ଚାଷୀକୁ ଘୋର ଅଣଦେଖା: ଖତ ଖାଉଛି ଭ୍ରାମ୍ୟମାଣ ଶାଖା

ବରଗଡ଼ : ଚାଷୀଙ୍କ ସୁବିଧା ପାଇଁ ଜିଲ୍ଲାରେ ଆଉ କିଛି ସୁବିଧା ନାହିଁ। ଚାଷୀର ସୁବିଧା ସକା‌େଶ ଥିବା ଗୋଟିଏ ପରେ ଗୋଟିଏ ବାଟ ବନ୍ଦ କରି ଦିଆଯାଉଛି। ପ୍ରଥମତଃ, ଚାଷୀ ପାଇଁ ଧାନ ବିକ୍ରିର କିଛି ସୁବିଧା ନାହିଁ। ପ୍ରତି ଋତୁରେ ଚା‌ଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ଜିଲ୍ଲାରେ ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନ ପଡ଼ି ରହୁଛି। ଚାଷୀ ଋଣ କରଜ କରି ନିଜ ଗୋଡ଼ରେ ପୁଣି ଛିଡ଼ା ହେବାକୁ ଚେଷ୍ଟା କରୁଥିଲେ ହେଁ ଏଥିପାଇଁ ସହଜ ସୁବିଧାର ଅଭାବ ରହିଛି। ଋଣ ପାଇଁ ଚାଷୀକୁ ମାସାଧିକାଳ ଅପେକ୍ଷା କରିବାକୁ ପଡ଼ୁଛି।

ଚାଷୀକୁ ଏହି ସୁବିଧା ଉପଲବ୍ଧ କରାଇବା ସକାଶେ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଭ୍ରାମ୍ୟମାଣ ଶାଖା ରହିଥିଲା। ଏହି ଗାଡ଼ି ବିଭିନ୍ନ ବ୍ଲକ୍‌ରେ ପହଂଚୁଥିଲା। ସେଠାରେ ଚାଷୀଙ୍କୁ ମଂଜୁର ହୋଇଥିବା ଋଣର ସୀମା, ବିଭିନ୍ନ ଅମାନତ ଓ ଋଣର ସୁଧ ସମେତ ବିଭିନ୍ନ ଯୋଜନା ସଂପର୍କରେ ସୂଚନା ମିଳୁଥିଲା। ଏହାବାଦ୍‌ ଉକ୍ତ ଗାଡ଼ିରେ ଥିବା ଏଟିଏମ୍‌ ମାଧ୍ୟମରେ ଚା‌ଷୀ ଜମା ଓ ଉଠାଣ କରିପାରୁଥିଲେ। ସେହିପରି ଚାଷୀଙ୍କୁ ଋଣ ବି ଦିଆଯାଉଥିଲା। ଫଳରେ ଦୂରଦୂରାନ୍ତରରେ ଥିବା ଚା‌ଷୀଙ୍କ ହାତପାହାନ୍ତାରେ ବ୍ୟାଙ୍କ ସୁବିଧା ମିଳୁଥିଲା।

କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ଗାଡ଼ି ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ପରିସରରେ ଖତ ଖାଉଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଏହି ଗାଡ଼ି ଯୋଗାଇ ଦିଆଯାଇଥିଲା। କିନ୍ତୁ ଗାଡ଼ିଟି ଏବେ ଚାଲିବା ଅବସ୍ଥାରେ ନାହିଁ। ଏଣେ ଖରିଫ ଚାଷ ପାଇଁ ଚାଷୀ ଋଣ କରିବାକୁ ବ୍ୟାଙ୍କ ଶାଖାକୁ ଧାଇଁ ନୟାନ୍ତ ହୋଇ ପଡ଼‌ିଲେଣି। ଏହି ଗାଡ଼ିକୁ ପୁଣି ସକ୍ରିୟ କରି ଚା‌ଷୀଙ୍କୁ ସୁବିଧା ଯୋଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର