ପ୍ରତି ବ୍ଲକ୍‌ରେ ମଡେଲ୍‌ ବସ୍‌ଷ୍ଟାଣ୍ଡ୍‌ ପ୍ରସଙ୍ଗ : ଘୋଷଣାର ୨ ବର୍ଷ ପରେ ଇଟା ଖ‌ଣ୍ଡେ ପଡ଼ିଲାନି

ଭୁବନେଶ୍ୱର : ପ୍ରତି ବ୍ଲକ୍‌ରେ ହେବ ମଡେଲ୍‌ ବସ୍‌ଷ୍ଟାଣ୍ଡ୍‌। ଯାତ୍ରୀମାନଙ୍କ ପାଇଁ ସେଠାରେ ସବୁ ପ୍ରକାର ମୌଳିକ ସୁବିଧା ରହିବ। ବସ୍‌ଗୁଡ଼ିକର ଚଳାଚଳ ବ୍ୟବସ୍ଥିତ ହୋଇପାରିବ। ଦୁଇ ବର୍ଷ ତଳେ ଏମିତି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଖୁବ୍ ଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଦୁଇ ବର୍ଷ ପରେ ମଡେଲ୍‌ ବସ୍‌ଷ୍ଟାଣ୍ଡ୍‌ ତ ଦୂରର କଥା। ଗୋଟିଏ ବ୍ଲକ୍‌ରେ ବି ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। କିଛି ବ୍ଲକ୍‌ରେ ଜାଗା ଚିହ୍ନଟ ହୋଇ ପ୍ରକ୍ରିୟା ଅଟକିଯାଇଛି। କେବେ କାମ ଆରମ୍ଭ ହେବ ଓ କେ‌େବ ଶେଷ ହେବ, ତାହାର ଠୋସ୍‌ ଉତ୍ତର କାହା ପାଖରେ ନାହିଁ।

୨୦୧୮ ମସିହାରେ ଫେବ୍ରୁଆରି ମାସରେ ସରକାର ପ୍ରତି ବ୍ଲକ୍‌ରେ ବସ୍‌ଷ୍ଟାଣ୍ଡ୍‌ କରିବାକୁ ଘୋଷଣା କଲେ। ଏଥି ପାଇଁ ବ୍ଲକ୍‌ରେ ଦେଢ଼ରୁ ଦୁଇ ଏକର ଜାଗା ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଗଲା। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତାବିତ ମଡେଲ୍‌ ବସ୍‌ଷ୍ଟାଣ୍ଡ୍‌ରେ ଶୌଚାଳୟ, ପାନୀୟ ଜଳ, ମାର୍କେଟ୍‌ କମ୍ପ୍ଲେକ୍ସ, ଆଲୋକ ବ୍ୟବସ୍ଥା, ଟିକେଟ୍ କାଉଣ୍ଟର୍‌ ଓ ଯାତ୍ରୀ ପ୍ରତୀକ୍ଷାଳୟ ରହିବ। ବସ୍‌ଷ୍ଟାଣ୍ଡ୍‌ ପରିସରରକୁ ଠିକ୍ ଭାବେ ରକ୍ଷଣା‌େ‌ବକ୍ଷଣ ପ୍ରତି ଧ୍ୟାନ ଦିଆଯିବ। ସରକାରଙ୍କ ନିଷ୍ପତ୍ତି ପରେ ଓଏସ୍‌ଆର୍‌ଟିସି ପକ୍ଷରୁ ବସ୍‌ଷ୍ଟାଣ୍ଡ୍‌ର ଡିଜାଇନ୍‌ ନିର୍ମାଇ ପାଇଁ ୨୦୧୮ ମେ’ ମାସରେ ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ ମଗାଗଲା। ଯେଉଁ ବ୍ଲକ୍‌ରେ ବସ୍‌ଷ୍ଟାଣ୍ଡ୍‌ ଅଛି, ସେଠାରେ ତାହାକୁ ନବୀକରଣ କରାଯିବାକୁ ବି ସ୍ଥିର ହୋଇଥିଲା। ଯଦି ବ୍ଲକ୍‌ରେ ଦ୍ବିତୀୟ ବସ୍‌ଷ୍ଟାଣ୍ଡ୍‌ର ଆବଶ୍ୟକତା ଥିବ, ‌େତବେ ସେ ଦିଗରେ ମଧ୍ୟ ଆକଳନ କରିବାକୁ କୁହାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ୫୧ଟି ବ୍ଲକ୍‌ରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ଓଏସ୍‌୍ଆର୍‌ଟିସି ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଗଲା। ଏହାକୁ ମଞ୍ଜୁରୀ ପାଇଁ ୨୦୧୮ ନଭେମ୍ବର ମାସରେ ସରକାରଙ୍କ ନିକଟକୁ ପଠାଗଲା। ବ୍ଲକ୍‌ର ଲୋକ ସଂଖ୍ୟା, ବ୍ୟବସାୟିକ କାରବାର, ସ୍ଥାନର ଗୁରୁତ୍ବ ଓ ବସ୍‌ରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟା ଆଦିକୁ ବିଚାରକୁ ନିଆଯାଇ ୩୦ଟି ଜିଲ୍ଲାର ୫୧ଟି ବ୍ଲକ୍‌କୁ ଚିହ୍ନଟ କରାଯାଇଥିଲା। ଏହା ମଧ୍ୟରେ ଗଞ୍ଜାମରେ ସର୍ବାଧିକ ଚାରିଟି ବ୍ଲକ୍‌ ଥିଲା ବେଳେ କନ୍ଧମାଳ ଓ କଳାହାଣ୍ଡିର ତିନିଟି ଲେଖାଏ ବ୍ଲକ୍‌ ରହିଥିଲା। ଭଦ୍ରକ, ବରଗଡ଼, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଜପତି, କେନ୍ଦୁଝର, କୋ‌ରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁରରେ ଦୁଇଟି ଲେଖାଏ ବ୍ଲକ୍‌ ତାଲିକାରେ ରହିଥିଲା। ଏହା ବାଦ୍ ଆଉ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ଯୋଜନା ଥିଲା। ସରକାର ମଧ୍ୟ ଏହି ତାଲିକାକୁ ପରବର୍ତ୍ତୀ ସମୟ‌େର ୫୧ଟି ବ୍ଲକ୍‌ରେ ମଡେଲ୍‌ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ଆବଶ୍ୟକ ଅନୁମୋଦନ ଦେଇଥିଲେ।

ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ତ ଦୂରର କଥା। ଆରମ୍ଭରୁ ଜାଗା ଚିହ୍ନଟରେ ହିଁ ଜିଲ୍ଲା ସ୍ତରରେ ଅହେତୁକ ବିଳମ୍ବ ହେବାରେ ଲାଗିଲା। ଓଏସ୍‌ଆର୍‌ଟିସି ପକ୍ଷରୁ ୨୦୧୮ ଫେବ୍ରୁଆରି ମାସ ପର ଠାରୁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ଚିଠି ଲେଖା ଚାଲିଥିଲା। କିନ୍ତୁ ଜିଲ୍ଲା ସ୍ତରରେ ଜାଗା ଚିହ୍ନଟରେ ହୋଇପାରିଲା ନାହିଁ। ଓଏସ୍‌ଆର୍‌ଟିସି କେବଳ ଚିଠି ଲେଖି ତା’ ଦାୟିତ୍ବ ସାରିଦେଲା। ବ୍ଲକ୍‌ ସ୍ତରରେ ଜାଗା ଚିହ୍ନଟ କିପରିଚ ତ୍ବରାନ୍ବିତ ହେବ, ସେ ଦିଗରେ ସରକାର ଠୋସ୍‌ ପଦ‌େକ୍ଷପ ନେଲେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୫୧ଟି ବ୍ଲକ୍‌ରେ ମଧ୍ୟ ଜାଗା ଅଡ଼ୁଆ ସମ୍ପୂର୍ଣ୍ଣ ତୁଟି ନାହିଁ। ୪୩ଟି ବ୍ଲକ୍‌ରେ ଜାଗା ମିଳିଯାଇଥିଲା ବେଳେ ୮ଟି ବ୍ଲକ୍‌ରେ ଏ ଯାଏ ଜାଗା ଚୂଡ଼ାନ୍ତ ହୋଇପାରି ନାହିଁ। ଘୋଷଣା ହେବାର ଦୁଇ ବର୍ଷ ପରେ ସବୁ ବ୍ଲକ୍‌ରେ ଜାଗା ଚିହ୍ନଟ ହୋଇ ନ ଥିବାରୁ ଗତ ଜୁନ୍ ମାସରେ ପୁଣି ସବୁ ଜିଲ୍ଲାପାଳମାନଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସୂଚନା ଅଧିକାର କର୍ମୀ ବି ଶଙ୍କର ପାତ୍ର ସୂଚନା ଅଧିକାର ଆଇନ୍‌(ଆରଟିଆଇ) ମାଧ୍ୟମରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ କେବେ ଆରମ୍ଭ ହେବ ଓ କେବେ ସରିବ ବୋଲି ଓଏସ୍‌ଆର୍‌ଟିସିକୁ ତଥ୍ୟ ମାଗିଥିଲେ। କିନ୍ତୁ ଓଏସ୍‌ଆର୍‌ଟିସି ପକ୍ଷରୁ ପ୍ରକ୍ରିୟା ଚାଲିଥିବା ନେଇ କୁହାଯାଇଥିଲେ ବି କେବେ କାମ ହେବ, ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଇ ନାହିଁ।

ମଡେଲ୍‌ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ବିଳମ୍ବ ହେବା ସମ୍ପର୍କରେ ଓଏସ୍‌ଆର୍‌ଟିସି ସିଏମ୍‌ଡି ଅରୁଣ ବୋଥ୍ରା କହିଛନ୍ତି ଯେ ୫୧ଟି ବ୍ଲକ୍‌ରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ୧୦୩ କୋଟି ଟଙ୍କା ମଞ୍ଜୁର ହୋଇଯାରିଛି। ୪୩ଟି ବ୍ଲକ୍‌ରେ ଜାଗା ମଧ୍ୟ ଚିହ୍ନଟ ହୋଇସାରିଛି। କରୋନା ପାଇଁ ପ୍ରକ୍ରିୟା ଧିମେଇ ଯାଇଛି। ଖୁବ୍ ଶୀଘ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ।

ସମ୍ବନ୍ଧିତ ଖବର