ପୁରୀ: ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣା ନୂଆ ମୋଡ଼ ନେଇଛି। ଦୁଇଦିନ ତଳେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନର ନିଦ ଭାଙ୍ଗିଛି। ଗାରଦକୁ ରିପୋର୍ଟ ମାଗିବା ସହ ପ୍ରାଥମିକ ତଦନ୍ତ ଆଧାରରେ ଚୋରି ଅଭିଯୋଗ ସତ୍ୟ ଆଧାରିତ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେପଟେ ଆଇନ ମନ୍ତ୍ରୀ ମଧ୍ୟ ସମାନ କଥା ଦୋହରାଇଛନ୍ତି। ଏତେବଡ଼ ଘଟଣାକୁ ମନ୍ତ୍ରୀ ଓ ସଚିବ ଏଭଳି ଟାଳି ଦେବା ପରେ ଅଡ଼ୁଆ ବଢ଼ିଛି। ଯଦି ସତ୍ୟାସତ୍ୟ ନାହିଁ ତେବେ ଜଣେ ବାଡ଼ଗ୍ରାହୀ ଅଭିଯୋଗ କଲେ କେମିତି? ସେ କଣ ମିଛ କହିଲେ ନା କାହାକୁ ବଦନାମ କରିବାକୁ ଚାହୁଥିଲେ? ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ମୁଖ୍ୟ ପ୍ରଶାସକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।
ଶ୍ରୀ ପାଢ଼ୀ କହିଛନ୍ତି, କୌଣସି ବୈଦ୍ୟ ସେବକଙ୍କ ଅମୁଣିଆ ଦଶମୂଳ ମୋଦକକୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଛୁଅନ୍ତି ନାହିଁ କିମ୍ବା ଗଣନ୍ତି ନାହିଁ। କାରଣ ଛୁଆଁ ହେଲେ ତାହା ଲାଗି ହୋଇ ପାରିବ ନାହିଁ। ସେମାନେ ଯେଉଁ ସଂଖ୍ୟା କୁହନ୍ତି ସେହି ସଂଖ୍ୟା ଟିପାଖାତାରେ ଲିଖିତ ଭାବେ ରୁହେ। ଏହି ଟିପାଖାତାରେ ୩୧୩ ମୂର୍ତ୍ତି ମୋଦକ ଲେଖା ହୋଇଛି। ତାହାକୁ ଲାଗି କରିବା ପାଇଁ ସମ୍ପାଦକ ନେଇଛନ୍ତି, ତାଙ୍କର କିଛି ଅଭିଯୋଗ ନାହିଁ। କିନ୍ତୁ ଯେତେବେଳେ ଅନ୍ୟଜଣେ ବାଡ଼ଗ୍ରାହୀ ନେଇଛନ୍ତି ସେ ହିସାବ କରିବା ବେଳେ କମ୍ ଥିବା କହୁଛନ୍ତି। ଆମେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବୁ। ଏହା ଠାକୁରଙ୍କ ଗୁପ୍ତ ନୀତି। ଏହା ବାହାରେ ଆଲୋଚନା ହେବା କଥା ନୁହେଁ। ଆମେ ସେବାୟତମାନଙ୍କୁ ନିବେଦନ କରୁଛୁ କି ଏ ବାବଦରେ ବାହାରେ ଆଲୋଚନା କରନ୍ତୁ ନାହିଁ। କିନ୍ତୁ ବାଡ଼ଗ୍ରାହୀଙ୍କ ଅଭିଯୋଗକୁ ଆମେ ଗୁରୁତ୍ବର ସହ ନେଇଛୁ, ତଦନ୍ତ କରିବୁ। କେହି ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେପଟେ ଅଭିଯୋଗକାରୀ ହଳଧର ଦାସ ମହାପାତ୍ର କହିଛନ୍ତି, ମୋଦକ କମ୍ ଥିଲା। ମୁଁ ଲେଖିକି ଦେଇଛି। ଯଦି ସତ୍ୟତା ନାହିଁ ବୋଲି ଅଧିକାରୀ କହୁଛନ୍ତି ମୁଁ କଣ କରିପାରିବି? ମୁଁ ଯାହା ଦେଖିଛି ତାହା