ବାଲେଶ୍ବର: ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମ‌ୋବାଇଲ୍‌ ବ୍ୟବହାର ନେଇ ବାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ପଢ଼ା ମନସ୍କ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ନିୟମକୁ କଡ଼ାକଡ଼ି କରାଯାଇଛି। କେବଳ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଜରୁରୀ ସମୟରେ ମୋବାଇଲ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ହେଲେ ଛାତ୍ରଛତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ଆଜିଠାରୁ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ ଯାଞ୍ଚ୍‌ ପାଇଁ ସ୍ବତନ୍ତ୍ର ସ୍କାର୍ଡ ଗଠନ କରାଯାଇଛି। ଏହି ସ୍କାର୍ଡରେ ୨୦ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଇଛି। ପିଲା ମୋବାଇଲ୍‌ ସହ ଧରାପଡ଼ିଲେ ଏନେଇ ବାପାମା’ଙ୍କୁ ଖବର ଦିଆଯିବ। ଅଣ୍ଡରଟେକିଂ ଲେଖିକି ଦେବା ପରେ ଯାଇ ମୋବାଇଲ୍‌ ଦିଆଯିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଯାହା ଜଣାଯାଇଛି, ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ବୃଦ୍ଧି ପାଇଛି। ଛାତ୍ରଛାତ୍ରୀ କ୍ଲାସ୍‌ ଛାଡ଼ି ମୋବାଇଲ୍‌ ଧରି ଏଠିସେଠି ସମୟ ବିତାଉଛନ୍ତି। ଏମିତିକି କ୍ଲାସ୍‌ ଚାଲିଥିବା ବେଳ ଛାତ୍ରଛାତ୍ରୀ ପଛରେ ବସି ମୋବାଇଲ୍‌ ଦେଖୁଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଆଦୌ ମନ‌ ନେଉନାହାନ୍ତି। ପିଲାମାନେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ସେମାନେ ଆଉ କୌଣସି କଥାକୁ ଗୁରୁତ୍ବ ଦେଉନାହାନ୍ତି। ସେହିପରି ମହାବିଦ୍ୟାଳୟର ଯେକୌଣସି ପରିସ୍ଥିତିକୁ ନେଇ ଛାତ୍ରଛାତ୍ରୀ ମୋବାଇଲ୍‌ରେ ଭିଡିଓ କରି ଏହାକୁ ଭାଇରାଲ୍‌ କରୁଛନ୍ତି। ଏହାଦ୍ବାରା ବହୁ ସମୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏହାକୁ ଗୁରୁତ୍ବ ଦେଇ ଅଧ୍ୟକ୍ଷ ଶ୍ରୀ ରଣା ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ ଆଜି ‌‌ଜଣେ ବି ପିଲା ମୋବାଇଲ୍‌ ଆଣିନଥି‌ଲେ। ଏମିତି ପଦକ୍ଷେପ ସବୁ ମହାବିଦ୍ୟାଳୟରେ ନିଆଯିବା ଉଚିତ। କାରଣ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ। ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଅଭିଯୋଗ ପରେ ମୁଁ ଏଭଳି ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀ କ୍ଲାସ୍‌ ନ କରି ମୋବାଇଲ୍‌ ମନସ୍କ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ମୋବାଇଲ୍‌ ବ୍ୟବାହାର କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳ ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

-ପ୍ରଦୀପ ରଣା, ଅଧ୍ୟକ୍ଷ

ଏହା ନିଶ୍ଚିତ ଭାବେ ଭଲ ପଦକ୍ଷେପ। କାରଣ ମୋବାଇଲ୍‌ ପାଇଁ ଛାତ୍ରଛାତ୍ରୀବହୁତ ବିଶୃଙ୍ଖଳିତ ହୋଇଯାଇଛନ୍ତି। ଛାତ୍ରଛାତ୍ରୀଙ୍କ ଭିତରେ ଶୃଙ୍ଖଳିତ ବ୍ୟବହାର ରହୁନାହିଁ। ଯାହାଫଳରେ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ତେଣୁ ପିଲାମାନଙ୍କ ଭଲ ପାଇଁ ଏପରି ନିଷ୍ପତ୍ତି ନିଆଯିବାର ଉଚିତ ହୋଇଛି।

-ଡ.ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ, କନିଷ୍ଠ ମହାବିଦ୍ୟାଳୟ

କ୍ୟାମ୍ପସ୍‌କୁ ମୋବାଇଲ୍‌ ମନା ଏହା ଗୋଟିଏ ପ୍ରକାର ଉଚିତ ପଦକ୍ଷେପ। କାରଣ କିଛି ଛାତ୍ରଛାତ୍ରୀ ମୋବାଇଲ୍‌ର ଦୁରୂପଯୋଗ କରୁଛନ୍ତି। ହେଲେ ଜରୁରୀ ସମୟରେ ମ‌ୋବାଇଲର ବି ଆବଶ୍ୟକତା ରହିଛି। ତେଣୁ କଲେଜ ପକ୍ଷରୁ ଏଥିପାଇଁ କିଛି ବିକଳ୍ପ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।

-ରବି ନାରାୟଣ ମହାନ୍ତି, ଛାତ୍ର

କ୍ୟାମ୍ପସ୍‌କୁ ମୋବାଇଲ୍‌ ମନା ଅତ୍ୟନ୍ତ ସୁନ୍ଦର ପ‌ଦକ୍ଷେପ। କାରଣ ଏହାଦ୍ବାରା ବିଶୃଙ୍ଖଳିତ ଆଚରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା। କ୍ଲାସ୍‌ କରିହେଉନଥିଲା। ବିଶେଷକରି ଏହି ନିୟମ ଲାଗୁହେଲେ ବାଲେଶ୍ବରର ଯେତିକି କଲେଜ ଅଛି ସେମାନଙ୍କ ପାଇଁ ଏହା ଉଦହାରଣ ସୃଷ୍ଟି କରିବ।

-ଦୀପ୍ତିମୟି ସାମନ୍ତରାୟ, ଛାତ୍ରୀ