ସଂକ୍ରମଣ ପରେ ଭିସୁଟ୍‌ରେ ଅଚଳାବସ୍ଥା : ସୋମବାରର ପରୀକ୍ଷା ବାତିଲ

ସମ୍ବଲପୁର : ବହୁ ସଂଖ୍ୟାରେ ଛାତ୍ର କରୋନା ଆକ୍ରାନ୍ତ ହେବାକୁ ନେଇ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ରେ ସୃଷ୍ଟ ଅଚଳାବସ୍ଥା ଜାରି ରହିଛି। ଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଓ ଅଶାନ୍ତି ପରେ ଭିସୁଟ୍ କର୍ତ୍ତୃପକ୍ଷ ସୋମବାର ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ କରିଛନ୍ତି। ତେବେ ପରବର୍ତ୍ତୀ ପରୀକ୍ଷା ଗୁଡ଼ିକ ସଂପର୍କରେ ଏଯାଏଁ ନିଷ୍ପତ୍ତି ହୋଇ ନାହିଁ। ଅପରପକ୍ଷରେ ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ ପରୀକ୍ଷା କରିବା କିମ୍ବା ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇ ଦେବା ପାଇଁ ଅଭିଭାବକ ମାନେ ନିଜ ପୁରୁଣା ଦାବିକୁ ଦୋହରାଇଛନ୍ତି।

ଅପରପକ୍ଷରେ ରାଜ୍ୟର ସମସ୍ତ ବୈଷୟିକ ଅନୁଷ୍ଠାନର ସପ୍ତମ ସେମିଷ୍ଟାର୍‌ ପରୀକ୍ଷା ଶେଷ ହୋଇ ପରୀକ୍ଷାଫଳ ବାହାରି ସାରିଥିବା ବେଳେ ଭିସୁଟ୍‌ ପରୀକ୍ଷା ଏଯାଏଁ ହୋଇ ନଥିବାରୁ ‌ଯେକୌଣସି ପ୍ରକାରେ ଏହା ଶେଷ କରିବାକୁ କର୍ତ୍ତୃପକ୍ଷ ବ୍ୟଗ୍ର ଅଛନ୍ତି। କିଛି ଛାତ୍ର କ୍ୟାମ୍ପସ୍‌ରେ ଚାକିରି ପାଇ ସାରିଥିବାରୁ ସେମାନଙ୍କ ପାଇଁ ଏହି ପରୀକ୍ଷା ଶୀଘ୍ର ସାରିବା ଜରୁରୀ ହୋଇ ପଡ଼ିଛି। ବିଟେକ୍‌ ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍‌ଲାଇନ୍‌ କରାଯିବ ବୋଲି ଘୋଷଣା ପରେ ଉକ୍ତ ବର୍ଷ ଗୁଡ଼ିକର ଅଧିକାଂଶ ବିଦ୍ୟାର୍ଥୀ ହଷ୍ଟେଲ୍ ଛାଡ଼ି ନିଜ ଘରକୁ ଚାଲି ଯାଇଛନ୍ତି। ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ସମସ୍ୟା ଲାଗି ରହିଛି।

ବର୍ତ୍ତମାନ ଭିସୁଟ୍‌ର ୧୧ଟି ହଷ୍ଟେଲ୍‌କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରା ଯାଇଥିବା ବେଳେ ଭିସୁଟ୍ ଏକାଡେମିକ୍ ବ୍ଲକ୍‌ ଓ ପ୍ରଶାସନିକ ଭବନ କଣ୍ଟେନ୍‌ମେଣ୍ଟ ବାହାରେ ରହିଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଛାତ୍ରବାସ ଓ ଛାତ୍ରୀନିବାସ ଗୁଡ଼ିକରୁ ଛାତ୍ରଛାତ୍ରୀମାନେ ବାହାରି ମୁଖ୍ୟ ରାସ୍ତାରେ ଚାଲିଚାଲି ଆସି ଏକାଡେମିକ୍ ବ୍ଲକ୍‌ରେ ହେବାକୁ ଥିବା ପରୀକ୍ଷା ଦେବେ। ଏହା କଣ୍ଟେନ୍‌ମେଣ୍ଟ ସର୍ତ୍ତାବଳୀର ଉଲ୍ଲଘଂନ ନୁହେଁ କି ବୋଲି କିଛି ଅଭିଭାବକ ପ୍ରଶ୍ନ କରିଛନ୍ତି। ସେହିପରି ବାହାରୁ ଆସୁଥିବା ଦିବଧ୍ୟାୟୀ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସହ ଗୋଟିଏ ହଲ୍‌ରେ ପରୀକ୍ଷା ଦେଇ ପୁଣି ନିଜ ଘରକୁ ଫେରିବା ଦ୍ବାରା ବିଭିନ୍ନ ଆବାସିକ ଅଞ୍ଚଳରେ ସଂକ୍ରମଣର ବିପଦ ସୃଷ୍ଟି ହେବ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଅଫ୍‌ଲାଇନ୍ ପରୀକ୍ଷା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ ବୋଲି ଅଭିଭାବକ ମାନେ ମତ ଦେଇଛନ୍ତି।

ଏ ସଂପର୍କରେ ଭିସୁଟ୍‌ର ଭାରପ୍ରାପ୍ତ କୁଳପତି ପ୍ର. ବିଭୂତି ଭୂଷଣ ପତିଙ୍କ କହିବା ହେଲା, ପିଲାଙ୍କ କ୍ୟାରିୟର୍‌କୁ ଦୃଷ୍ଟିରେ ରଖି ସପ୍ତମ ସେମିଷ୍ଟାର୍‌ ପରୀକ୍ଷା ସାରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ପିଲାମାନେ କେମିତି ସୁରକ୍ଷିତ ଭାବେ ପରୀକ୍ଷା ‌ଦିଅନ୍ତୁ ତାହା ଆମେ ଚାହୁଁଛୁ ଓ ସେହି ଅନୁଯାୟୀ ବ୍ୟବସ୍ଥା କରାଯାଉଛି। ତେବେ ପ୍ରଥମେ ସୋମବାର ଗୋଟିଏ ଦିନର ପରୀକ୍ଷା ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ପରୀକ୍ଷା ଗୁଡ଼ିକ ସଂପର୍କରେ ଆଗାମୀ ବୈଠକରେ ନିଷ୍ପତ୍ତି ହେବ। ପରୀକ୍ଷା ହଲ୍‌ର ବିଶୋଧନ, ହଲ୍‌ରେ ପିଲାଙ୍କ ମଧ୍ୟରେ ବ୍ୟବଧାନ ଆଦି ଉପରେ ଧ୍ୟାନ ଦିଆଯାଉଛି। ‌ବାହାରୁ ଆସୁଥିବା ପିଲାଙ୍କ ସଂଖ୍ୟା ଖୁବ୍‌ କମ୍। ତେଣୁ ସେମାନଙ୍କ ଜରିଆରେ କରୋନା ସଂକ୍ରମଣର କୌଣସି ଆଶଂକା ନାହିଁ ବୋଲି ପ୍ର. ପତି କହିଥିଲେ। ଅନ୍ୟ ପକ୍ଷରେ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କହାଯାଇଛି ଯେ କୌଣସି ଅଭିଭାବକ ଚାହିଁଲେ ନିଜ ପୁଅ ବା ଝିଅକୁ ହଷ୍ଟେଲ୍‌ରୁ ନେଇ ଯାଇ ପାରିବେ ଓ ସେ ପରୀକ୍ଷା ନଦେଲେ ବି ତାହା ବ୍ୟାକ୍‌ପେପର୍‌ ଭାବେ ବିବେଚନା କରାଯିବ ନାହିଁ। ତେବେ ଏ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶ ବିଶ୍ବବିଦ୍ୟାଳୟର ହସ୍ତଗତ ହୋଇ ନଥିବା ଜଣା ପଡ଼ିଛି। ସରକାର ଯାହା ନିର୍ଦ୍ଦେଶ ଦେଲେ ଆମେ ତାକୁ ପାଳନ କରିବୁ ବୋଲି ଭାରପ୍ରାପ୍ତ କୁଳପତି ପ୍ର. ପତି କହିଛନ୍ତି। ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ପରେ ଜିଲ୍ଲା ପ୍ରଶାସନ ତରଫରୁ ଭିସୁଟ୍‌ର ବିଭିନ୍ନ ଛାତ୍ରାବାସରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ବିନା ଜରୁରୀ କାରଣରେ ଯେମିତି କେହି ବାହାରକୁ ନ ବାହାରିବେ ବା ବାହାର ଅଞ୍ଚଳରୁ କେହି ଭିତରକୁ ନଯିବେ ତା’ଉପରେ ଧ୍ୟାନ ଦିଆଯାଉଛି। ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଛୋଟବଡ଼ ଦୋକାନ ବନ୍ଦ କରିବା ତଥା କୌଣସି ପ୍ରକାରେ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭାରପ୍ରାପ୍ତ ଅଧିକାରୀ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର