ଯାଜପୁର/ସଦର: ଯାଜପୁରକୁ ରାଜ୍ୟ ବିକାଶର ମଡେଲ୍ ବୋଲି ରାଜ୍ୟ ସରକାର କହୁଛନ୍ତି। ହେଲେ ଏହି ଜିଲ୍ଲାର ପ୍ରାୟ ସମସ୍ତ ବୃହତ ପ୍ରକଳ୍ପ, କଳ କାରଖାନା, ଖଣିରେ ଠିକାଦାର ଓ ପରିବହନ ସଂସ୍ଥା ଅଣଓଡ଼ିଆଙ୍କ ହାତରେ। ଆମ ଦେଶର ସର୍ବାଧିକ କ୍ରୋମାଇଟ୍ ଗଚ୍ଛିତ ଥିବା ସୁକିନ୍ଦାର କାଳିଆପାଣି କ୍ରୋମ ଉପତ୍ୟକା ହେଉ କି ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳ, ଲଘୁ ଖଣିଜ ସମ୍ପଦ କଳାପଥର ଧର୍ମଶାଳା ତହସିଲ ଅଣଓଡ଼ିଆ ଠିକାଦାର ଓ ଅଧିକାରୀଙ୍କ କବଜାକୁ ଚାଲିଯାଇଛି। ସେହିପରି ଜଳସମ୍ପଦ ଓ ପୂର୍ତ୍ତ ବିଭାଗର ଅର୍ଥ ସହିତ ଡିଏମଏଫ, ଓଏମବିଏଡିସି ଅନୁଦାନରେ ଆରମ୍ଭ ହେଉଥିବା କୋଟିକୋଟି ଟଙ୍କାର ବୃହତ୍ ପ୍ରକଳ୍ପ ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ। ସହର ଉଦ୍ୟାନ ଓ ସୌନ୍ଦର୍ଯ୍ୟୀକରଣ ମଧ୍ୟ ଅଣଓଡ଼ିଆ ଠିକାଦାରଙ୍କ ନିୟନ୍ତ୍ରଣରେ। ଯାଜପୁର ସହରର ୫ଟି ମେଗା ପ୍ରକଳ୍ପ, ବ୍ୟାସସରୋବର ପ୍ରକଳ୍ପ ସହିତ ୮ଟି ମେଗା ପାନୀୟ ଜଳ ପ୍ରକଳ୍ପ ସମେତ ଅଧିକାଂଶ ଠିକା ଅଣଓଡିଆ ଠିକାସଂସ୍ଥାକୁ ପ୍ରଦାନ କରାଯାଇଛି। ନିମ୍ନମାନର କାମ ସହିତ ସମୟ ସୀମା ମଧ୍ୟରେ ଶେଷ ହେଉନଥିବାରୁ ପ୍ରକଳ୍ପଗୁଡ଼ିକ ଲୋକମାନଙ୍କ ସେବାରେ ଲାଗିପାରୁନାହିଁ। ଓଡିଆମାନେ ନିଯୁକ୍ତି ସୁଯୋଗ ହରାଇବା ସହିତ ରାଜ୍ୟର ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ହରାଇବାକୁ ଲାଗିଛନ୍ତି। ଅଣଓଡ଼ିଆଙ୍କ ଦ୍ବାରା ବିକାଶକୁ ନିୟନ୍ତ୍ରଣ କରୁଥିବା ପ୍ରଭାବଶାଳୀ ପ୍ରଶାସକଙ୍କ ମଧୁଚନ୍ଦ୍ରିକା କୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।
ପ୍ରକାଶ ଥାଉକି ଯାଜପୁର ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ରାଞ୍ଚିର ବିପି କନ୍ଷ୍ଟ୍ରକସନ୍ ୬ କୋଟି ୮୫ ଲକ୍ଷ ଟଙ୍କାରେ କରୁଛି। ସେହିପରି ବରାହ ପାଖରେ ଶିବ ଗ୍ୟାଲେରି ନିର୍ମାଣ ସହ ଲାଇଟ୍ ସୋ ପାଇଁ ବାଙ୍ଗାଲୋରର କାନାରା ଲାଇଟିଂ ଇଣ୍ଡଷ୍ଟ୍ରିକୁ ୩୩୫.୫୭ ଲକ୍ଷ ଟଙ୍କାର କାମ, ଶିବ ମୂର୍ତ୍ତି ପାଇଁ ୯୮୦ ଲକ୍ଷ ଟଙ୍କାର କାମ ଗୁରଗାଓଁର ମୋଟୁ ରାମ ଆର୍ଟ ସେଣ୍ଟର, ମେଡିକାଲ୍ କଲେଜ ପାଇଁ ୬୫ କୋଟି ୧୦୭ ଲକ୍ଷ ଟଙ୍କା ନିର୍ମାଣ ଚେନ୍ନାଇର ଏଲଆଣ୍ଡଟି କରୁଛି। ଅନୁରୂପ ଭାବେ କୁସୁମା ସମ୍ମୁଖରେ ପ୍ରଶାସନିକ ଭବନ ପାଇଁ ଗୁଜରାଟର ଆଇରନ ଟ୍ରାଏଙ୍ଗେଲ୍ ଲିମିଟେଡକୁ ୮ କୋଟି ୭୭ ଲକ୍ଷ ଟଙ୍କାର ଠିକାକାମ ଦିଆଯାଇଛି। ମେଡିକାଲ୍ କଲେଜ କାମ ଆଗେଇ ଥିବାବେଳେ ମୁଖ୍ୟ ଚିକିତ୍ସାଳୟର ନିର୍ମାଣ ସହ ଶିବ ଗ୍ୟାଲେରି କାମ ଧିମେଇଛି।
ଶିବ ଗ୍ୟାଲେରି କାମ ୨୦୨୧ରେ ଶେଷ ହେବାକୁ ଥିବା ବେଳେ ୨୦୨୨ରେ ନିର୍ମାଣ ଆରମ୍ଭ ହୋଇଛି। ୨୦୨୩ରେ ଶେଷ ହେବ ବୋଲି ଜିଲ୍ଲାପାଳ କହୁଥିବା ବେଳେ ଏହା ସଂପୂର୍ଣ୍ଣ ହେବା ଅବସ୍ଥାରେ ନାହିଁ। ମେଡିକାଲର ୧୫୦ ଶଯ୍ୟାବିଶିଷ୍ଟ କୋଠା ୨୦୨୩ ରେ ସରିବାକୁ ଥିବାବେଳେ କାମ ଚାଲିଛି। କେବଳ ଯାଜପୁର ସହରର ୫ଟି ମେଗା ପ୍ରକଳ୍ପ ଅଣଓଡ଼ିଆ ଠିକାସଂସ୍ଥା ହାତକୁ ଯାଇଛି ତା ନୁହେଁ, ଜିଲ୍ଲାରେ ଅନେକ ମେଗା ପାନୀୟଜଳ ପ୍ରକଳ୍ପ ମଧ୍ୟ ଆନ୍ଧ୍ରପ୍ରଦେଶର ମେଘା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ପକ୍ଷରୁ ଦଶରଥପୁର ବ୍ଲକ୍ ସିଦ୍ଧେଶ୍ବରଠାରେ କରାଯାଇଥିବା ୧୮୧ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ପାଣି ଅଭାବରୁ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟ ଅଞ୍ଚଳର ମେଗା ପାନୀୟ ଜଳ ପ୍ରକଳ୍ପ ଏଯାବତ୍ କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିପରି ଧର୍ମଶାଳା ଓ ବଡ଼ଚଣା ବ୍ଲକର ମେଗା ପାନୀୟ ଜଳ ପ୍ରକଳ୍ପକୁ ମେଘା ଇଂଜିନିୟରିଂ ସଂସ୍ଥା ଦାୟିତ୍ବ ନେଇ କାମ ସାରିନାହାନ୍ତି। ଏହାବାଦ୍ ଅନ୍ୟ ବୃହତ୍ ପ୍ରକଳ୍ପକୁ ନାଗାର୍ଜୁନ କ୍ରନଷ୍ଟ୍ରକସନ୍ କମ୍ପାନି, କେଇସି ସଂସ୍ଥା ନିର୍ମାଣ କରୁଛନ୍ତି। ବୃହତ୍ ପାନୀୟଜଳ ପ୍ରକଳ୍ପ କାମରେ ଲାଗିପାରିନାହିଁ କି ନିର୍ମାଣ ସରିନାହିଁ।
ସେହିପରି ବ୍ୟାସନଗରର ଦ୍ବିତୀୟ ବୃହତ୍ ଜଳ ଯୋଗାଣ ପ୍ରକଳ୍ପର କାମ ନେଇଥିବା ଗୁଜରାଟର ଠିକାସଂସ୍ଥା ସର୍ଜନ ଇନଫ୍ରାକନକୁ ନିମ୍ନମାନର କାମ ପାଇଁ କାର୍ଯ୍ୟରୁ ଅନ୍ତର କରାଯାଇଛି। ବ୍ୟାସସରୋବର ଓ ବାୟୋ ପାର୍କ ମଧ୍ୟ ବାହାର ଠିକାଦାର ଦ୍ବାରା କରାଯାଇଛି। ବୃହତ୍ ପାନୀୟ ଜଳ ହେଉ କି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅବା କଳକାରଖାନା ଓ ଖଣିଖାଦାନରେ ରେଜଂ ଠିକାଦାର ଭାବେ ଅଣ ଓଡ଼ିଆ କବଜା କରି ନେଲେଣି। କାରଖାନାଗୁଡ଼ିକରେ ମଧ୍ୟ ବାହାର ଲୋକଙ୍କ ନିଯୁକ୍ତି ଅନିୟନ୍ତ୍ରିତ। ରାଜ୍ୟରେ ଅନେକ ଠିକାସଂସ୍ଥା ଥାଇ ମଧ୍ୟ ସରକାର ମାଳମାଳ ପ୍ରକଳ୍ପକୁ ଅଣଓଡ଼ିଆ ଠିକାଦାରଙ୍କ ହାତରେ ଟେକିଦେବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।