ଭଞ୍ଜନଗର: ସାଧାରଣ ଯାତ୍ରୀବାହୀ ଅଟୋରେ ଲାଗିଛି ଏୟାର୍ କୁଲର୍ ଓ ପଙ୍ଖା। ତା’ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ଏଲ୍‌ଇଡି ଟିଭିର ସୁବିଧା। କେବଳ ଏତିକି ନୁହେଁ, ଯାତ୍ରୀ ଯେଭଳି ଆରାମଦାୟକ ଯାତ୍ରା କରିବେ ଏଥିପାଇଁ କାର୍ ଏବଂ ବସ୍ ଭଳି ପୁଷ୍‌ବ୍ୟାକ୍ ସିଟ୍‌ର ସୁବିଧା ରହିଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ଭଗବତପାଟଣା ସାହିର ବାସିନ୍ଦା ଜିତେନ୍ଦ୍ର ବରାଡ଼। ଜିତୁଭାଇ ସେ ସଭିଙ୍କ ମହଲରେ ପରିଚିତ ଥିବା ବେଳେ ତାଙ୍କର ଏହି ମଡେଲ୍ ଅଟୋକୁ ନେଇ ସବୁଠି ଚର୍ଚ୍ଚା। ସବୁଠୁ ଉଲ୍ଲେଖନୀୟ କଥା ହେଉଛି, ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ ସୁଦ୍ଧା ଜିତେନ୍ଦ୍ର କାହାଠୁ ଅଧିକ ଭଡ଼ା ଦାବି କରୁନାହାନ୍ତି। ଅନ୍ୟ ସାଧାରଣ ଯାତ୍ରୀବାହୀ ଅଟୋରେ ଧାର୍ଯ୍ୟ ହେଉଥିବା ସମାନ ଭଡ଼ା ନେଉଛନ୍ତି। କେବଳ ଏତିକି ନୁହେଁ, ଗରିବ ଓ ଅସହାୟଙ୍କ ପାଇଁ ସ‌େ ଦରଦୀ ବନ୍ଧୁ ସାଜି ମାଗଣା ସେବା ଯୋଗାଉଛନ୍ତି।

Advertisment

ଜିତୁ ଗତ ୬ ବର୍ଷ ହେଲା ଅଟୋ ଚଳାଉଥିବା ବେଳେ ୟୁଟ୍ୟୁବ୍ ଦେଖି ଏଭଳି ମଡେଲ୍ ଅଟୋ ପ୍ରସ୍ତୁତ କରିଛନ୍ତି। ନିଜେ ଏକ ପୋର୍ଟବୁଲ୍ ଏୟାର୍‌କୁଲର୍ ତିଆରି କରି ସେଥିରେ ବେଣାଚେର ଖଞ୍ଜି ଅଟୋରେ ଲଗାଇଛନ୍ତି। ବେଲଗୁଣ୍ଠା ଠାରୁ ଆରମ୍ଭ କରି ଆଖପାଖ ଜଗନ୍ନାଥପ୍ରସାଦ, ବୁଗୁଡ଼ା, ବାଲିପଦର​ ଓ ଆସିକା ପର୍ଯ୍ୟନ୍ତ ସେ ଅଟୋ ଭଡ଼ାରେ ଚଳାଉଛନ୍ତି। ପ୍ରାୟ ୭୦ ପ୍ରତିଶତ ଯାତ୍ରୀ ପରିବହନ ଭଞ୍ଜନଗରକୁ ହୋଇଥାଏ। ଘରକୁ ଫେରୁଥିବା ସମୟରେ ଲିଫ୍ଟ୍ ମାଗୁଥିବା ଯାତ୍ରୀଙ୍କୁ ସେ ମାଗଣାରେ ସେବା ଯୋଗାଉଛନ୍ତି। ଏହାଦ୍ବାରା ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ କହିଛନ୍ତି। ସେହିପରି ଅଧିକାଂଶ ସମୟରେ ରୋଗୀଙ୍କୁ ସେ ଡାକ୍ତରଖାନାକୁ ଆଣିଥାନ୍ତି। ତେବ‌େ ଅସୁବିଧାରେ ପଡ଼ି ଡାକ୍ତରଖାନାକୁ ଯାଉଥିବା କିଛି ରୋଗୀଙ୍କଠୁ ଅଧାଭଡ଼ା ନେଉଥିବା ବେଳେ ଗରିବ ରୋଗୀମାନଙ୍କୁ ମାଗଣାରେ ଡାକ୍ତରଖାନାରେ ଛାଡ଼ିଦିଅନ୍ତି। ଆଉ ଅଟୋରେ ଲାଗିଥିବା କୁଲର୍ ଓ ପଙ୍ଖା ଯାତ୍ରୀଙ୍କୁ ତାତି ଏବଂ ଗୁଳୁଗୁଳିରୁ ନିସ୍ତାର ଦେଇଥାଏ। ‘‌ଯାତ୍ରୀ ଖୁସି ହେଲେ ମୋତେ ଆତ୍ମସନ୍ତୋଷ ମିଳିଥାଏ। ଏହା ଟଙ୍କା ଠାରୁ ମଧ୍ୟ ତାଙ୍କ ପାଇଁ ଅଧିକ’ ବୋଲି ଜିତୁ କହିଛନ୍ତି।

publive-image

ପୂର୍ବରୁ ଜିତୁ ଟ୍ରାକ୍ଟର୍ ଚଲାଉଥିବା ବେଳେ ବର୍ତ୍ତମାନ ତାହ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଛି। ୮ ବର୍ଷ ହେଲା ବିବାହ କରିଥିବା ବେଳେ ତାଙ୍କର ୬ ବର୍ଷର ଝିଅଟିଏ ରହିଛି। ଅଟୋ ଚଳାଇ ଯାହା ରୋଜଗାର ହେଉଛି ସେଥିରେ ପରିବାର ପ୍ରତିପୋଷଣ ହେଉଥିବା ଜିତୁ କହିଛନ୍ତି। କିନ୍ତୁ ଅଟୋଚାଳକ ଜିତୁଙ୍କ ସେବା ମନୋବୃତ୍ତିକୁ ନେଇ ସମସ୍ତଙ୍କ ମୁହଁରେ ପ୍ରଶଂସା ଶୁଣିବାକୁ ମିଳୁଛି।