ଭୁବନେଶ୍ବର : ‘ଫନି’ ପ୍ରଭାବରେ ପୁରୀ, ଭୁବନେଶ୍ବର ଓ କଟକରେ ମୋବାଇଲ୍ ସେବାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି। କାଁ ଭାଁ କିଛି ଜାଗା ଛାଡ଼ିଦେଲେ ସବୁ ସ୍ଥାନରେ କୌଣସି ମୋବାଇଲ୍ ନେଟ୍ୱର୍କ କାମ କରୁନି। ଗତକାଲି ବାତ୍ୟା ପରେ ବହୁ ସ୍ଥାନରେ ବିଏସ୍ଏନ୍ଏଲ୍ ନେଟ୍ୱର୍କ କାମ କରୁଥିଲେ ବି ଆଜି କାମ କରୁନି। ଫଳରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇଣ୍ଟର୍ନେଟ୍ ବି କାମ କରୁନି। ଫଳରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଭୀଷଣ ଭାବେ ପ୍ରଭାବିତ େହାଇଛି। ଆଜି ବାତ୍ୟା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍, ବ୍ୟାଙ୍କ ଖୋଲା ରହିଥିଲେ ବି ଇଣ୍ଟର୍ନେଟ୍ ନ ଥିବାରୁ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ।
ପୁରୀ ଓ ଭୁବନେଶ୍ବରରେ ହାତଗଣତି କିଛି ମୋବାଇଲ୍ ଟାୱାର୍କୁ ବାଦ୍ ଦେଲେ ଅଧିକାଂଶ ଭାଙ୍ଗିଯାଇଛି। ଟାୱାର୍ଗୁଡ଼ିକୁ ମରାମତି କରି ମୋବାଇଲ୍ ସେବା ଯୋଗାଇବା ଏବେ ବିଏସ୍ଏନ୍ଏଲ୍ ସମେତ ସବୁ ଘରୋଇ କମ୍ପାନି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ବିଏସ୍ଏନ୍ଏଲ୍ ସେବାକୁ ତୁରନ୍ତ ସ୍ବାଭାବିକ କରିବା ପାଇଁ ଆଜି ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମା ଆଜି ଏ ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି। ବିଏସ୍ଏନ୍ଏଲ୍ ସେବା ତୁରନ୍ତ ସ୍ବାଭାବିକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କ୍ୟାବିନେଟ୍ ସଚିବ ଜଣାଇଛନ୍ତି।
ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି, ମୋବାଇଲ୍ ସେବା ତୁରନ୍ତ ଆରମ୍ଭ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଘରୋଇ କମ୍ପାନି ଓ ବିଏସ୍ଏନ୍ଏଲ୍ର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି।