ଭୋଟ ଗ୍ରହଣ କେନ୍ଦ୍ରକୁ ମୋବାଇଲ୍‌ ମନା, ଭୋଟ ସ˚ଖ୍ୟା ସମାନ ହେଲେ ଲଟେରିରେ ଭାଗ୍ୟ ନିର୍ଧାରଣ

କଟକ : ଆସନ୍ତା ଶୁକ୍ରବାର ହେବାକୁଥିବା ଓସିଏ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ନେବାକୁ ବାରଣ କରାଯାଇଛି। ଏଥିସହିତ କ୍ୟାମେରା କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଭୋଟ ଗ୍ରହଣ କେନ୍ଦ୍ରକୁ ନିଆଯାଇପାରିବନି। ସେସବୁକୁ ପ୍ରବେଶ ପଥ ନିକଟରେ ଦାଖଲ କରିବା ପରେ ଭୋଟରମାନେ ଭିତରକୁ ପ୍ରବେଶ କରିପାରିବେ ବୋଲି ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମଦାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଭୋଟଗ୍ରହଣ କେନ୍ଦ୍ରରେ ନିଶାଦ୍ରବ୍ୟ ସେବନ, କୌଣସି ବିଶୃଙ୍ଖଳା, ସ୍ଲୋଗାନ, ଶାରୀରିକା ଆଘାତ ଦେବା ଭଳି ସାମଗ୍ରୀ ଇତ୍ୟାଦିକୁ ବାରଣ କରାଯାଇଛି। ଭୋଟ ଦେଇ ସାରିବା ପରେ ଭୋଟରମାନେ ଚାହିଁଲେ କେନ୍ଦ୍ର ଛାଡ଼ି ଯାଇପାରିବେ। ଭୋଟ ଗଣତି ସମୟରେ ଯଦି କୌଣସି ପ୍ରାର୍ଥୀଙ୍କ କ୍ଷେତ୍ରରେ ଭୋଟ ସ˚ଖ୍ୟା ସମାନ ରୁହେ, ସେ କ୍ଷେତ୍ରରେ ଲଟେରି ମାଧ୍ୟମରେ ବିଜେତା ନିର୍ଣ୍ଣୟ କରାଯିବ ବୋଲି ନିର୍ବାଚନ ଅଧିକାରୀ ତାଙ୍କ ନିୟମାବଳୀରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଭୋଟଗ୍ରହଣ କେନ୍ଦ୍ରକୁ ଆସିବା ପାଇଁ ନିର୍ବାଚନ ଅଧିକାରୀ ସ୍ବତନ୍ତ୍ର ପାସ୍‌ ଜାରି କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ପାଇଁ ସବୁଜ, ପର୍ଯ୍ୟବେକ୍ଷକଙ୍କ ପାଇଁ ନୀଳ, ଓସିଏ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପିଙ୍କ୍‌, ଭୋଟରଙ୍କ ପାଇଁ ଧଳା ଓ ପ୍ରାଥୀଙ୍କ ପ୍ରତିନିଧିଙ୍କ ପାଇଁ ଗ୍ରେ’ ରଙ୍ଗର ପାସ୍‌ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର