ମୋବାଇଲ୍ ଟାୱାର ପାଇଁ ଛାତ ଦେବାକୁ ଲୋକେ ନାରାଜ

ଆଗକୁ ବଡ଼ ନୁହେଁ, ଅଧିକ ‘ପୋଲ୍ ଟାୱାର’ ବସାଯିବ, ରସୁଲଗଡ଼ର ୫ ଏକର ଜମିକୁ ୧୦୦ କୋଟି‌ରେ ବିକିବ ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ବର : ବାତ୍ୟା ଫନି ପରେ ମୋବାଇଲ୍ କଂପାନିଗୁଡ଼ିକ ନୂଆ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି। ଟାୱାର ବସାଇବା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ମୋବାଇଲ ଟାୱାର ବସାଇବା ଲାଗି ନିଜର ଛାତ ଦେବାକୁ ଲୋକମାନେ ରାଜି ହେଉନାହାନ୍ତି। ଏବେ ସ୍ଥିତି ଏଭଳି ହୋଇଛି ଯେ ଟାୱାର ବସାଇବା ପ୍ରସ୍ତାବ ନେଇ ଲୋକମାନଙ୍କ ପାଖକୁ ଯାଉଥିବା କଂପାନି ଅଧିକାରୀଙ୍କୁ ଗାଳିମନ୍ଦ ଶୁଣିବାକୁ ପଡ଼ୁଛି। ବାତ୍ୟାରେ ଅନେକ ଟାୱାର ଭାଙ୍ଗି ଯାଇଥିଲା। ସେହି ଟାୱାର ଭାଙ୍ଗି ଯେଉଁ ସ୍ଥାନରେ ପଡ଼ିଥିଲା‌, ସେଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଟାୱାର ପାଇଁ ଛାତ ଦେବାକୁ ଲୋକମାନେ ଅମଙ୍ଗ ହେବାର ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।

ଏହି ସମସ୍ୟା ବିଷୟରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌),ଓଡ଼ିଶା ସର୍କଲ୍‌ର ସିଜିଏମ୍ ଡକ୍ଟର ଉଦୟ ଶଙ୍କର ପଣ୍ଡା କହିଛନ୍ତି ଯେ, ଭୁବନେଶ୍ବର ଭଳି ସହରରେ ଆମକୁ ଟାୱାର ବସାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ସାଧାରଣ କୋଠା ଅଥବା ଆପାର୍ଟମେଣ୍ଟ୍‌,କୌଣସି କୋଠାର ଛାତ ମିଳୁନାହିଁ। ଦିନ ଥିଲା ଲୋକମାନେ ନିଜ ଆଡ଼ୁ ଟାୱାର ବସାଇବାକୁ ପ୍ରସ୍ତାବ ଦେଉଥିଲେ। ବାତ୍ୟା ପରେ କିନ୍ତୁ ସ୍ଥିତି ବଦଳିଯାଇଛି।

