ବର୍ଷକରେ ପୁରୀ ହେବ ମଡେଲ୍ ସହର

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରେ ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୱାଟ୍‌କୋ (ଜଳ ନିଗମ) ଜୋରଦାର କାମ ଆରମ୍ଭ କରିଦେଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ, ଭୁବନେଶ୍ବର, କଟକରେ ୱାଟ୍‌କୋ ୨୪ଘଣ୍ଟିଆ ଜଳ ଯୋଗାଣ କରିବାକୁ ଯାଉଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ତିନି ସହରରେ ସମସ୍ତଙ୍କୁ ଆକ୍ବାଗାର୍ଡ ମାନର ପାନୀୟ ଜଳ ଯୋଗାଣ ହେବ। ହେଲେ ଅଗଷ୍ଟ, ୨୦୨୧ ସୁଦ୍ଧା ପୁରୀରେ ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। ଏନେଇ ମିସନ୍ ମୋଡରେ କାମ ଆରମ୍ଭ କରିଛି ୱାଟ୍‌କୋ। ଏହି ଲକ୍ଷ୍ୟ ହାସଲ ହୋଇଗଲେ ପୁରୀ ଦେଶର ପ୍ରଥମ ସହର ହେବ ଯେଉଁଠି ପୂରା ସହରରେ ପ୍ରତି ଘରକୁ ୨୪ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। ପୁରୀକୁ ରାଜ୍ୟ ସରକାର ବିଶ୍ବ ଐତିହ୍ୟ ସହରରେ ପରିଣତ କରୁଥିବାରୁ ସାରା ଦେଶରେ ପାନୀୟ ଜଳ ଯୋଗାଣରେ ପୁରୀ ମଡେଲ ସହର ହେବାକୁ ଯାଉଛି।

ଏହାର ଝଲକ ଏବେ ରାଜଧାନୀର କିଛି ଅଞ୍ଚଳରେ ଦେଖିବାକୁ ମିଳିଥିବାବେଳେ ଖୁବ୍ ଶୀଘ୍ର ସଚିବାଳୟରେ ଏହି ସେବା ଆରମ୍ଭ ହେବ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନେ ବସୁଛନ୍ତି। ଏଣୁ ୱାଟ୍‌କୋ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ’ ଏଠାରେ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ଅର୍ଥାତ୍ ସମସ୍ତେ ଟ୍ୟାପ୍ ଖୋଲିବେ ଓ ବିଶୁଦ୍ଧ ପାଣି ପିଇବେ। ଏଥିପାଇଁ ସଚିବାଳୟରୁ ଓଭରହେଡ୍ ପାଣି ଟାଙ୍କି ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାୟ ୨୦ଟି ଟାଙ୍କି ଖୋଲା ସରିଲାଣି। ଚଳିତ ମାସ ଶେଷ ସୁଦ୍ଧା ସବୁ ପାଣି ଟାଙ୍କି ଖୋଲି ବିଶୁଦ୍ଧ ପାଣି (ଆକ୍ବାଗାର୍ଡ ମାନର) ଯୋଗାଣ ହେବ।

ଏହାପରେ ୟୁନିଟ-୬, ୟୁନିଟ-୪, ୟୁନିଟ-୧ ଓ ୟୁନିଟ-୨ ଅଞ୍ଚଳରେ ସମସ୍ତ ନେତା, ମନ୍ତ୍ରୀ, ଅଧିକାରୀଙ୍କ ଘରୁ ପାଣି ଟାଙ୍କି କାଢ଼ି ଦିଆଯିବ। ପାଣି ଟାଙ୍କି ରହିଲେ ପାଣି ଦୂଷିତ ହେବାର ସମ୍ଭାବନା ରହିଥିବାରୁ କେବଳ ପାଇପରୁ ଟ୍ୟାପ୍‌କୁ ପାଣି ଯୋଗାଣ ହେବ। ସମସ୍ତେ ସିଧା ପାଇପ୍‌ରୁ ବିଶୁଦ୍ଧ ପାଣି ପିଇବେ। ଏହାଦ୍ବାରା ପାଣି କମ୍ ଖର୍ଚ୍ଚ ହେବ ଏବଂ ସାଧାରଣ ଲୋକଙ୍କୁ ବୁଝାଇବା ସହଜ ହେବ ବୋଲି ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Syllad

ଅପରପକ୍ଷେ ଆସନ୍ତା ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଭୁବନେଶ୍ବରରେ ସବୁ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଟାର୍ଗେଟ୍ ରଖାଯାଇଛି। ଏବେ ଚନ୍ଦ୍ରଶେଖରପୁରର କିଛି ଅଞ୍ଚଳ, ୟୁନିଟ-୬ ଅଞ୍ଚଳ ସମେତ ରାଜଧାନୀର କିଛି ପ୍ରମୁଖ ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ୨୪ଘଣ୍ଟିଆ ଜଳ ଯୋଗାଣ ଆରମ୍ଭ ହୋଇଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ସହିଦନଗରର କିଛି ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। କଟକରେ ମଧ୍ୟ ଦୁଇ ବର୍ଷ ମଧ୍ୟରେ ସବୁ କାମ ଶେଷ କରିବା ସହ ରାଜ୍ୟର ସମସ୍ତ ପ୍ରମୁଖ ସହରାଞ୍ଚଳ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କେବଳ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ କରିଦେବୁ ବୋଲି ଆମେ ଘୋଷଣା କରୁନୁ। ଏହାକୁ ନିଶ୍ଚିତ କରିବା ପାଇଁ ପୂରା ଜଳଯୋଗାଣ ପ୍ରକ୍ରିୟା ସ୍ବୟଂଚାଳିତ ହେବ। ଯେ କୌଣସି ସ୍ଥାନରେ ବସି ବି ୱାଟ୍‌କୋ କର୍ତ୍ତୃପକ୍ଷ ସ୍ମାର୍ଟ ଫୋନ୍ ଯୋଗେ ଯେ କୌଣସି ପମ୍ପ ହାଉସର ପାଣି ପମ୍ପ ଚଲାଇପାରିବେ, ବନ୍ଦ କରିପାରିବେ, କେଉଁଠି ପାଣି ପାଇପ୍‌ରେ ସମସ୍ୟା ଦେଖାଦେଇଛି ତାହା ବି ଜାଣିପାରିବେ। ଲୋକଙ୍କୁ ଯେପରି ବିଶୁଦ୍ଧ ପାଣି ମିଳିବ ସେଥିପାଇଁ ପାଣିର ମାନ ଯାଞ୍ଚକୁ ଗୁରୁତ୍ବ ଦିଆଯାଉଛି। ଖୁବ୍ ଶୀଘ୍ର ମୋବାଇଲ୍ ଲ୍ୟାବ୍ ବ୍ୟବସ୍ଥା କରାଯିବ। ଏଥିରେ ଭୁବନେଶ୍ବର, ପୁରୀ, କଟକ ସହରରେ ପାଣିର ମାନ ପରୀକ୍ଷା କରିବା ପାଇଁ ତିନିଟି ଅନହୁଇଲ୍ ଲାବୋରେଟୋରି ଗାଡ଼ି କିଣାଯିବ। ୱାଟ୍‌କୋ ଗ୍ରାହକ ସେବା କେନ୍ଦ୍ରକୁ ଯଦି କେହି ପାଣିର ମାନ ନେଇ ଅଭିଯୋଗ କରିବେ ତେବେ ତୁରନ୍ତ ତାଙ୍କ ଘରେ ଗାଡ଼ି ପହଞ୍ଚିଯିବ। ସେହିଠାରେ ହିଁ ପାଣିର ମାନ ପରୀକ୍ଷା କରି ରିପୋର୍ଟ ଧରାଇ ଦିଆଯିବ। ପାଣି ଯୋଗାଣରେ କିଛି ତ୍ରୁଟି ଥିଲେ ତାହାକୁ ତୁରନ୍ତ ମରାମତି ବି କରାଯିବ।

ଏହାସହ ରାପିଡ୍ ରେସ୍ପନ୍ସ ଟିମ୍ ବି କାମ କରିବ। ଏହି ଟିମ୍ ଲୋକଙ୍କ ଘରୁ ପାଣି ନମୁନା ସଂଗ୍ରହ କରିବା ଠାରୁ ଆରମ୍ଭ କରି ପାଣି ପାଇପ୍ ମରାମତି ଏବଂ ସମସ୍ତ ମରାମତି ତୁରନ୍ତ କରିବ। ଏହି ଟିମ୍ ୨୪ଘଣ୍ଟା କାମ କରିବ। ୱାଟ୍‌କୋ ସ୍ବୟଂଚାଳିତ ପ୍ରକ୍ରିୟାରେ ପାନୀୟ ଜଳ ଯୋଗାଣ କରୁଥିବାରୁ ଯଦି କେଉଁଠି ପାଇପ୍ ଫାଟିଯାଏ ବା କିଛି ସମସ୍ୟା ଦେଖାଯାଏ ତେବେ ଲୋକଙ୍କ ଗୋଳିଆ ପାଣି ପହଞ୍ଚିବା ପୂର୍ବରୁ ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ନିକଟକୁ ମେସେଜ୍ ଚାଲିଯିବ। ଯାହାକୁ ତୁରନ୍ତ ମରାମତି କରାଯିବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଆମେ ଉନ୍ନତମାନର ସେବା ଯୋଗାଇବା ପାଇଁ ପ୍ରତି ୱାର୍ଡରେ ପ୍ରତି ମାସରେ ବୈଠକ କରିବୁ। ଜଳସାଥୀ, ୱାର୍ଡର ଲୋକ ଓ ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯେପରି ତାଳମେଳ ରହିବ ସେନେଇ ଆଲୋଚନା କରାଯିବ। ପାଣି ଲୋକ କିଣିକି ପିଉଥିବାରୁ ସେମାନଙ୍କୁ ଗ୍ରାହକ ଭଳି ୱାଟ୍‌କୋ କର୍ମଚାରୀ ବ୍ୟବହାର କରିବେ। ଗ୍ରାହକ ହିଁ ଈଶ୍ବର ଧର୍ମରେ ସବୁ ସେବା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର