ମୋବାଇଲ ଫୋନ୍, ପେନ୍‌ଡ୍ରାଇଭରେ ରହିଛି ପରକୀୟା ପ୍ରମାଣ! ନଷ୍ଟ କରିଛି ନା ଲୁଚାଇଛି; ଗୁମର ଖୋଲିବ ଗୋବିନ୍ଦ

ଭୁବନେଶ୍ୱର/ବଲାଙ୍ଗୀର : ମମିତା ମେହେରଙ୍କୁ ହତ୍ୟା ଘଟଣାରେ ଯାହା ଅଭିଯୋଗ ହେଉଥିଲା ଓ ଯାହା ଆଶଙ୍କା କରା ଯାଉଥିଲା ଠିକ୍ ସେଇଆ ହିଁ ହେଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ସମ୍ପର୍କରେ ମମିତା ଜାଣିଥିଲେ। ଏପରିକି ମୁଖା ଖୋଲିଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଯାହାର ପରିଣତି ସ୍ବରୂପ ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡ଼ିବା ସହ ପୋତି ଦେଇଥିଲା ଗୋବିନ୍ଦ। ତେବେ ଏହି ପରକୀୟା ପ୍ରୀତିର କେଉଁ ପ୍ରମାଣ ରଖିଥିଲେ ମମିତା? ଏହି ପ୍ରମାଣ ଅଡିଓ ନା ଭିଡିଓ ଥିଲା? ଯାହା ଜଣାପଡ଼ୁଛି ଏହି ସବୁ ପ୍ରମାଣ ମମିତା ନିଜ ମୋବାଇଲ ଫୋନ୍ ଓ ପେନ୍‌ ଡ୍ରାଇଭରେ ରଖିଥିଲେ। ଯାହା ଏଯାଏ ପୁଲିସ ହାତରେ ଲାଗିନାହିଁ। ଗତ ୮ ତାରିଖରେ ମମତାଙ୍କୁ ହତ୍ୟା କରାଯିବା ଦିନ ହିଁ ତାଙ୍କର ମୋବାଇଲ ଫୋନ୍ ଓ ପେନଡ୍ରାଇଭ୍ ଗାଏବ ହୋଇଯାଇଛି। ଗୋବିନ୍ଦ ଏହାକୁ ଲୁଚାଇ ରଖିଛି କିମ୍ବା ନଷ୍ଟ କରିଦେଇଛି ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ମମିତା ଜଣେ ସାଙ୍ଗଙ୍କ ସହ ମିଶି ଏକ ଫେକ୍ ଫେସବୁକ୍ ଆଇଡି ତିଆରି କରିଥିଲେ। ଏହି ଆଇଡିରେ କଲେଜ ସହ ଜଡ଼ିତ ପିଲା, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଗୋବିନ୍ଦଙ୍କ ଚିହ୍ନା ପରିଚିତ ଲୋକଙ୍କୁ ଯୋଡ଼ିବାରେ ଲାଗିଥିଲେ। ଫେସ୍‌ବୁକ୍‌ରେ ସାଙ୍ଗମାନଙ୍କ ସଂଖ୍ୟା ବଢ଼ିଥିଲେ ମମିତା ଗୋବିନ୍ଦଙ୍କ ମୁଖା ଖୋଲିଥାନ୍ତେ ବୋଲି ତାଙ୍କର ଜଣେ ସାଙ୍ଗଙ୍କ ଅଡିଓ ରେକର୍ଡରୁ ଜଣାପଡ଼ିଛି। ମୋବାଇଲ ଫୋନ୍ ଓ ପେନ୍‌ଡ୍ରାଇଭରୁ ପୁଲିସକୁ ଅନେକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ଏହା ଏବେ କେଉଁଠି ସେ ନେଇ ତନାଘନା ଆରମ୍ଭ କରିଛି ତଦନ୍ତକାରୀ ଟିମ୍। ଗୋବିନ୍ଦକୁ ଜେରା ପରେ ସେ ହିଁ କହିବ ମୋବାଇଲ ଓ ପେନଡ୍ରାଇଭକୁ କେଉଁଠି ଲୁଚାଇଛି ନା ନଷ୍ଟ କରି ଦେଇଛି। ଅନ୍ୟପକ୍ଷରେ ମମିତା ଗୋବିନ୍ଦର ଯେଉଁ ପରକୀୟା ପ୍ରୀତି ସମ୍ପର୍କରେ ଜାଣିଥିଲେ, ତାହା ତାଙ୍କ ସାଙ୍ଗଙ୍କ ନିକଟରେ କହିଥିଲେ। ତେଣୁ ସାଙ୍ଗଙ୍କୁ ମଧ୍ୟ ସାକ୍ଷୀ ହିସାବରେ ନେଇ ପୁଲିସ ତାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ଏହି ସାଙ୍ଗ କିଏ ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କିନ୍ତୁ ଘଟଣା ପରେ ମମିତାଙ୍କର ଏକାଧିକ ସହକର୍ମୀଙ୍କର ମୋବାଇଲ ଫୋନ୍ ସୁଇଚ୍ ଅଫ୍ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର