ସ୍କୁଲରେ ମୋବାଇଲ୍‌ ମନା

ସ୍କୁଲ ସମୟ ପରେ ବ୍ୟବହାର କରିହେବ
ସାଇଲେଣ୍ଟ୍‌ ମୋଡ୍‌ରେ କର୍ମଚାରୀ ରଖିବେ

ଭୁବନେଶ୍ୱର : ଏଣିକି ସ୍କୁଲ କ୍ୟାମ୍ପସରେ ମୋବାଇଲ୍‌ ମନା। ଶିକ୍ଷକ ହୁଅନ୍ତୁ କି ଛାତ୍ରଛାତ୍ରୀ। ଅଥବା ବିଦ୍ୟାଳୟ କର୍ମଚାରୀ। ସ୍କୁଲ ସମୟ ମଧ୍ୟରେ କେହି ବି କ୍ୟାମ୍ପସରେ ମୋବାଇଲ୍‌ ବ୍ୟବହାର କରିପାରିବେ ନାହିଁ। ଏ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗ ଅଧୀନରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଦ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦେଶ ଦେବାକୁ ବି କୁହାଯାଇଛି।

ଗତ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନର ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏପରିକି କିଛି ଦିନ ତଳେ ବିଦ୍ୟାଳୟ ୟୁନିଫର୍ମ ପିନ୍ଧିଥିବା ଦୁଇ ଜଣ ଛାତ୍ର ଓ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଏବେ ତତ୍ପରତା ପ୍ରକାଶ କରାଯାଇଛି। ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସ୍କୁଲ କ୍ୟାମ୍ପସ ଭିତରେ ମୋବାଇଲ୍‌ ବ୍ୟବହାର କରୁଥିବା ବି ନଜରକୁ ଆସିଛି। ଏହାଦ୍ୱାରା ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବି ବାଧା ଉପୁଜୁଛି। କ୍ଲାସ୍‌ ନେଉଥିବା ସମୟରେ ବି ଶିକ୍ଷକମାନେ ମୋବାଇଲ୍‌ ବ୍ୟବହାର କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଛି। ସେମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ଗଣଶିକ୍ଷା ବିଭାଗ ନଜରକୁ ଆସିଥିବାରୁ ଏଭଳି ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ହେବ। ମୋବାଇଲ୍‌ ଦ୍ୱାରା ସେମାନଙ୍କ ମାନସିକତା ବାଧାପ୍ରାପ୍ତ ହେଉଛି। କେତେକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖରାପ ଲାଗି ମଧ୍ୟ ବ୍ୟବହୃତ ହେଉଛି। ଛାତ୍ରୀଙ୍କ ମଧ୍ୟରେ ବି ଭୟ ସୃଷ୍ଟି ହେଉଛି। ତେଣୁ ଶିକ୍ଷାନୁଷ୍ଠାନରେ ମୋବାଇଲ୍‌ ବ୍ୟବହାର ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି। ଏନେଇ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଦୃଷ୍ଟିକୁ ଆଣିବାକୁ ହେବ। ସ୍କୁଲ ସମୟ ମଧ୍ୟରେ କ୍ୟାମ୍ପସ ଭିତରେ କର୍ମଚାରୀ ଓ ଛାତ୍ରଛାତ୍ରୀ ମୋବାଇଲ୍‌ ବ୍ୟବହାର ନ କରିବାକୁ ମୁଖ୍ୟମାନେ ନିର୍ଦେଶ ଦେବେ। କର୍ମଚାରୀମାନେ କ୍ୟାମ୍ପସରେ ଥିବା ସମୟରେ ମୋବାଇଲ୍‌ ଫୋନ୍‌କୁ ସାଇଲେଣ୍ଟ ମୋଡ୍‌ରେ ରଖିବେ। ଅତ୍ୟନ୍ତ ଜରୁରୀ ସମୟରେ ବ୍ୟବହାର କରିପାରିବେ। ବିନା ଆବଶ୍ୟକତା ସମୟରେ ମୋବାଇଲ୍‌ ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।

ସମ୍ବନ୍ଧିତ ଖବର