୩୫ ହଜାର ସ୍କୁଲରେ ପହଞ୍ଚିଲା ‘ମୋ ସ୍କୁଲ’: ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

୭ମ ଥର ପାଇଁ ଶୀର୍ଷରେ ବାଲେଶ୍ବର, ଅଗଷ୍ଟରୁ ସମଗ୍ର ରାଜ୍ୟରେ ଲର୍ଣ୍ଣିଂ କ୍ୟାମ୍ପ୍‌

ଭୁବନେଶ୍ବର : ‘ମୋ ସ୍କୁଲ୍ ଅଭିଯାନ’ର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ୨୩ଟି ଜିଲ୍ଲା ପାଇଁ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ୨୩ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ସାମିଲ ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧୧ କୋଟି ୫୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି। ବାଲେଶ୍ବରରେ ସର୍ବାଧିକ ୧.୭୫ କୋଟି, କଟକରେ ୩୫ ଲକ୍ଷ ୭୪ ହଜାର, ବରଗଡ଼ରେ ୨୧ ଲକ୍ଷ ୪୫ ହଜାର, ଯାଜପୁରରେ ୧୭ ଲକ୍ଷ ୧୬ ହଜାର ଓ ଢେଙ୍କାନାଳରେ ୧୬ ଲକ୍ଷ ୭୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି।

ସିଏସ୍‌ଆର୍ ପାଣ୍ଠିରୁ ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୦ କୋଟି ଟଙ୍କାର ଅନୁଦାନ ମିଳିଛି। ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇ ଗୁଣା ଆର୍ଥିକ ସହାୟତାକୁ ମିଶାଇ ୯୪ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ବାଲେଶ୍ବର ଜିଲ୍ଲାର ପୁରାତନ ଛାତ୍ରଛାତ୍ରୀ ଲଗାତାର ୭ମ ଥର ପାଇଁ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫ଲକ୍ଷ ୪୮ହଜାର ପୁରାତନ ଛାତ୍ରଛାତ୍ରୀ ଓ ୩୫ ହଜାରରୁ ଅଧିକ ସ୍କୁଲ୍ ଅଭିଯାନରେ ସାମିଲ ହୋଇଛନ୍ତି। ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେସନ କାର୍ଯ୍ୟକ୍ରମ’ରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ‘ମୋ ସ୍କୁଲ୍‌’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଏକାଡେମିକ କମିଟି ଗଠିତ ହୋଇଛି। ଆଗାମୀ ଦିନରେ ଏହି କମିଟି ସ୍କୁଲ୍‌ର ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ଦିଗରେ ପରାମର୍ଶ ଦେବ।

ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଆସନ୍ତା ୨୭ ତାରିଖରୁ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି। ୫ଟି-ହାଇସ୍କୁଲ୍ ଟ୍ରାନ୍ସଫର୍‌ମେସନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଦ୍ୟାଳଗୁଡ଼ିକର କାର୍ଯ୍ୟ ଅଗ୍ରଗତି ଓ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ସାହୁ ମୋ ସ୍କୁଲ୍ ଅଭିଯାନ କର୍ମକର୍ତ୍ତାଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ପରିସ୍ଥିତି ଲାଗି ଅଟକି ରହିଥିବା ଲର୍ଣ୍ଣିଂ କ୍ୟାମ୍ପ୍ କାର୍ଯ୍ୟକ୍ରମ ଅଗଷ୍ଟରୁ ଆରମ୍ଭ କରିବାକୁ ସ୍ଥିର ହୋଇଛି। ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢ଼ିବା ଅଭ୍ୟାସ ବଜାୟ ରଖିବା ଓ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ଏହି କାର୍ଯ୍ୟକ୍ରମ କରାଯିବ। ଏହି ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର