ରାୟଗଡ଼ା: ଆସନ୍ତା ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପାଟ ମେସିନର ବ୍ୟବହାରକୁ ନେଇ ରାୟଗଡ଼ା ଜିଲ୍ଳାରେ ଇଭିଏମ ପ୍ରଦର୍ଶନ କେନ୍ଦ୍ର(ଇଡିସି)ଖୋଲାଯାଇଅଛି। ଭାରତୀୟ ମୁଖ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଓ ରାୟଗଡ଼ା ଜିଲ୍ଳାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା। ଜିଲ୍ଳାରେ ଥିବା ରାୟଗଡା, ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଇଭିଏମ ମେସିନରେ ମତଦାନ କିଭଳି କରିବା ସମ୍ବନ୍ଧରେ ସଚେତନତା ସୃଷ୍ଟି ଦିଗରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଗତ ଜାନୁଆରି ୧୨ତାରିଖରେ ଇଡିସି କେନ୍ଦ୍ରର ଶୁଭାରମ୍ଭ ହୋଇଥିବା ବେଳେ ୧୨ରେ ଗୁଣପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଏବଂ ୧୬ତାରିଖରେ ରାୟଗଡ଼ା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଇଡିସି କେନ୍ଦ୍ର ଖୋଲାଯାଇଥିଲା।
ଚଳିତ ମାସ୨୮ତାରିଖ ପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲାଯିବାକୁ ଥିବା ବେଳେ ବୁଧବାର ସୁଦ୍ଧା ଉକ୍ତ ତିନୋଟି ଇଡିସି କେନ୍ଦ୍ରକୁ ୧୬୯୬ଜଣ ଲୋକେ ପରିଦର୍ଶନ କରି ଇଭିଏମ ଓ ଭିଭିପାଟ ମେସିନର କାର୍ଯ୍ୟକାରିତା ସଂପର୍କରେ ଅବଗତ ହୋଇ ଇଭିଏମରେ ନିଜର ମକ ଭୋଟ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଥିବା ଇଡିସି କେନ୍ଦ୍ରରେ ୪୪୩ଜଣ, ଗୁଣପୁରରେ ୬୬୭ ଏବଂ ରାୟଗଡା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଇଡିସି କେନ୍ଦ୍ରକୁ ୫୬୬ଜଣ ଲୋକ ପରିଦର୍ଶନ କରିଛନ୍ତି।
ସେହିପରି ଜିଲ୍ଳାର ୧୩-ଗୁଣପୁର ନିର୍ବାଚନ ମଣ୍ଡଳିର ଗୁଣପୁର, ରାମନାଗୁଡା, ଚନ୍ଦ୍ରପୁର, ପଦ୍ମପୁର, ଗୁଡାରୀ ବ୍ଳକ ଓ ଗୁଡାରୀ ଏନଏସି, ଗୁଣପୁର ପୈାରାଂଚଳର ବୁଥସ୍ତରରେ ବୁଲି ବୁଲି ସଚେତନତା ସୃଷ୍ଟି କରୁଥିବା ମୋବାଇଲ ଡେମୋଷ୍ଟ୍ରେସନ୍ ଭ୍ୟାନ (ଏମଡିଭି)ନିକଟକୁ ୧୩୨୪୨ଜଣ ଲୋକ ଆସି ସଚେତନ ହେବା ସହ ମକ ପୋଲିଂ କରିଛନ୍ତି।ବିଷମକଟକ ନିର୍ବାଚନ ମଣ୍ଡଳିର ବିଷମକଟକ, ମୁନିଗୁଡ଼ା, କୋଲନରା ଓ କଲ୍ୟାଣସିଂହପୁର ବ୍ଳକରେ ୧୦୮୧୪ଜଣ ଏବଂ ରାୟଗଡ଼ା ନିର୍ବାଚନ ମଣ୍ଡଳିର ରାୟଗଡା, କାଶୀପୁର ବ୍ଳକ ଓ ରାୟଗଡା ପୌରାଞ୍ଚଳରେ ୯୯୪୪ଜଣ ଲୋକେ ମକ ପୋଲିଂ କରିଥିବା ବେଳେ ମୋଟ ୩୪ହଜାର ଜଣ ଇଭିଏମ ଓ ଭିଭିପାଟ ମେସିନର ବ୍ୟବହାର ସଂପର୍କରେ ଅବଗତ ହୋଇଥିବା ଜିଲ୍ଳା ନିର୍ବାଚନ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।