ସହରାଞ୍ଚଳରେ ସାଧାରଣତଃ ‌ବଡ଼ କୋଠା ଘରଗୁଡ଼ିକର ଛାତ ଉପରେ ମୋବାଇଲ୍‌ ଟାୱାରଗୁଡ଼ିକୁ ବସାଯାଇଥାଏ। ବାତ୍ୟା ସମୟରେ ବିଏସ୍‌ଏନ୍‌ଏଲ୍‌ର ୫୦ଟି ଟାୱାର ଭାଙ୍ଗି ଯାଇଥିଲା। ସେଗୁଡ଼ିକ ସବୁ ବଡ଼ ଟାୱାର ଥିଲା। ସେହି ସବୁ ଟାୱାର ବସାଇବାରେ ମୋଟା ଅଙ୍କର ଖର୍ଚ ହୋଇଥିଲା। ଟାୱାରଗୁଡ଼ିକ ଭାଙ୍ଗିଯିବା ପରେ କଂପାନି ବିପୁଳ କ୍ଷତି ସହିଛି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ତରଫରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ବଡ଼ ଟାୱାର ବଦଳରେ ‘ପୋଲ୍ ଟାୱାର’ ବସାଇବା ଉପରେ କଂପାନି ଅଧିକ ଧ୍ୟାନ ଦେଉଛି। ପୋଲ୍ ଟାୱାରଗୁଡ଼ିକ ଆକାରରେ ଛୋଟ ଏବଂ ସେଗୁଡ଼ିକର କ୍ଷମତା (କାପାସିଟି) ମଧ୍ୟ କମ୍। ଗୋଟିଏ ପୋଲ୍‌ ଟାୱାର ବସାଇବା ପାଇଁ ମାତ୍ର ଲକ୍ଷେ ଟଙ୍କା ଖର୍ଚ ହେଉଛି। ସେଗୁଡ଼ିକୁ ଛାତ ଉପରେ ବସାଇବାର କୌଣସି ଆବଶ୍ୟକତା ନାହିଁ। ମାଟି ଉପରେ ଯେକୌଣସି କମ୍ ଉଚ୍ଚତା ବିଶିଷ୍ଟ ସ୍ଥାନରେ ସେଗୁଡ଼ିକୁ ସ୍ଥାପନ କରାଯାଇପାରୁଛି। ବର୍ତ୍ତମାନ ସୁଦ୍ଧା କଂପାନି ତରଫରୁ ୧୯ଟି ପୋଲ୍‌ ଟାୱାର ସ୍ଥାପନ କରାଯାଇସାରିଲାଣି। ଆଗାମୀ ଦିନରେ ଅଧିକରୁ ଅଧିକ ପୋଲ୍ ଟାୱାର ବସାଇବା ଉପରେ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ୬୦୦ ନୂଆ ଟାୱାର ବସାଇବାକୁ କଂପାନିକୁ ସରକାର ଅନୁମତି ଦେଇଥିଲେ। ଯେହେତୁ କଂପାନିର ଆର୍ଥିକ ସ୍ଥିତି ଆଦୌ ଭଲ ନାହିଁ, ସେଥିପାଇଁ ଆଗାମୀ ୩-୪ ମାସ ପର୍ଯ୍ୟନ୍ତ ନୂଆ ଟାୱାର ସ୍ଥାପନ କରିବାର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ବିଏସ୍‌ଏନ୍‌ଏଲ୍‌ ବନ୍ଦ ହୋଇଯିବ ବୋଲି ଗଣମାଧ୍ୟମରେ ଯେଉଁ ଖବର ସବୁ ପ୍ରକାଶ ପାଉଛି ତାହାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଗ୍ରାହକମାନଙ୍କୁ ବିଏସ୍‌ଏନ୍‌ଏଲ୍‌ କେବବି ନିରାଶ କରିବ ନାହିଁ। ସେମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେ କହିଲେ, ପା‌ଣ୍ଠି ଯୋଗାଡ଼ କରିବା ପାଇଁ ବିଭିନ୍ନ ଯୋଜନା ଉପରେ କାର୍ଯ୍ୟ ଜାରି ରହିଛି। ଦେଶର ପ୍ରମୁଖ ସ୍ଥାନଗୁଡ଼ିକରେ ଥିବା ଖାଲି ଜମିକୁ ବିକ୍ରି କରି ୨୦ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଯୋଜନାର ଏକ ଅଂଶ ଭାବେ ରସୁଲଗଡ଼ ଠାରେ ଥିବା ଏକ ପାଞ୍ଚ ଏକର ଜମିକୁ ବିକ୍ରି କରିବାକୁ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ସର୍କଲ୍ ତରଫରୁ ପ୍ରସ୍ତାବ ଦିଆଯାଇଛି। ସେହି ଜମି ବିକ୍ରି ହେଲେ ୧୦୦ କୋଟିରୁ ଅଧିକ ଟଙ୍କା ମିଳିପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଯଦି ସବୁ କିଛି ଠିକ୍ ରହିବ ତେବେ ଚଳିତ ଆର୍ଥିକ ବର୍ଷରେ କଂପାନି ୪ଜି ସେବା ଆରମ୍ଭ କରିବ। ୪ଜି ପାଇଁ ଅନୁମତି ମିଳିଲେ ରାଜ୍ୟରେ କଂପାନି ୫୦୦ କୋଟି ଟଙ୍କା ନିବେଶ କରିପାରିବ ବୋଲି ସେ କହିଛନ୍ତି।

ଆଜି କଂପାନି ତରଫରୁ ଗ୍ରାହକ ସେବା କେନ୍ଦ୍ରରେ ଆଧାର କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସାରା ଭାରତରେ କଂପାନି ଏଭଳି ୩୦୦୦ଟି ଏବଂ ଓଡ଼ିଶାରେ ୯୫ଟି କେନ୍ଦ୍ର ସ୍ଥାପନ କରିବ। ଅଗଷ୍ଟ ମଧ୍ୟ ଭାଗ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟାଳୟରେ ଏହି କେନ୍ଦ୍ର ଖୋଲାଯିବ। ଆସନ୍ତା ୩-୫ ମାସ ଭିତରେ ସବୁ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ଆଧାର କେନ୍ଦ୍ରରେ ଲୋକମାନେ ମାଗଣାରେ ନୂଆ ଆଧାର କାର୍ଡ ପାଇପାରିବେ ଓ ପୁରୁଣା କାର୍ଡର ତଥ୍ୟକୁ ୫୦ ଟଙ୍କା ଦେଇ ଅପ୍‌ଡେଟ୍‌ କରିପାରିବେ। ଏହି ସବୁ କେନ୍ଦ୍ର ଖୋଲିବା ପାଇଁ କଂପାନି ପକ୍ଷରୁ ରାଜ୍ୟରେ ୩ କୋଟି ଟଙ୍କା ବିନିଯୋଗ କରାଯିବ।

ଆସନ୍ତା ଦୁଇ ବର୍ଷ ଭିତରେ ଦେଶରେ ୫ଜି ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ୫ଜି ଉପରେ ବିଏସ୍‌ଏନ୍‌ଏଲ୍‌ ନଜର ରଖିଛି। ଏହା ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଆସନ୍ତା ଅଗଷ୍ଟ ମଧ୍ୟ ଭାଗ ସୁଦ୍ଧା ଫାଇବର୍‌ ଅପ୍‌ଟିକ୍ ସେବା ପହଞ୍ଚାଇବ। ସେଥିରେ ଲୋକମା‌ନେ କ୍ଷୀପ୍ର ଗତିରେ ଇଣ୍ଟରନେଟ୍‌ ସେବା ପାଇବେ। ୫ଜି ସେବା ପାଇଁ ଆମେ ନିଜର ଭିତ୍ତିଭୂମିକୁ ଏବେଠାରୁ ସୁଦୃଢ଼ କରୁଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ଅବସରରେ କଂପାନି ପକ୍ଷରୁ ନୂଆ ‘ସୁପର ୮୧’ ପ୍ଲାନ୍ ଭାଉଚର୍‌ ଓ ଏସ୍‌ଟିଭି ୫୯୧କୁ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର