ଏବର୍ଷ ୫୦ ହଜାରରେ ପହଞ୍ଚିବ ‘ମୋ ସ୍କୁଲ’

ପ୍ରକଳ୍ପର ସମୀକ୍ଷା ଲାଗି ୬୮୮ଟି ଟିମ୍
୧୦ ଲକ୍ଷ ପୁରାତନ ଛାତ୍ରଛାତ୍ରୀ ଯୋଡ଼ିବାକୁ ଲକ୍ଷ୍ୟ

ଭୁବନେଶ୍ବର : ୨୦୧୭ରେ ଆରମ୍ଭ ହୋଇଥିଲା ‘ମୋ ସ୍କୁଲ’ ଅଭିଯାନ। ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା। ଏବେ ସୁଦ୍ଧା ରାଜ୍ୟର ୩୪ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ୫୦ ହଜାର ବିଦ୍ୟାଳୟ ଏବଂ ୧୦ଲକ୍ଷ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଯୋଡ଼ି ହେବାକୁ ‘ମୋ ସ୍କୁଲ୍‌’ ଲକ୍ଷ୍ୟ ରଖିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯଥା ଶ୍ରେଣୀଗୃହ ନିର୍ମାଣ, ନବୀକରଣ, ସ୍ମାର୍ଟ କ୍ଲାସ୍‌, ପାଠାଗାର, ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା, ସୌନ୍ଦର୍ଯ୍ୟୀକରଣ, ସ୍କୁଲ୍ ପାରିପାର୍ଶ୍ବିକ ପରିବେଶର ବିକାଶ ହେଉଛି। ଏଥି ସହ ସ୍କୁଲ୍‌ଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏବେ ଅଭିଯାନରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି। ସେହିପରି ୧୩ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ମାଧ୍ୟମରେ ‘ମୋ ସ୍କୁଲ୍‌’ ସହ ଯୋଡ଼ି ହୋଇ ସ୍କୁଲ୍‌ର ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ଏହି ପୁରାତନ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଓଡ଼ିଶାର ପ୍ରତି ଦୁଇଜଣରେ ଜଣେ ପିଲାଙ୍କ ପାଖରେ ପହଞ୍ଚି ସେମାନଙ୍କ ବୌଦ୍ଧିକ ବିକାଶରେ ଭାଗିଦାରୀ ହୋଇଛନ୍ତି।

ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦକ୍ଷତା ବିକାଶ କରୁଛି ‘ମୋ ସ୍କୁଲ୍‌’। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଙ୍ଗଠନ ସହ ମିଳିତ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦକ୍ଷତା ବିକାଶ ଠାରୁ ଆରମ୍ଭ କରି ସେମାନଙ୍କୁ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କିତ ଜ୍ଞାନ ପ୍ରଦାନ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେବା ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ବ୍ରିଟିଶ କାଉନ୍‌ସିଲ, ଜଲି ଫିଉଚର୍ ଫାଉଣ୍ଡେସନ, ଅଗସ୍ତ୍ୟ ଫାଉଣ୍ଡେସନ, ଟାଟା ଟ୍ରଷ୍ଟ୍‌ସ, ଲିଭୋଲିଙ୍କ୍‌ ଫାଉଣ୍ଡେସନ, ରାଉଣ୍ଡ୍ ଟେବୁଲ୍ ଇଣ୍ଡିଆ, ପ୍ରଥମ, ଭାରତ ଜ୍ଞାନବିଜ୍ଞାନ ସମିତି ଏବଂ ରାସ୍‌ବେରୀ ପାଇ ଫାଉଣ୍ଡେସନ ଭଳି ଅନୁଷ୍ଠାନ ସହ ମିଶି ‘ମୋ ସ୍କୁଲ୍‌’ କାର୍ଯ୍ୟ କରୁଛି। ଓଡ଼ିଶାର ସଫଳତାକୁ ଏବେ ଅନ୍ୟ ରାଜ୍ୟ ସରକାର ଆପଣାଇବାକୁ ଆଗେଇ ଆସିଛନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟ ଶିକ୍ଷାର ବିକାଶ କରିବାକୁ କେନ୍ଦ୍ର ସରକାର ମଧ୍ୟ ସମାନ ଢାଞ୍ଚାରେ ‘ବିଦ୍ୟାଞ୍ଜଳି-୨’ର ଶୁଭାରମ୍ଭ କରିଛନ୍ତି।

‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ମୁଖ୍ୟତଃ ଦୁଇଟି ଉତ୍ସରୁ ଅର୍ଥ ଆସୁଛି। ପୁରାତନ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ, ବିଭିନ୍ନ ସଂସ୍ଥା ପକ୍ଷରୁ ମିଳୁଥିବା ଅନୁଦାନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତାହାର ଦୁଇଗୁଣା ମ୍ୟାଚିଂଗ୍ରାଣ୍ଟକୁ ମିଶାଇ ସ୍କୁଲ୍‌ଗୁଡ଼ିକରେ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ‘ମୋ ସ୍କୁଲ୍‌’ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ଲାଗି ରାଜ୍ୟରେ ୬୮୮ଟି ଟିମ୍ କାର୍ଯ୍ୟ କରୁଛି। ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍ କର୍ତୃପକ୍ଷ, ବ୍ଲକ୍ ଓ ଜିଲ୍ଲା ସହ ଯୋଗାଯୋଗ ପାଇଁ ବିଭିନ୍ନ ସ୍ତରରେ ୨୮ ହଜାର ୨୫୫ଟି ହ୍ୱାଟ୍‌ସଆପ୍ ଗ୍ରୁପ୍‌ କାର୍ଯ୍ୟକାରୀ କରାଯାଉଛି।

‘ମୋ ସ୍କୁଲ୍‌ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କହିଛନ୍ତି, ‘ମୋ ସ୍କୁଲ୍‌ ଅଭିଯାନ’ କେବଳ ସ୍କୁଲ୍ ଭିତ୍ତିଭୂମି ବିକାଶରେ ସୀମିତ ହୋଇ ରହିନାହିଁ। ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ପିଲାଙ୍କର ସର୍ବାଙ୍ଗୀନ ବିକାଶକୁ ଆମେ ଗୁରୁତ୍ୱ ଦେଉଛୁ। ୨୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅଭିଯାନରେ ଯୋଡ଼ି ହୋଇଛନ୍ତି। ସାମାଜିକ ସଂସ୍ଥା, ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ବେସରକାରୀ ଅନୁଷ୍ଠାନ ଓ କର୍ପୋରେଟ୍ ସଂସ୍ଥା ମଧ୍ୟ ସରକାରୀ ସ୍କୁଲ୍‌ର ବିକାଶ ପ୍ରକ୍ରିୟାରେ ସହଭାଗୀ ହୋଇଛନ୍ତି। ବିଦେଶରେ ରହୁଥିବା ଓଡ଼ିଆଙ୍କର ଓଡ଼ିଶାର ସ୍କୁଲ୍ ପ୍ରତି ଆଗ୍ରହ ବଢିଛି। ଭବିଷ୍ୟତରେ ଆହୁରି ଅନେକ ପୁରାତନ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ମାଧ୍ୟମରେ ପରବର୍ତୀ ପିଢ଼ି ପାଇଁ ଅଧିକ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ।

ସମ୍ବନ୍ଧିତ ଖବର