ଛାତ୍ରୀଙ୍କ କମାଲ : ଫସଲ କ୍ଷତି ଆକଳନ କରିବ ‘ମୋବାଇଲ୍‌ ଆପ୍‌’

ଭୁବନେଶ୍ୱର : ରୋଗପୋକ ତଥା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହେବାକୁ ଥିବା ଫସଲର ସମ୍ଭାବ୍ୟ କ୍ଷତି ବିଷୟରେ ଜାଣିପାରିବେ ଚାଷୀ। ଏଥିସହ କୃଷକଙ୍କୁ ଫସଲର ସ୍ୱାସ୍ଥ୍ୟ, ପାଣିପାଗ ବିଷୟରେ ତଥ୍ୟ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ବିହନର ଉପଲବ୍ଧତା, କୃଷି ଯନ୍ତ୍ରପାତି ବ୍ୟବହାର, ସାର ଓ କୀଟନାଶକ ଔଷଧ ବ୍ୟବହାର ଆଦି ବିଷୟରେ ସୂଚନା ‘ମୋବାଇଲ୍‌ ଆପ୍‌’ରେ ମିଳିପାରିବ। ଏଭଳି ଜ୍ଞାନକୌଶଳ ବିକାଶ କରୁଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଦୁଇ ଜଣ ଛାତ୍ରୀ।

ଓୟୁଏଟି ଅଧୀନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷ ଛାତ୍ରୀ ସୁଶ୍ରୀ ମାମା ମହାନ୍ତି ଓ ସୁଶ୍ରୀ ମୋନାକୁମାରୀ ଏହି ‘ମୋବାଇଲ୍‌ ଆପ୍‌’ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯାହାମାଧ୍ୟମରେ ଫସଲ କ୍ଷତି ଆକଳନ କରାଯାଇପାରିବ। ଏହି ଜ୍ଞାନକୌଶଳର ବିକାଶ ପାଇଁ ସେମାନେ ଷ୍ଟାର୍ଟଅପ୍‌ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଏହି ଆପ୍‌ ବ୍ୟବହାର କରି କୃଷକମାନେ ରୋଗପୋକ ତଥା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହେବାକୁ ଥିବା ଫସଲର ସମ୍ଭାବ୍ୟ କ୍ଷତି ବିଷୟରେ ଜାଣିପାରିବେ। ଆଗାମୀ ୬ ମାସ ମଧ୍ୟରେ ଏହି ଆପ୍‌ ପ୍ରସ୍ତୁତ ହେବ ବୋଲି ଛାତ୍ରୀ ଦୁଇ ଜଣ କହିଛନ୍ତି। ଏହି ଦୁଇ ଛାତ୍ରୀ ୨୦୧୬ ମସିହାରେ ଏଭଳି ଏକ େଓ୍ଵବସାଇଟ୍‌ ବିକାଶ କରି ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ଭାରତୀୟ ଶିଳ୍ପ ମହାସଂଘର ଏକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇସାରିଛନ୍ତି। ଛାତ୍ରୀଙ୍କ ଏଭଳି ସଫଳତା ପାଇଁ ଓୟୁଏଟିରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ବିଭାଗ ଡିନ୍‌ଙ୍କ ସମେତ ଛାତ୍ରଛାତ୍ରୀମାନେ ଏହି ଦୁଇ ଛାତ୍ରୀଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଦୁଇ ଜଣ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଛାତ୍ରୀଙ୍କ ସଫଳତା ଦ୍ୱାରା ବିଶ୍ୱବିଦ୍ୟାଳୟ ଗୌରବ ଆହୁରି ବଢ଼ିଛି। ଏହି ‘ମୋବାଇଲ୍‌ ଆପ୍‌’ ମାଧ୍ୟମରେ ରାଜ୍ୟ ସରକାର ଉପକୃତ ହୋଇପାରିବେ। ଚାଷୀମାନେ ମଧ୍ୟ ନିଜ ଫସଲର କ୍ଷତି ଜାଣିପାରିବେ। ଏହାଦ୍ୱାରା ଇନ୍ସୁରାନ୍ସ କମ୍ପାନିମାନେ ବେଶି ଲାଭ ପାଇବେ। କୁଳପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ତଥା ବୈଷୟିକ ପରାମର୍ଶରେ ଏହି ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯିବ।

ସମ୍ବନ୍ଧିତ ଖବର