‘ମୋ ଜଙ୍ଗଲ’ ଓ ‘ନୋ ୟୋର୍‌ ଫରେଷ୍ଟ ଲ୍ୟାଣ୍ଡ୍‌’ ମୋବାଇଲ୍‌ ଆପ୍‌ ଲୋକାର୍ପିତ

ଭୁବନେଶ୍ବର : ଏଣିକି ମୋବାଇଲ ଆପ୍‌ ଜରିଆରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବନୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିହେବ। ଏହାସହିତ ରାଜ୍ୟର ସମସ୍ତ ଜଙ୍ଗଲ ଜମି ସମ୍ବନ୍ଧରେ ବି ସଠିକ୍‌ ସୂଚନା ମିଳିପାରିବ। ଏଥିପାଇଁ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦୁଇଟି ମୋବାଇଲ ଆପ୍‌ ଲୋକାର୍ପିତ କରିଛନ୍ତି। ବନୀକରଣ ପାଇଁ ‘ମୋ ଜଙ୍ଗଲ’ ଓ ଜଙ୍ଗଲ ଜମି ସମ୍ପର୍କରେ ସୂଚନା ପାଇବା ପାଇଁ ‘ ନୋ ୟୋର୍‌ ଫରେଷ୍ଟ ଲ୍ୟାଣ୍ଡ୍‌’ ଦୁଇଟି ଆପ୍‌ର ମନ୍ତ୍ରୀ ଶ୍ରୀ ଆରୁଖ ଶୁଭାରମ୍ଭ କରିଛନ୍ତି। ଏହାକୁ ଅଧିକ ଫଳପ୍ରସୁ କରିବା ପାଇଁ ଜନସାଧାରଣ ସୁଚିନ୍ତିତ ମତାମତ ଦେବାକୁ ମଧ୍ୟ ଆପ୍‌ରେ ବ୍ୟବସ୍ଥା କରାଯାଇଛି।

ଉଭୟ ମୋବାଇଲ୍‌ ଆପ୍‌ ପିସିସିଏଫ୍‌, ଓଡ଼ିଶା ସରକାରଙ୍କ ଆଇଟି ବିଭାଗ, ଜି.ଆଇ.ଏସ୍‌ ସେଲ୍‌ ଏବଂ ଓରସାକ୍‌ର ବୈଷୟିକ ସହଭାଗିତାରେ ପ୍ରସ୍ତୁତ କରାଯାଇଛି। ଗୁଗୁଲ ପ୍ଲେଷ୍ଟୋର ଓ ଆପଲ୍‌ ପ୍ଲେଷ୍ଟୋରରୁ ଏହି ଦୁଇଟିଯାକ ମୋବାଇଲ ଆପ୍‌ ଡାଉନଲୋଡ଼ କରି ଉପଯୋଗ କରିହେବ। ଲୋକସେବା ଭବନରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ଏହି ଦୁଇଟି ଆପ୍‌ ଯୋଗୁ ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ଅଧିକ ସ୍ବଚ୍ଛତା ଓ ପାରଦର୍ଶିତା ହାସଲ କରିହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫’ଟି’ ଓ ‘ମୋ ସରକାର’ ଆଧାରରେ ଓଡ଼ିଶା ବନସଂହିତାକୁ ବ୍ୟାପକ ସଂଶୋଧନ କରାଯାଇଛି। ଜଙ୍ଗଲ ପରିଚାଳନା, ସଂରକ୍ଷଣ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସାଧାନ ଦିଗରେ ସ୍ବଚ୍ଛତା ଓ ସଫଳତା ଆସିପାରିଛି। ହିତାଧିକାରୀ ଓ ବିଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ସେମାନଙ୍କ ଦେୟ ସିଧାସଳଖ ଭାବେ ପ୍ରେରଣ କରାଯାଉଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପିସିସିଏଫ୍‌ ସନ୍ଦିପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର