ସୁରକ୍ଷିତ ମାଛ ଧରିବା ପାଇଁ ଲୋକାର୍ପିତ ହେଲା ମୋବାଇଲ୍‌ ଆପ୍‌, ମିଳିବ ପାଣିପାଗର ଆଗୁଆ ସୂଚନା

ଭୁବନେଶ୍ବର : ସୁରକ୍ଷିତ ଏବଂ ଅଧିକ ପରିମାଣରେ ମାଛ ଧରିବାରେ ମତ୍ସ୍ୟଜୀବୀଙ୍କ ପାଇଁ ସହାୟକ ହେବ ‘ସିକ୍ୟୋର୍‌ ଫିସିଂ ମୋବାଇଲ ଆପ୍‌’। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ସହାୟତାରେ ପ୍ରସ୍ତୁତ ଆପକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଲୋକାର୍ପଣ କରିଛନ୍ତି। କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଏହି ଆପ୍‌ ଦ୍ୱାରା ମତ୍ସ୍ୟଜୀବୀମାନେ ପାଣିପାଗର ପୂର୍ବ ସୂଚନା ପାଇପାରିବେ। ମାଛ ଧରିବା କ୍ଷେତ୍ରରେ ଅତି ସ୍ଥାନୀୟ ପାଣିପାଗ ତଥ୍ୟ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ଆପ୍‌ ମାଧ୍ୟମରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ମାଛଗୁଡ଼ିକ ସହଜରେ ଠାବ କରିବା ପାଇଁ ମଧ୍ୟ ସୂଚନା ପାଇପାରିବେ। ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା କ୍ଷେତ୍ରରେ ନିୟନ୍ତ୍ରଣ ଓ ଆନୁଷଙ୍ଗିକ ବିଷୟର ନିର୍ଦ୍ଦେଶାବଳୀ ପ୍ରଦାନ କରିବାର ସୁବିଧା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ମଧ୍ୟ ସେମାନେ ଅବଗତ ହୋଇପାରିବେ। ଆପ୍‌ରେ ଥିବା ଅତିରିକ୍ତ ସୁବିଧାରେ ମତ୍ସ୍ୟଜୀବୀମାନେ ମତ୍ସ୍ୟ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ତଥ୍ୟ ମଧ୍ୟ ହାସଲ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଏହି ଆପ୍‌ ଦ୍ୱାରା ଓଡ଼ିଶାର ଆର୍ଯ୍ୟାପଲ୍ଲୀଠାରୁ ଆରମ୍ଭ କରି ଚୂଡ଼ାମଣି ପର୍ଯ୍ୟନ୍ତ ଦୀର୍ଘ ୪୮୦ କିଲୋମିଟର ଉପକୂଳରେ ଥିବା ସାମୁଦ୍ରିକ ମତ୍ସ୍ୟଜୀବୀମାନେ ବିଶେଷ ଭାବେ ଉପକୃତ ହେବେ ଏବଂ ସେମାନଙ୍କର ଜୀବନଜୀବିକାରେ ପ୍ରଭୂତ ଉନ୍ନତି ଆସିପାରିବ। ମତ୍ସ୍ୟ କ୍ଷେତ୍ରର ବିକାଶ ନିମନ୍ତେ ରାଜ୍ୟ ବଜେଟ୍‌ରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିସନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ଆପ୍‌କୁ ନିୟମିତ ଅପ୍‌ଡେଟ୍‌ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେପରି ମତ୍ସ୍ୟଜୀବୀମାନେ ସଦ୍ୟତମ ସୂଚନା ପାଇପାରିବେ।
ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ ଓଡ଼ିଶା ଶାଖାର ମୁଖ୍ୟ ହିମାଂଶୁ ଶେଖର ବାଲା ଏହି ଆପ୍‌ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ କରିବା ସହ ରାଜ୍ୟର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅଧିକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାରେ ସହାୟକ ହେବ ବୋଲି କହିଛନ୍ତି। ଏହି ଅବସରରେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମର ବିଭିନ୍ନ କର୍ମକର୍ତ୍ତା, ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର