କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଲୋକାପଡ଼ା ଗ୍ରାମରେ ଆୟୋଜିତ ମା ଖମ୍ବେଶ୍ୱରୀ ଯାତ୍ରାରେ ମୋବାଇଲ ଚୋରି କରୁଥିବା ଦୁଇ ଜଣ ପିସ୍ତଲଧାରୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ବୌଦ୍ଧ ଜେଲକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ସୋମବାର ରାତିରେ ଖମ୍ବେଶ୍ୱରୀ ଯାତ୍ରା ଉଦଯାପନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଭିଡ଼ର ସୁଯୋଗ ନେଇ ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ଗ୍ରାମର ଲକ୍ଷ୍ମଣ ପ୍ରସାଦ ଲୁହା (୨୨) ଏବଂ ଦେବାଶିଷ ମହାନନ୍ଦ (୨୩) ଗହଳି ମଧ୍ୟରେ ସ୍ଥାନୀୟ ଷାଣ୍ଢପାଲି ଗ୍ରାମର ରତ୍ନାକର ଷାଣ୍ଢ ଓ ସରୋଜ ଷାଣ୍ଢଙ୍କଠାରୁ ୨ଟି ମୋବାଇଲ ଚୋରି କରି ନେଇଥିଲେ।
ଏକଥା ଜଣାପଡ଼ିଯିବା ପରେ ସେଠାରେ ଉପସ୍ଥିତ ଲୋକେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତମାନେ ପାଖରେ ରଖିଥିବା ପିସ୍ତଲ କାଢି ଗୁଳି କରିଦେବାକୁ ଧମକ ଦେଇ ସେଠାରୁ ପଳେଇବାକୁ ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ସେମାନଙ୍କ ନିକଟରୁ ଏକ ଗୁଳି ଭର୍ତ୍ତି ପିସ୍ତଲ ଓ ୨ଟି ମୋବାଇଲ୍ ଜବତ କରିବା ସହ ଉଭୟଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା।