ଆରମ୍ଭ ହୋଇପାରିଲାନି ‘ଡ୍ରପ୍‌’ ଆପ୍‌ : ୧୦୦ ଜଣ ଡାଉନଲୋଡ୍‌ କଲେଣି ଆପ୍‌

ଭୁବନେଶ୍ୱର : ଗତ ଅକ୍ଟୋବର ମାସରୁ ରାଜ୍ୟରେ ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ରହିଛି ଡାଏବେଟିକ୍‌ ରେଟିନୋପ୍ୟାଥି ଓଡ଼ିଶା ପ୍ରୋଜେକ୍ଟ୍‌ ବା ‘ଡ୍ରପ୍‌’ ଆପ୍‌। ଉଦ୍ଦେଶ୍ୟ ଥିଲା ମଧୁମେହ ସହିତ ଚକ୍ଷୁ ସମସ୍ୟାରେ ଜଡ଼ିତ ରୋଗୀଙ୍କୁ ଚିହ୍ନଟ କରିବା। ମାତ୍ର ଯୋଜନା ଆରମ୍ଭ ହେବାର ୮ମାସରୁ ଅଧିକ ସମୟ ବିତିଲାଣି। ଏହି ଆପ୍‌ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ଫଳରେ ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଆପ୍‌ ଗୁଗୁଲ ପ୍ଲେ ଷ୍ଟୋର ‘ଡ୍ରପ୍‌ ଓଡ଼ିଶା’ ନାଁରେ ଏହି ଆପ୍‌ ଉପଲବ୍ଧ ହେଉଛି। ଏନ୍‌ଆଇସି ସହାୟତାରେ ଏକ ଆପ୍‌ ପ୍ରସ୍ତୁତ କରାଯାଇଛି। ଏ ପର୍ଯ୍ୟନ୍ତ ୧୦୦ଜଣ ଏହି ଆପ୍‌କୁ ଡାଉନଲୋଡ୍‌ କରିସାରିଲେଣି। ଡାକ୍ତରଙ୍କୁ ଦେଖାଇବା ପାଇଁ ‘ଡ୍ରପ୍‌’ ଆପ୍‌ରେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ। ପଞ୍ଜୀକରଣ ପରେ ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିବ। ଆପଏଣ୍ଟମେଣ୍ଟ ବାର୍‌ରେ କ୍ଲିକ୍‌ କରି ନିଜର ମୋବାଇଲ ନମ୍ବର ଦେବାକୁ ହେବ। ପରେ ନିକଟସ୍ଥ କେଉଁ ଡାକ୍ତରଖାନାରେ ଚକ୍ଷୁ ପରୀକ୍ଷା କରିବେ ଓ କେଉଁ ଡାକ୍ତରଙ୍କୁ ଚକ୍ଷୁ ଦେଖାଇବାକୁ ଚାହୁଁଛନ୍ତି ତାହା ଚୟନ କରିବେ। ଏହାସହ କେଉଁ ତାରିଖରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିବେ ତାହା ସଂପର୍କରେ ମଧ୍ୟ ତାଙ୍କୁ ଚୟନ କରିବାର ସୁଯୋଗ ମିଳିବ। ଜଣେ ବ୍ୟକ୍ତି ନିୟମିତ ଭାବେ ନିଜର ଚକ୍ଷୁର ଚେକଅପ୍‌ କରିପାରିବେ। ଯାହାଫଳରେ ପରବର୍ତୀ ସମୟରେ କେଉଁ ଚକ୍ଷୁ ରୋଗୀମାନେ ଅଧାରୁ ଚିକିତ୍ସା ଛାଡ଼ୁଛନ୍ତି କିମ୍ବା ଠିକ୍‌ରେ ଚିକିତ୍ସା କରୁ ନାହାନ୍ତି ସେମାନଙ୍କର ଫଲୋଅପ୍‌ ହୋଇପାରିବ।

ରାଜଧାନୀରେ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଥିଲା। ଭୁବନେଶ୍ୱର, ରାଉରକେଲା ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତାଲିକା ସହିତ ଡାକ୍ତରଙ୍କ ନାଁ ମଧ୍ୟ ଉପଲବ୍ଧ ହେଉଛି। ‘ଡ୍ରପ୍‌’ ଆପ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ବାହାବା ନେଇଥିଲା। ମାତ୍ର ଆପ୍‌ଟି କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକ ଏହା ଜରିଆରେ କୌଣସି ସୁବିଧା ପାଇପାରୁ ନାହାନ୍ତି। କେବେ ଏହା କାର୍ଯ୍ୟକାରୀ ହେବ ତାହା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସ୍ପଷ୍ଟ କରିପାରୁ ନାହାନ୍ତି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆପ୍‌ କାର୍ଯ୍ୟକ୍ଷମ ହେଲେ ଏହାର ଏକ ସର୍ଭେଲାନ୍ସ ବା ତଦାରଖ ଜରୁରୀ। ଏଥିପାଇଁ ଜଣେ ଆଇଟି ଏକ୍ସପର୍ଟଙ୍କ ଆବଶ୍ୟକତା ରହିଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ତେଣୁ ତୁରନ୍ତ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଚେଷ୍ଟା ଜାରି ରହିଛି। ଏକ ଏନ୍‌ଜିଓ ଜରିଆରେ ଆଇଟି ଏକ୍ସପର୍ଟଙ୍କୁ ନିଯୁକ୍ତି ଦେବାକୁ ଯୋଜନା ହୋଇଛି। ଏହା ସଫଳ ହେଲେ ଆସନ୍ତା ମାସ ୧ତାରିଖରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି ସ୍ଥିର ହୋଇଛି। ଅପରପକ୍ଷରେ ମେଡିକାଲ କଲେଜ ବ୍ୟତିତ ଯେଉଁ ଯେଉଁ ଜିଲ୍ଲା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ସେହି ଜିଲ୍ଲାଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରାଯିବ। ଆବଶ୍ୟକ ପଡ଼ିଲେ ଘରୋଇ ଡାକ୍ତରଖାନାକୁ ଏଥିରେ ସାମିଲ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର