ଗଞ୍ଜାମରେ ମାତିଛନ୍ତି ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍‌

ପାତ୍ରପୁର : ଗଞ୍ଜାମ ଜିଲ୍ଲାରେ ମାତିଛନ୍ତି ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍। ଏହି ଗ୍ୟାଙ୍ଗ୍ କେବଳ ବଡ଼ଧରଣର ବ୍ୟାବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛନ୍ତି। ସେଠାରେ ଥିବା ମୂଲ୍ୟବାନ୍ ସାମଗ୍ରୀକୁ ଛାଡ଼ିଦେଇ ବିଭିନ୍ନ ଦାମିକା ଆଣ୍ଡ୍ରଏଡ଼୍ ମୋବାଇଲ୍ ସହ ସିସି କ୍ୟାମେରାର ହାର୍ଡ଼ଡିସ୍କ୍ ବି ନେଇଯାଉଛନ୍ତି। ଗତ ୫ ତାରିଖରେ ‌ଶେରଗଡ଼ର ଏକ ଦୋକାନରୁ ଦୁର୍ବୃତ୍ତମାନେ ୩୦ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଲୁଟିନେଇଥିଲେ। ଏହାର ଏକ ସପ୍ତାହ ପରେ, ଠିକ୍ ସମାନ ଢଙ୍ଗରେ ଜରଡ଼ା ଥାନା ପାତ୍ରପୁର ତଳବସ୍‌ଷ୍ଟାଣ୍ଡ୍‌ରେ ଥିବା ଶୁଭମ୍ ଷ୍ଟୋର୍ ନାମକ ଏକ ବ୍ୟାବସାୟିକ ପ୍ରତିଷ୍ଠାନରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ୩୫୦ରୁ ଅଧିକ ଆଣ୍ଡ୍ରଏଡ଼୍ ମୋବାଇଲ୍ ନେଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ।

ଜରଡ଼ାରେ ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଲୁଟ୍
ଚାର୍ଜର୍, ଖୋଳ ଫୋପାଡ଼ି ପଳାଇଲେ
ଶେରଗଡ଼ରେ ଗତ ସପ୍ତାହରେ ‌ହୋଇଥିଲା ଲୁଟ୍

ଲୁଟେରାମାନେ ଦୋକାନ ପଛପଟ ଗ୍ରିଲ୍‌ କବାଟକୁ ଭାଙ୍ଗି ପଶିବା ପରେ ଥାକରେ ଥିବା ବିଭିନ୍ନ କମ୍ପାନିର ମୋବାଇଲ୍ ଗୁଡ଼ିକୁ ଲୁଟିନେଇଥିଲେ। ଏହାସହ ପ୍ରମାଣ ନଷ୍ଟ କରିବାକୁ ସିସି କ୍ୟାମେରାର ହାର୍ଡ଼ଡିସ୍କ୍ ତାଡ଼ିନେବା ସହ ମୋବାଇଲ୍ ଗୁଡ଼ିକର ଚାର୍ଜର୍ ଓ ଖୋଳ ମୁଣ୍ଡିକେରି ମନ୍ଦିର ନିକଟରେ ଫୋପାଡ଼ି ଦେଇ ପଳାଇଥିଲେ। ତେବେ ଅନ୍ୟ ସମସ୍ତ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରହିଥିଲା। ଏହାସହ କବାଟ ଭାଙ୍ଗିବାକୁ ଆଣିଥିବା ବିଭିନ୍ନ ଧାରୁଆ ଅସ୍ତ୍ର ବି ଛାଡ଼ି ଚମ୍ପଟ୍ ମାରିଥିଲେ।

ଆଜି ସକାଳେ ମାଲିକ ହର୍ଷ ପାଣିଗ୍ରାହୀ ଦ‌ୋକାନ ଖୋଲିବା ପରେ ଲୁଟ୍ ବିଷୟରେ ଜାଣିବାକୁ ପାଇଥିଲେ। ଜରଡ଼ା ଥାନାରେ ଏତଲା ଦେବା ପରେ ପୁଲିସର ଏକ ଟିମ୍ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛି। ଏନେଇ କେସ୍ ନମ୍ବର ୩୫୧ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ତେବ‌େ ମୁଖ୍ୟରାସ୍ତା ଉପରେ ପାଟ୍ରୋଲିଂ ସାଙ୍ଗକୁ ରାତିରେ ଜଣେ‌ ହୋମ୍‌ଗାର୍ଡ଼ ଜଗୁଥିବା ସତ୍ତ୍ବେ ଏଭଳି ଏକ ଘଟଣା ପୁଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର