ସୁନାବେଡା: ଜଣେ ଯୁବତୀ ଓ ତାଙ୍କର ସାଙ୍ଗଙ୍କୁ ମନ୍ଦିରରୁ ଫେରିବା ସମୟରେ ଲୁଟ୍ର ଶିକାର ହେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଚିକାପାର ଶିବ ମନ୍ଦିର ନିକଟରେ ଶୁକ୍ରବାର ରାତିରେ ଏଭଳି ଘଟଣା ଘଟିଛି। ଯୁବତୀ ଓ ତାଙ୍କର ସାଙ୍ଗଙ୍କ ଠାରୁ ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କା, ମୋବାଇଲ ଓ ସ୍କୁଟି ଲୁଟ୍ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧୂନିଆ ମଛଲୀପଡ଼ିଆ, ସଞ୍ଜୟ କାଡମ ଓ ଘେନୁ ମାଛ।
ସୂଚନା ଅନୁସାରେ ସ୍ଥାନୀୟ ଚି଼କାପାର ଶିବ ମନ୍ଦିରକୁ ଗତକାଲି ରାତି ୮ଟା ୩୦ରେ ନନ୍ଦପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିଲେ। ସେମାନେ ଘରକୁ ଫେରୁଥିବା ସମୟରେ ୩ଜଣ ସ୍ଥାନୀୟ ଯୁବକ ଯୁବତୀ ଓ ତାଙ୍କର ସାଙ୍ଗଙ୍କୁ ଖରାପ ବ୍ୟବହାର କରିବା ସହ ୫୦୦୦ ଟଙ୍କା ମାଗିଥିଲେ। କିନ୍ତୁ ଯୁବତୀ ଓ ତାଙ୍କର ବନ୍ଧୁ ଟଙ୍କା ନ ଦେବାରୁ ତିନି ଅଭିଯୁକ୍ତ ଦୁର୍ବ୍ୟବହାର କରିଥିଲେ। ଅଭିଯୁକ୍ତମାନେ ଯୁବତୀ ଓ ତାଙ୍କ ବନ୍ଧୁଙ୍କ ଠାରୁ ୧୦୭୦ ଟଙ୍କା ଓ ମୋବଇଲ, ସ୍କୁଟି (ଓଡି୧୦ପି-୫୫୧୫) ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ତେବେ ଲୁଟ୍ର ଶିକାର ହେବା ପରେ ଯୁବତୀ ଜଣକ ସୁନାବେଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଚି଼କାପାରର ଧୂନିଆ ମଛଲୀପଡ଼ିଆ, ସଞ୍ଜୟ କାଡମ, ଘେନୁ ମାଛଙ୍କୁ ଗିରଫ କରିଛି। ଏହି ଘଟଣା ନେଇ ସାମ୍ବାଦିକ ସମିଳନୀରେ ଆଇଆଇସି ଉଲ୍ଲାସ ଚନ୍ଦ୍ର ରାଉତ ଓ ଏସ୍ଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ତେବେ ଏହିଭଳି ଚୋରି ଓ ଲୁଟତରାଜ ଯୋଗୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।