ମାଲକାନଗିରି: ଦୋକାନରେ ସିନ୍ଧି ଖୋଳି ‌ଦେଢ଼ କୋଟିରୁ ଅଧିକ ଟଙ୍କାର ମୋବାଇଲ ନେଇ ଯାଇଛନ୍ତି ଲୁଟେରା। ପୁଲିସ ତଦନ୍ତ ଆରମ୍ଭ କରି ୩ ଲୁଟେରାଙ୍କ ସନ୍ଧାନ ଆରମ୍ଭ କରିଛି। ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିବା ସହ ସନ୍ଦିଗ୍ଧଙ୍କୁ ପଚରାଉଚୁରା କରୁଛି। ମାଲକାନଗିରି ଥାନାଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ରହିଛି ଜିଲ୍ଲାର ସବୁଠାରୁ ବଡ଼ ମୋବାଇଲ ଦୋକାନ ଓମ୍‌ ମୋବାଇଲ କେୟାର୍‌। ଦୋକାନରେ ପ୍ରାୟ ୨ କୋଟି ଟଙ୍କାର ମୋବାଇଲ ରହିଥିଲା। ଗତକାଲି ରାତି ପ୍ରାୟ ୩ଟାରେ ଦୋକାନର ପଛପଟ କାନ୍ଥରେ ଦୁଇ ଫୁଟ୍‌ ଲମ୍ବା ଏବଂ ଦୁଇ ଫୁଟ୍‌ ଓସାର କଣା କରି ଜଣେ ଲୁଟେରା ଭିତରେ ପଶିଥିଲା। ୭ଟି ବସ୍ତାରେ ଦାମୀ ମୋବାଇଲ ଭର୍ତ୍ତି କରି ବାହାରକୁ ଆଣିଥିଲା। ତେବେ ତରବରିଆ ଭାବେ ଘଟଣାସ୍ଥଳ ଛାଡ଼ିଥିବାରୁ ଗୋଟିଏ ବସ୍ତା ଦୋକାନ ନିକଟରେ ରହିଯାଇଥିଲା। ଆଜି ସକାଳେ ମାଲିକ ଦୀପଙ୍କର ସରକାର ଦୋକାନ ଖୋଲିବା ବେଳେ ଭିତରେ ମୋବାଇଲ୍‌ ଛିନ୍‌ଛତ୍ର ହୋଇ ପଡ଼ିଥିବା ଏବଂ ଦୋକାନ ପଛପଟ କାନ୍ଥରେ କଣା ଦେଖି ପୁଲିସକୁ ଖବର ଦେଇଥିଲେ। ୨୦ହଜାରରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ ଚୋରି ହୋଇଥିବା ସୂଚନା ମିଳିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଦେଢ଼ କୋଟି ଟଙ୍କାର ମୋବାଇଲ ଚୋରି ହୋଇଛି।

Advertisment

ଷ୍ଟକ୍‌ ସଂପୂର୍ଣ୍ଣ ଯାଞ୍ଚ ହେବା ପରେ ଚୋରି ମୋବାଇଲର ପ୍ରକୃତ ମୂଲ୍ୟ ଜଣାପଡ଼ିବ। ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ କିଛି ସୁରାକ ପାଇଛନ୍ତି। ବିଶ୍ବସ୍ତ ସୂତ୍ର ଅନୁସାରେ, କିଛି ଦିନ ହେଲା ଦୋକାନରେ ରେକି କରିଥିଲେ ୩ ଲୁଟେରା। ଲୁଟ୍‌ର କିଛି ଘଣ୍ଟା ପୂର୍ବରୁ ଦୋକାନ ପଛପଟେ ପ୍ଲାଷ୍ଟିକ୍‌ ମସିଣା ପକାଇ ମଦ୍ୟପାନ କରିଥିଲେ ଏବଂ ଏହା ପରେ ଡ୍ରିଲିଂ ମେସିନ୍‌ରେ ଦୋକାନର କାନ୍ଥକୁ କଣା କରିଛନ୍ତି। ଘଟଣାସ୍ଥଳରେ ଉକ୍ତ ଡ୍ରିଲିଂ ମେସିନ୍‌କୁ ଛାଡ଼ି ଯାଇଛନ୍ତି ଦୁର୍ବୃତ୍ତ। ମେସିନ୍‌କୁ ଯାଞ୍ଚ କରିବାରୁ ତାହା ବିଦେଶୀ ନିର୍ମିତ ଏବଂ ଆଦୌ ଶବ୍ଦ କରିନଥାଏ। ଏହି ମେସିନ୍‌ ଲୁଟେରାଙ୍କ ପାଖକୁ କେମିତି ଆସିଲା ଖୋଳତାଡ଼ କରୁଛି ପୁଲିସ। ସେହିପରି ମେସିନ୍‌ରେ କାନ୍ଥ କଣା ହୋଇ ନଥିଲେ, ବାରୁଦ ଲଗାଇ ବିସ୍ଫୋରଣ କରିବାକୁ ଯୋଜନା ଥିଲା। ଘଟଣାସ୍ଥଳରୁ ବାରୁଦ ଏବଂ ଡିଟୋନେଟର ମଧ୍ୟ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ୍‌ ସଂଗ୍ରହ କରି ପୁଲିସ ଯାଞ୍ଚ କରୁଛି। ଚୋରି ମୋବାଇଲ୍‌ର ଆଇଏମ୍‌ଆଇ ନମ୍ବର ଆଧାରରେ ଲୁଟେରାଙ୍କ ନିକଟରେ ପହଞ୍ଚିବ ବୋଲି ପୁଲିସ ଆଶା ରଖିଛି।