ଲିଖିତ ଭାବେ ଜଣାଇଛି। ସେପଟେ ବରିଷ୍ଠ ଦଇତା ସେବକ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, ମୋଦକ କମିଲା କେମିତି? ବିଗତ ବର୍ଷମାନଙ୍କରେ ଯେମିତି ଏହି ନୀତି ହେଉଥିଲା ଠିକ୍ ସେମିତି ଚାଲିଛି। ସେଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଯେଉଁ ପ୍ରକ୍ରିୟାରେ ମୋଦକର ହିସାବ ରଖାଯାଉଥିଲା ସେମିତି ରଖାଯାଉଛି। କିନ୍ତୁ ଆଜି ଅଭିଯୋଗ କାହିଁକି ଉଠିଲା? ଚୋରି ନିଶ୍ଚୟ ହୋଇଛି। ସିସିଟିଭି କ୍ୟାମେରା ଲାଗିଛି, ତୁରନ୍ତ ଯାଞ୍ଚ କରାଯାଇ ଚୋରକୁ ଧରାଯାଉ।
ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଏତେଦିନ ଅଭିଯୋଗ ହେଉ ନଥିଲା, ହଠାତ୍ ହେଲା କାହିଁକି? ନିଶ୍ଚୟ କିଛି ଘଟିଛି। ସବୁଠି ତ ସିସିଟିଭି ଲାଗିଛି। ତଦନ୍ତ କରିବାରେ ଅସୁବିଧା କେଉଁଠି? ଗୁପ୍ତ ନୀତି ଆଳରେ ମୋଦକ ଚୋରି ହେବା ଭଳି ଗମ୍ଭୀର ଘଟଣାକୁ ଚାପିଦେବା ବା ତଦନ୍ତ କରି ସାମ୍ନାକୁ ନ ଆଣିବା ଦୁର୍ଭାଗ୍ୟଜନକ। ରତ୍ନଭଣ୍ଡାର ପ୍ରସଙ୍ଗକୁ ହାଇକୋର୍ଟ ନେଇଥିବା ଆଇନଜୀବୀ ଦିଲୀପ ବରାଳ କହିଛନ୍ତି, ମୁଖ୍ୟ ପ୍ରଶାସକ କାହାକୁ ଏତେ ଭୟ କରୁଛନ୍ତି? କିଏ ଚାପ ପକାଉଛି? ଆଜି ପର୍ଯ୍ୟନ୍ତ କୌଣସି ବିଭ୍ରାଟର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଦାରୁ ବିଭ୍ରାଟ ଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିସନଙ୍କ ରିପୋର୍ଟ ସର୍ବସାଧାରଣ କଲେନାହିଁ। ବଳଭଦ୍ର ମହାପ୍ରଭୁ ଚାରମାଳରୁ ପଡ଼ିଯିବା ଭଳି ଗମ୍ଭୀର ତଥା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ଏବେ ମୋଦକ ଚୋରି ଘଟଣାକୁ ମଧ୍ୟ ଚାପି ଦେବାକୁ ବସିଛନ୍ତି। ତଦନ୍ତ ନକରି କେମିତି ଜାଣିଲେ ଯେ ଅଭିଯୋଗର ସତ୍ୟତା ନାହିଁ?
ଯଦି ଅଭିଯୋଗର ସତ୍ୟାସତ୍ୟ ନାହିଁ ତେବେ ଏତେ ବଡ଼ ଅଭିଯୋଗ ଆଣି ଅନ୍ୟ ସେବାୟତ କିମ୍ବା କର୍ମଚାରୀଙ୍କୁ ବଦନାମ କରିବାକୁ ଉଦ୍ୟମ କରିବାକୁ ବସିଥିବା ହଳଧରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି? ଯେଉଁ ବୈଦ୍ୟ ସେବକମାନେ କମ୍ ସଂଖ୍ୟାରେ ମୋଦକ ଦେଇ ମିଛ କହିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି? ମୋଦକ ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ମାମଲା କୋର୍ଟକୁ ଯିବ।