ବଲାଙ୍ଗୀର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୋବାଇଲ ବଡ଼ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି। ପୂର୍ବରୁ ମମିତାଙ୍କ ମୋବାଇଲ ପୋଡି ପାଉଁଶ ହୋଇଯାଇଥିବା ନେଇ ପୁଲିସ ସୂଚନା ଦେଇଥିଲା। ହେଲେ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ୍ ଚଣ୍ଡିଙ୍କ ଘରୁ ଯେଉଁ ଧଳା ରଙ୍ଗର ବ୍ୟାଗ୍ ମିଳିଛି, ସେଥିରେ ମଧ୍ୟ ଏକ ମୋବାଇଲ ଫୋନ୍ ରହିଛି।
ତେବେ ଏହି ମୋବାଇଲ ଫୋନ୍ ମମିତାଙ୍କର କି ନୁହେଁ ତାହା ଚିହ୍ନଟ କରିବାକୁ ପୁଲିସ ମମିତାଙ୍କ ପରିବାରକୁ ଡାକିଛି। ମମିତାଙ୍କ ପରିବାର ଲୋକେ ପୁଲିସର ସୂଚନା ପାଇ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି। ଯଦି ଏହା ମମିତାଙ୍କ ମୋବାଇଲ୍ ହୋଇଥାଏ, ତେବେ ବହୁ ବଡ଼ ବଡ଼ିଆଙ୍କ ପାପ ପେଡ଼ି ଖୋଲିବାକୁ ସମର୍ଥ ବୋଲି ଚର୍ଚ୍ଚା ହେଉଛି।
ଗତକାଲି ରାଧେଶ୍ୟାମଙ୍କ ପତ୍ନୀ ଘର ଖଟ ତଳୁ ଏକ ବ୍ୟାଗ୍ ପାଇଥିଲେ। ଏହି ବ୍ୟାଗ୍ରେ ଜିନ୍ସ ପ୍ୟାଣ୍ଟ, କଳା ସାର୍ଟ ଓ ଏକ ମୋବାଇଲ୍ ଫୋନ୍ ଥିବା କୁହାଯାଉଛି । ପୂର୍ବରୁ ମମିତାଙ୍କ ପରିବାର ମଧ୍ୟ ସେ ଭିଭୋ ବ୍ରାଣ୍ଡର ଏକ ନୂଆ ମୋବାଇଲ୍ ଫୋନ୍ କିଣିଥିବା କଥା କହିଥିଲେ। ଅନୁମାନ କରାଯାଉଛି, ଯେଉଁ କାରରେ ମମିତାଙ୍କୁ ଅପହରଣ କରାଯାଇଥିଲା, ସେହି କାରରେ ରହିଯାଇଥିଲା ମମିତାଙ୍କ ବ୍ୟାଗ। ଆଉ ଗୋବିନ୍ଦଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଗଟିକୁ କାରରୁ ନେଇ ନିଜ ଘର ଖଟତଳେ ଲୁଚାଇ ଦେଇଥିଲେ। ସୂଚନାଯୋଗ୍ୟ, ଗୋବିନ୍ଦଙ୍କ ଅତି ଘନିଷ୍ଠ ଡ୍ରାଇଭର ରାଧେଶ୍ୟାମ୍।