୁ ସୂଚନା ମିଳିଛି। ଏହି ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର