ଭୁବନେଶ୍ବର : ‌ପଦାକୁ ଆସୁଛି ମଡେଲ୍‌ ଡିଗ୍ରି କଲେଜଗୁଡ଼ିକରେ ଅବ୍ୟବସ୍ଥା। କେଉଁଠି ଅନିୟମିତତା ହେଉଛି ତ ଆଉ କେଉଁଠି ଅଧ୍ୟାପକମାନଙ୍କ ପଞ୍ଜୀକରଣ ଖାତା ନାହିଁ। ଆଉ କେଉଁଠି ଅଧ୍ୟକ୍ଷ ବିନା ଦରଖାସ୍ତରେ‌ ଛୁଟିରେ ପଳାଇ ଯାଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଦୁଇରୁ ତିନି ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା କଲେଜଗୁଡ଼ିକ ଏବେ ବାଟ ହୁଡ଼ିବା ଆରମ୍ଭ କଲେଣି। ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୧୮ରେ ସମୀକ୍ଷା ବୈଠକ ଡକାଯାଇଛି। ୮ଟି ମଡେଲ୍‌ ଡିଗ୍ରି କଲେଜର ଅଧ୍ୟକ୍ଷ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଏଥିରେ ସାମିଲ ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କଲେଜର ଭିତ୍ତିଭୂମି, ନିର୍ମାଣ କାର୍ଯ୍ୟ, ଏକାଡେମିକ୍‌ ପରିଚାଳନା ଆଦି ବିଷୟରେ ଆଲୋଚନା କରାଯିବ।

Advertisment

ନବରଙ୍ଗପୁର ମଡେଲ୍‌ ଡିଗ୍ରି କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଛି। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ କଲେଜରେ ଛୁଟି ଆବେଦନ ଠିକ୍‌ ଭାବେ ପରିଚାଳିତ ହେଉନି। ଅଧ୍ୟାପକ ଓ କର୍ମଚାରୀମାନେ ମନ ଇଚ୍ଛା ଛୁଟିରେ ରହୁଛନ୍ତି। ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କଲେଜ ଅଧ୍ୟକ୍ଷ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଛୁଟି ଦରଖାସ୍ତ ଦେଉନାହାନ୍ତି। କଲେଜ କାର୍ଯ୍ୟାଳୟରେ ଅଧ୍ୟାପକ, କର୍ମଚାରୀ, ଅସ୍ଥାୟୀ କର୍ମଚାରୀଙ୍କ ଉପସ୍ଥାନ ପଞ୍ଜୀକରଣ କରାଯାଉ ନାହିଁ। କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ନିଜସ୍ବ ଫାଇଲ୍‌ ଠିକ୍‌ ଭାବେ ପରିଚାଳନା ହେଉନି। କଲେଜର ପ୍ରଶାସନିକ କାର୍ଯ୍ୟରେ ଲାଗି ରହିଥିବା ସମସ୍ୟା ନେଇ ଉଚ୍ଚଶିକ୍ଷା ବିଭାଗ ନିକଟକୁ କୌଣସି ଅଭିଯୋଗ ଆସୁନି। ଅଧ୍ୟକ୍ଷ ମାସରେ ୧୫ ଦିନ କଲେଜ ଆସୁନାହାନ୍ତି, ପ୍ରତିଦିନ ଅପରାହ୍ନ ୧ଟା ୩୦ ସୁଦ୍ଧା କଲେଜ ବନ୍ଦ ହୋଇଯାଉଛି, ଏ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ଲାଗୁ ହୋଇପାରି ନାହିଁ, ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ହୋଇଛି, ଅଧ୍ୟାପକଙ୍କୁ ଠିକ୍‌ ସମୟରେ ଦରମା ମିଳୁନି, ପାଠପଢ଼ା ସହ କଲେଜରେ ଆଉ କୌଣସି କାର୍ଯ୍ୟକଳାପ ହେଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଆସନ୍ତା ୭ ଦିନ ମଧ୍ୟରେ ଉକ୍ତ ବିଷୟଗୁଡ଼ିକ ଉପରେ ପକ୍ଷ ରଖିବାକୁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜରେ ପ୍ରତିଷ୍ଠା ହୋଇଥିବା ମାନବ ସମ୍ବଳ ବିକାଶ କେନ୍ଦ୍ର(ଏଚ୍‌ଆର୍‌ଡିସି)ର କାର୍ଯ୍ୟକାରିତା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯିବ। ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ଉତ୍ତର ଓଡ଼ିଶା, ରେଭେନ୍ସା‌, ଖଲ୍ଲିକୋଟ, ଗଙ୍ଗାଧର ମେହର, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ରାଜଧାନୀ କଲେଜରେ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ରଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୧୦ଟାରେ ସମୀକ୍ଷା କରାଯିବ। ଭୁବ‌ନେଶ୍ବର ପୁସ୍ତକ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କଲେଜ ଡେଭଲପ୍‌ମେଣ୍ଟ କାଉନସିଲ୍‌ ଓ ଇଣ୍ଟରନାଲ କ୍ବାଲିଟି ଆସ୍ୟୁରାନ୍ସ ସେଲ୍‌(ଆଇକ୍ୟୁଏସି)ର କାର୍ଯ୍ୟକାରିତାର ମଧ୍ୟ ସମୀକ୍ଷା ହେବ।