ମୋବାଇଲରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଂ ଗତବର୍ଷ ତୁଳନାରେ ୩୧୫% ବୃଦ୍ଧି

ଡିସେମ୍ବର ସୁଦ୍ଧା ୯.୬ଲକ୍ଷ ଟିକେଟ୍‌ ବୁକିଂ, ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ସବୁଠାରୁ ଆଗରେ

ଭୁବ‌ନେଶ୍ବର : ଅନ୍‌ଲାଇନ ସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ ବୁକିଂ ବ୍ୟତୀତ ଏବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ ବକିଂ ପାଇଁ ପଦକ୍ଷେପ ନିଆଯାଇଛି। ମୋବାଇଲ ମାଧ୍ୟମରେ ‘ୟୁଟିଏସ୍‌ ଅନ୍‌ ମୋବାଇଲ’ ଆପ୍‌କୁ ଗତବର୍ଷଠାରୁ ପ୍ରୋତ୍ସାହନ ଦିଆଯାଉଛି। ଏହାଦ୍ୱାରା ଯାତ୍ରୀମାନେ ସେମାନଙ୍କ ମୋବାଇଲ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିପାରୁଛନ୍ତି। ଏହି ଆପ୍‌ ପ୍ରଚଳନ ହେବା ପରେ ପୂର୍ବତଟ ରେଳପଥ ମଧ୍ୟରେ ମୋବାଇଲ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ୍ ଟିକେଟ୍‌ କ୍ରୟ କରିବା ପାଇଁ ଯାତ୍ରୀମାନଙ୍କ ଇଚ୍ଛାଶକ୍ତିରେ ବୃଦ୍ଧି ଘଟିଛି। ଚଳିତ ବର୍ଷ ଜାନୁଆରି ପହିଲାରୁ ଡିସେମ୍ବର ୧୭ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ମୋବାଇଲ ଫୋନ ମାଧ୍ୟମରେ ‘ୟୁଟିଏସ୍‌ ଆପ’ ବ୍ୟବହାର କରି ୯ ଲକ୍ଷ ୬୨ ହଜାର ୩୧୯ଟି ଟିକେଟ୍‌ ବିକ୍ରୟ କରାଯାଇଛି। ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୩୧୫ ପ୍ରତିଶତ ବୃଦ୍ଧି ପାଇଛି। ମୋବାଇଲ ମାଧ୍ୟମରେ ୨୦୧୮ରେ ପୂର୍ବତଟ ରେଳପଥ ଦ୍ୱାରା ୩ ଲକ୍ଷ ୫ ହଜାର ୫୧୦ଟି ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ ବିକ୍ରୟ ହୋଇଥିଲା।

ଡିସେମ୍ବର ୧୭ ପର୍ଯ୍ୟନ୍ତ ମୋବାଇଲ ମାଧ୍ୟମରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳରେ ୫ ଲକ୍ଷ ୨୬ ହଜାର, ୱାଲଟିୟର ରେଳମଣ୍ଡଳରେ ପ୍ରାୟ ୩ ଲକ୍ଷ ୬୮ ହଜାର ଓ ସମ୍ବଲପୁର ରେଳମଣ୍ଡଳରେ ପ୍ରାୟ ୬୭ ହଜାର ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ ବୁକିଂ କରାଯାଇଛି। ୨୦୧୮ରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳରେ ୧ ଲକ୍ଷ ୬୪ ହଜାର, ୱାଲଟିୟର ରେଳ ମଣ୍ଡଳରେ ୧ ଲକ୍ଷ ୨୫ ହଜାର ଓ ସମ୍ବଲପୁର ରେଳମଣ୍ଡଳରେ ୧୬ ହଜାର ୫ ଶହ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ ବୁକ୍‌ କରାଯାଇ ପାରିଥିଲା।

ୟୁଟିଏସ୍‌ ମୋବାଇଲ୍‌ ଆପ୍‌ ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କର ଉତ୍ପତ୍ତି ଷ୍ଟେସନଠାରୁ ୨୦ ମିଟରରୁ ୫କିମି ମଧ୍ୟରେ(କୋଙ୍କଣ ରେଳପଥକୁ ବାଦ୍‌ ଦେଇ) ଭାରତରେ ଯେକୌଣସି ଗନ୍ତବ୍ୟ ରେଳ ଷ୍ଟେସନ୍‌କୁ ଟିକେଟ୍‌ ବୁକ୍‌ କରିପାରିବେ। ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ଯାତ୍ରୀଙ୍କୁ କୁହାଯାଇଛି ଯେ ସେମାନେ ଷ୍ଟେସନ୍‌ଠାରେ ଥିବା ଅଣସଂରକ୍ଷିତ ଟ୍ରେନ୍ ଟିକେଟ୍‌ ବୁକିଂ କାଉଣ୍ଟର୍‌ରେ ଅସମ୍ଭବ ଭିଡ଼କୁ ଏଡ଼ାଇବା ପାଇଁ ନିଜ ମୋବାଇଲ ମାଧ୍ୟମରେ ୟୁଟିଏସ୍‌ ମୋବାଇଲ ଆପ୍‌ ଡାଉନଲୋଡ୍‌ କରି ପେପରବିହୀନ ଟ୍ରେନ୍‌ ଟିକେଟ୍‌ କ୍ରୟ କରିପାରିବେ।

ସମ୍ବନ୍ଧିତ ଖବର