ରଥ ଉପରେ ମୋବାଇଲ୍‌, ଟାଣି ନେଲେ ଟାହିଆ

ପୁରୀ : ରଥଯାତ୍ରାରେ ରଥାଋଢ଼ ସେବାୟତଙ୍କ ବିଶୃଙ୍ଖଳା ସୀମା ଟପିଥିଲା। ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀକୁ ଖୋଲା ଉଲ୍ଲଙ୍ଘନ କରିଥିଲେ ଏମାନେ। ସେବାୟତଙ୍କ ସହ ଅନେକ ଅଣସ୍ବୀକୃତ ସେବାୟତ ବି ରଥରେ ଚଢ଼ି ବିଶୃଙ୍ଖଳାରେ ସାମିଲ୍ ହୋଇଥିଲେ। ତୁଳସୀ ମାଳ, ନଡ଼ିଆ, ସିରି କପଡ଼ା ରଥ ଉପରୁ ଲୋକଙ୍କୁ ଫିଙ୍ଗିଲେ। ତାହା ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଓ ଆଗରେ। ରଥ ଉପରକୁ ପାଣି ବୋତଲର ବି ବର୍ଷା ହୋଇଥିଲା। ଆଜି ବି ଏହି ବିଶୃଙ୍ଖଳାର ପୁନରାବୃତ୍ତି ଘଟିଛି। ଶ୍ରୀଜଗନ୍ନାଥଙ୍କ ପହଣ୍ଡି ପରେ ଟାହିଆ ଟାଣି ନିଆଯାଇଛି। ଟାହିଆ ସୁରକ୍ଷିତ ଖୋଲିବା ନେଇ ବ୍ୟବସ୍ଥାବଳିରେ ସ୍ପଷ୍ଟ ଉଲ୍ଲେଖ ରହିଥିବାବେଳେ ପହଣ୍ଡି ପରେ ଟାହିଆ ଖଣ୍ଡ ଖଣ୍ଡ କରି ଟାଣି ନେଇଛନ୍ତି। ପହଣ୍ଡି ସମୟରେ ରଥ ଉପରକୁ କ୍ୟାମେରା, ମୋବାଇଲ୍ ଆଦି ନେବା ଉପରେ କଟକଣା ଲଗାଯାଇଛି। ଏହା ବ୍ୟବସ୍ଥାବଳୀରେ ବି ଉଲ୍ଲେଖ ରହିଛି। କିନ୍ତୁ ବ୍ୟବସ୍ଥାବଳିକୁ ଉଲ୍ଲଙ୍ଘନ କରି ସେବାୟତମାନେ ମାଳମାଳ ମୋବାଇଲ୍‌ ଧରି ଆଜି ରଥ ଉପରୁ ସୁଟିଂ କରୁଥିବା ଓ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ଏପରିକି ଆଜି ଜଣେ କ୍ୟାମେରାମ୍ୟାନ୍ ଚାରମାଳ ଉପରେ ଚଢ଼ି ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏପରି ବିଶୃଙ୍ଖଳାକୁ ରୋକିବା ବଦଳରେ ସେବାୟତଙ୍କ ସଅଳ ନୀତିକୁ ପ୍ରଶଂସା କରିବା ଭକ୍ତ, ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି।

ଚଳିତ ବର୍ଷ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ସହ ଅନ୍ୟାନ୍ୟ ନୀତି ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି, ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ କେହି ବି ସେବାୟତ ଛିଡ଼ା ହୋଇପାରିବେ ନାହିଁ। ଭକ୍ତମାନେ ଯେପରି ମହାପ୍ରଭୁଙ୍କ ଶୃଙ୍ଖଳିତ ଓ ସ୍ପଷ୍ଟ ଦର୍ଶନ କରିବେ, ସେ ଦିଗ ପ୍ରତି ଦୃଷ୍ଟିଦେବେ। ରଥ ଉପରୁ ଅବା ରଥ ଉପରକୁ କୌଣସି ପରିସ୍ଥିତିରେ ତୁଳସୀ ଓ ନଡ଼ିଆ ଫିଙ୍ଗା ହେବ ନାହିଁ। ପ୍ଲାଷ୍ଟିକ୍ ପାଣି ବୋତଲ ଫିଙ୍ଗା ଉପରେ ବି କଟକଣା ଲଗାଯାଇଛି। ଶ୍ରୀଜିଉମାନେ ରଥ ଉପରକୁ ପହଣ୍ଡି ବିଜେ ପୂର୍ବରୁ ଅବା ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅବସ୍ଥାପିତ କ୍ୟାମେରା ବ୍ୟତୀତ ଅନ୍ୟ କୌଣସି କ୍ୟାମେରା ବ୍ୟବହାର କରାଯିବ ନାହିଁ। ଏହାବ୍ୟତୀତ ରଥ ଚାରମାଳ ଉପରକୁ କୌଣସି କ୍ୟାମେରା ଅବା ମୋବାଇଲ୍ ଫୋନ୍ ନେବା ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହାକୁ କଡ଼ାକଡ଼ି ପାଳନ ପାଇଁ ଦଇତାପତି ନିଯୋଗର ସଭାପତି, ସଂପାଦକ ଓ ଚାରି ବାଡ଼ଗ୍ରାହୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ କର୍ଡ଼ନ ଦାୟିତ୍ବରେ ରହିଥିବା ପୁଲିସମାନେ ବି ଏ ଦିଗ ପ୍ରତି ଦୃଷ୍ଟି‌ଦେ‌ବାକୁ କୁହାଯାଇଛି। ତଥାପି ଆଜି ରଥଯାତ୍ରା ଘଟଣାର ପୁନରାବୃତ୍ତି ଘଟିଛି। ସେବା ନାଁରେ ଏଠି ‌ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଆଗରେ ସେବାୟତ, ଘଣ୍ଟୁଆମାନେ ଛିଡ଼ା ହୋଇ ରହିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସେପଟେ ୩ ଘଣ୍ଟାର ସଅଳ ନୀତି ପାଇଁ ନୀତି ନିର୍ଘଣ୍ଟ ଅନୁସାରେ ରଥଯାତ୍ରା, ବାହୁଡ଼ା ଯାତ୍ରାକୁ ଆସିଥିବା ଭକ୍ତ ନୀତିରେ ସଠିକତା ରହୁ ନ ଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ସେପଟେ ଆଜି ରଥ ଉପରେ ମାଳମାଳ ମୋବାଇଲ୍ ବୁଲିବା ବି ବ୍ୟବସ୍ଥାବଳିକୁ ପରିହାସ କରିଛି।

ସମ୍ବନ୍ଧିତ ଖବର