କୀଟ ଦମନ ପାଇଁ ମୋବାଇଲ୍‌ ଆପ୍

ତାଲିମ୍ ନେବେ ସାଢ଼େ ତିନି ଲକ୍ଷ ଚାଷୀ, କୀଟ ଦମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ: କୃଷି ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ରୋଗପୋକ ଦ୍ବାରା ଫସଲ କ୍ଷତି ହେଉଛି। ଏହା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କୀଟନାଶକର ବ୍ୟବହାର ମଧ୍ୟ ଠିକ୍ ହେଉ ନ ଥିବାରୁ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରାଯାଇପାରୁନି। କୀଟ ଦମନ ପାଇଁ ଏକ ମୋବାଇଲ୍‌ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମାଧ୍ୟମରେ ଚାଷୀ ଓ କ୍ଷେତ୍ର କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ ବି‌େଶଷଜ୍ଞଙ୍କ ନିକଟକୁ ପଠାଇପାରିବେ। ଆଉ ବି‌େଶଷଜ୍ଞମାନେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଉପଦେଶ ଦେବେ।

ଆଜି କୃଷି ଭବନରେ ରୋଗପୋକ ଦାଉରୁ ଫସଲର ସୁରକ୍ଷା ଓ କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ମାଷ୍ଟର୍‌ ଟ୍ରେନର୍‌ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଏନ୍ଆଇସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ମୋବାଇଲ୍‌ ଆପ୍‌କୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଉନ୍ମୋଚନ କରିଥିଲେ। ଶ୍ରୀ ସାହୁ କହିଥିଲେ, ଚାଷୀମାନଙ୍କୁ କୀଟନାଶକର ଠିକ୍ ବ୍ୟବହାର ସମ୍ପର୍କରେ ସଚେତନ କରିପାରଲେ ଚାଷ ଓ ଚାଷୀଙ୍କୁ ସୁରକ୍ଷିତ କରାଯାଇପାରିବ। ଏ ଦିଗରେ ଏହି ଆପ୍ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଗ୍ରାମ କୃଷି କର୍ମଚାରୀ, ଜିଲ୍ଲା କୃଷି ଅଧିକାରୀ, କୃଷି ଉପନିର୍ଦ୍ଦେଶକ, ଓୟୁଏଟିର ବିଶେଷଜ୍ଞ ସମସ୍ତେ ଏହି ଆପ୍ ମାଧ୍ୟମରେ ପରସ୍ପର ସହ ସଂଯୋଗରେ ରହି କୀଟ ଦମନ ପାଇଁ ମିଳିତ ଉଦ୍ୟମ କରିବେ। ରାଜ୍ୟସ୍ତରରେ ଏହାର ଗତିବିଧିକୁ ନିରୀକ୍ଷଣ କରାଯିବ।

କୃଷି ଅଧିକାରୀମାନଙ୍କୁ ମନ୍ତ୍ରୀ କହିଥିଲେ, ଯେହେତୁ ସବୁ ଅଧିକାରୀଙ୍କ ପାଖରେ ଏହି ଆପ୍ ଉପଲବ୍ଧ ହେବ, ତେଣୁ ଯେ କୌଣସି ସ୍ଥାନରେ ଫସଲରେ ରୋଗପୋକ ଲାଗିଲେ ପ୍ରଥମେ ସେମାନେ ବିଶେଷଜ୍ଞଙ୍କ ପାଖକୁ ଖବର ଦେବେ। ଯଦି ଅଧିକାରୀ ଜାଣିବା ପୂର୍ବରୁ ରୋଗପୋକ ସମ୍ପର୍କରେ ଗଣମାଧ୍ୟମରେ ଖବର ଆସିଲା, ତେବେ ତାହାକୁ ଗୁରୁତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଅଧିକାରୀମାନେ କ୍ଷେତ୍ରରେ ସବୁ‌େବଳେ ସଜାଗ ରହିବାକୁ ମନ୍ତ୍ରୀ ଚେତାଇ ଦେଇଥିଲେ।

ପୋକ ଦମନ ନିମନ୍ତେ ବ୍ୟବହୃତ କୀଟନାଶକର ଠିକ୍ ମାତ୍ରା, ଠିକ୍ ଫସଲ ଓ ଠିକ୍ ସମୟ ଓ କୀଟନାଶକ ଆଦିର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କର ଅଧିକ ଜାଣିବାର ଆବଶ୍ୟକତା ଦୃଷ୍ଟିରୁ ସେମାନଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା ହୋଇଛି। ପ୍ରାୟ ୩ ଲକ୍ଷ ୪୦ ହଜାର ୫୦୦ ଚାଷୀଙ୍କୁ ତାଲିମ୍ ଦିଆଯିବ। କୀଟନାଶକର ଠିକ୍ ବ୍ୟବହାର ନେଇ ସଚେତନତା ଅଭାବରୁ ଭାରତରେ ପ୍ରତିବର୍ଷ ପ୍ରାୟ ୧୦ ହଜାର ଲୋକ ଚର୍ମ, ଆଖି, କିଡ୍‌ନି, ସ୍ନାୟୁଯନ୍ତ୍ର ଆଦି ରୋଗର ଶିକାର ହୋଇ ପ୍ରାଣ ହରାଇଥା’ନ୍ତି।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିସନର୍ ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ ଓ କୃଷି ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର