ଆଜିଠାରୁ ସ୍ବାଭିମାନ ଅଂଚଳରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଲୋକେ ଏକ ପ୍ରକାର ବିଛିନ୍ନ ହୋଇ ରହିଥିଲେ। ଗତ ସାତ ଦଶନ୍ଧି ଧରି ଲୋକେ ସରକାରୀ ଯୋଜନା କ’ଣ ଏବଂ ବିକାଶ କ’ଣ ଜାଣି ନଥିଲେ। ତେବେ ଗତ ଦୁଇ ବର୍ଷ ତଳେ ଗୁରୁପ୍ରିୟା ସେତୁ ହେବା ପରେ ସ୍ବାଭମାନ ଅଂଚଳକୁ ବିକାଶର ପାଦ ପଡିଲା। ଏଥିରେ ଜିଲ୍ଲା ପ୍ରଶାସନ,ପୁଲିସ ଏବଂ ବିଏସଏଫର ମିଳିତ ଉଦ୍ୟମରେ ସଫଳ ହୋଇପାରିଛି। ସ୍ବାଭିମାନ ଅଂଚଳରେ ଧୀରେ ଧୀରେ ସମସ୍ତ ମୌଳିକ ସୁବିଧା ପହଞ୍ଚିପାରୁଥିବା ବେଳେ ପକ୍କା ରାସ୍ତା ମଧ୍ୟ ନିର୍ମାଣ ଏକ ପ୍ରକାର ସମାପ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଲୋକେ ପିଚୁ ରାସ୍ତାରେ ଚାଲିବେ। ଯେଉଁଠି କେବଳ ପାଦ ଚଲା ରାସ୍ତା ହିଁ ଥିଲା ସେଠି ଏବେ ପିଚୁ ରାସ୍ତା ନିର୍ମାଣ କରୁଛି ପ୍ରଶାସନ। ଏଥିସହ ଯୋଡି ହୋଇଛି ଯୋଗାଯୋଗର ବ୍ୟବସ୍ଥା।

ଆଜିଠାରୁ ମୋବାଇଲ ସେବା ସ୍ବାଭିମାନ ଅଂଚଳରେ ଆରମ୍ଭ ହୋଇଛି। ଲୋକଙ୍କ ଖୁସି କହିଲେ ନସରେ। ପୁରୁଷ ପୁରୁଷ ଧରି ଲୋକେ ଯେଉଁ ସ୍ବପ୍ନ ଦେଖୁଥିଲେ ଆଜି ତାହା ସତ ହୋଇଛି।ସ୍ବାଭିମାନ ଅଂଚଳକୁ ପୁଲିସ ଡିଆଇଜି ସଫିନ ଅହମ୍ମଦଙ୍କ ଗସ୍ତ ହିଁ ଆଜି ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ଯୋଗାଯୋଗର ବାଟ ଫିଟାଇଛି। ସ୍ବାଭିମାନ ଅଂଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଏଠାରେ ଯୋଗାଯୋଗ ପାଇଁ କୌଣସି ମାଧ୍ୟମ ନଥିଲା। ଡିଆଜି ସଫିନ ଅହମ୍ମଦ ପ୍ରଥମେ ବିଏସଏନଏଲ ଏବଂ ପରେ ଜିଓର କର୍ମକର୍ତ୍ତାଙ୍କ ସହ ସାକ୍ଷାତକରି ଏଠାରେ ଟାଵାର ବସାଇବା ନେଇ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ଏହି ଦୁଇ କମ୍ପାନୀ ଏହି ଅଂଚଳରେ ଟାଵାର ବସାଇବା ନେଇ ଅମଙ୍ଗ ହୋଇଥିଲେ। ପରେ ଡିଆଇଜି ଏୟାରଟେଲର ମୁଖ୍ୟ ଅଫିସ ସହ ଯୋଗାଯୋଗ କରି କିପରି ସ୍ବାଭିମାନ ଅଂଚଳରେ ଯୋଗାଯୋଗର ବ୍ୟବସ୍ଥା କରିବେ ସନେଇ ଉଦ୍ୟମ ଆରମ୍ଭ କରି ଆଜି ସଫଳ ହୋଇଛନ୍ତି। ସ୍ବାଭିମାନ ଅଂଚଳର ସାତୋଟି ସ୍ଥାନରେ ମୋବାଇଲ ଟାଵାର ବସାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।ଆଜି ଯଡାମ୍ବ,ହନ୍ତାଳଗୁଡା,ଜାନବାଇ ଏବଂ ଜନ୍ତାପାଇ ଠାରେ ମୋବାଇଲ ସେବା ଆରମ୍ଭ ହୋଇଛି।ଆଗାମୀ ଦିନରେ ଟିତ୍ରକୋଣ୍ଡା,ଡାଇକ-୩ ଏବଂ ଟନେଲ କ୍ୟାମ୍ପରେ ଏହି ସେବା ଆରମ୍ଭ ହେବ। ଏୟାରଟେଲ୍ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି।

ଆଜି ଯୋଗାଯୋଗର ବ୍ୟବସ୍ଥା ସମ୍ଭବ ହେବା ପରେ ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ଏହା ଥିଲା ନୂତନ ସକାଳ ବୋଲି ଲୋକେ କହିଛନ୍ତି।ଗୁରୁପ୍ରିୟା ହେବ ହେବ  ବୋଲି ଯେଉଁ ସ୍ବପ୍ନ ଦେଖୁଥିଲେ,ତାହା ସତ୍ୟ ହେବା ପରେ ଏବେ ସ୍ବାଭିମାନ ଅଂଚଳରେ ସବୁ ସମ୍ଭବ ହୋଇପାରିବ ବୋଲି କୁହାଯାଇଛି।ତେବେ ଏଥିରେ ବିଏସଏଫ,ପୁଲିସର ଅବଦାନ ଅତୁଳନୀୟ।ସ୍ବାଭିମାନ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପରେ ସରକରା ସ୍ବାଭିମାନ ଅଂଚଳକୁ ପଶିପାରିଥିଲେ। ନଚେତ ଏଠାକୁ ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କର ପାଦ ହିଁ ପଡୁନଥିଲା।ଲୋକେ ନିଜର ଭାଗ୍ୟକୁ ଆଦରି ପଡି ରହିଥିଲେ।ନକ୍ସଲଙ୍କ ଗୁଲାମି କରିବା ଛଡା ଅନ୍ୟଗତି ନଥିଲା।ଏବେ ଲୋକେ ମଧ୍ୟ ସଚେତନ ହେଲେଣି।ଆଗକୁ ନକ୍ସଲକୁ ସମର୍ଥନ କରିବେ ନାହିଁ ବୋଲି ସଫା ସଫା କହିଲେଣି।ତେଣୁ ଗତକାଲି ଯଡାମ୍ବ ଠାରେ ଶତାଧିକ ଲୋକ ଏକତ୍ରିତ ହୋଇ ନକ୍ସଲଙ୍କୁ ସ୍ବାଭିମାନ ଅଂଚଳରେ ପଶାଇ ନଦେବା ପାଇଁ ଆହ୍ବାନ କରିଛନ୍ତି।ଏଥିପାଇଁ ସମସ୍ତ ସ୍ବାଭିମାନ ଅଂଚଳର ପଞ୍ଚାୟତବାସୀଙ୍କ ସହଯୋଗ ଏକାନ୍ତକାମ୍ୟ ବୋଲି କୁହାଯାଇଛି। ସମସ୍ତଙ୍କ ସହଯୋଗ ହେଲେ ଏଠାରେ ବିକାଶ ହୋଇପାରିବ। ନକ୍ସଲ ବିକାଶ ଠାରୁ ଆମକୁ ଦୁରେଇ ଦେଇ ସେମାନଙ୍କର ହିଂସାତ୍ମକ ଆଇନକାନୁନ ଲାଗୁ କରୁଛନ୍ତି। ଗରିବ ଆଦିବାସୀଙ୍କ ପାଇଁ ଲଢୁଥିବା କହି ସେମାନଙ୍କୁ ହିଁ ହତ୍ୟା କରୁଛନ୍ତି।ଯାହାକୁ ଆମେ ଆଉ ସହିବା ନାହିଁ ବୋଲି ଲୋକେ କହିଲେଣି।ଆଜି ବିଏସଏଫ ,ପୁଲିସ ଏବଂ ଜିଲ୍ଲାପାଳ ସ୍ବାଭିମାନ ଅଂଚଳରେ ମୋବାଇଲ ସେବା ଆରମ୍ଭ ନେଇ ସଚନା ପ୍ରଦାନ କରିଛନ୍ତି।ବିଏସଏଫଙ୍କ ସୁରକ୍ଷାରେ ମୋବାଇଲ ଟାଵାର ରହିଛି।ନକ୍ସଲଙ୍କ ନାଲି ଆଖି ଆଉ ଚଳିବ ନାହିଁ ବୋଲି କୁହାଯାଇଛି।ଏହି ଟାଵାର ଯୋଗୁଁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହାର ଫାଇଦା ଉଠାଇପାରିବେ ବୋଲି କୁହାଯାଇଛି।ସ୍ବାଭିମାନ ଅଂଚଳର ଲୋକେ ଆଜିର ସକାଳକୁ କେବେ ମଧ୍ୟ ଭୁଲିପାରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର