ଆସିକା : ଗଂଜାମ ଜିଲ୍ଲାର ଅପରାଧର ଅମରାବତୀ ଭାବେ ପରିଚିତ ଆସିକା ସବ୍ଜେଲ୍ ଏବେ ହାର୍ଡକୋର୍ ଅପରାଧୀ, ସୁପାରି କିଲର୍, ଟେଣ୍ଡର୍ ଫିକ୍ସରଙ୍କ ଲାଗି ହଲିଡେ ହୋମ୍ ପାଲଟିଛି। ଜେଲ ଭିତରେ ବେଶ୍ ଅୟସରେ ରହୁଛନ୍ତି ବହୁ ଦୁର୍ଦ୍ଦାନ୍ତ କଏଦୀ। ସେମାନଙ୍କ ବରାଦ ମୁତାବକ ସବୁ ଜିନିଷ ମିଳି ଯାଉଛି ହାତ ପାଖରେ। ଆରାମରେ ରହି ସେମାନେ ନିଜର ନେଟ୍ଓ୍ଵାର୍କ ବି ଚଳାଉଛନ୍ତି। ଆଜି ଜେଲ୍ରେ ହୋଇଥିବା ଅଚାନକ ଚଢ଼ଉରୁ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି।
ଜେଲ୍ କର୍ତ୍ତୃପକ୍ଷଙ୍କୁ ସୂଚନା ନଦେଇ ଆଜି ସକାଳୁ ସକାଳୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଜେଲ୍ ଭିତରେ ଏହି ମିଳିତ ଚଢ଼ଉ ହୋଇଥିଲା। ଅତର୍କିତ ଚଢ଼ାଉ ବେଳେ ପ୍ରଥମେ ଜେଲ୍ ଭିତରୁ ବିପୁଳ ଟଙ୍କା, ଗଂଜେଇ ଓ ଗୁଟ୍ଖା ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଦେଖି ଅଧିକାରୀ ମାନେ ସ୍ତବ୍ଧ ହୋଇ ଯାଇଥିଲେ। ୬ ନମ୍ବର ସେଲ୍ର ପାଇଖାନାରୁ ୪ଟି ମୋବାଇଲ୍ ଓ ବାହାରେ ମାଟି ତଳେ ପୋତା ଯାଇଥିବା ଗୋଟିଏ ମୋବାଇଲ୍, ୨ଟି ଚାର୍ଜର ଜବତ ହୋଇଥିଲା। ଏହାସହ ବିପୁଳ ପରିମାଣର ଗଂଜେଇ, ଗୁଟ୍ଖା ପ୍ୟାକେଟ୍, ସିଗାରେଟ୍, ଦିଆସିଲି ସହ ନଗଦ ୨୦ ହଜାର ୫୭୦ ଟଙ୍କା ମଧ୍ୟ ମିଳିଥିଲା। ତେବେ ନିଶାଦ୍ରବ୍ୟ ସମେତ କଏଦୀଙ୍କ ସେଲ୍ ଭିତରକୁ ଏତେ ପରିମାଣ ଟଙ୍କା କିଭଳି ଗଲା ତାହା ଚିିନ୍ତାର କାରଣ ହୋଇଛି। ଜେଲ୍ କର୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଓ ଜେଲ୍ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।