ବଲାଙ୍ଗୀର: ଏବେ ଗାଁ ଗାଁରେ ଗରମାଗରମ ରାଜନୀତି। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ବ୍ୟାକ୍‌ଗ୍ରାଉଣ୍ଡକୁ ନେଇ ଚର୍ଚ୍ଚା। କିଏ ଚାକିରି ଛାଡ଼ି ରାଜନୀତିରେ ତ ଆଉ କେଉଁଠି ପାଠୁଆ ପିଲା, ବିଭିନ୍ନ ପଦବି ପାଇଁ ନିର୍ବାଚନ ଲଢୁଛନ୍ତି। ହେଲେ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍‌ ଚୁଡ଼ାପାଲି ପଞ୍ଚାୟତରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଜଣେ ମ‌ଡେଲ୍‌। ରାଜ୍ୟ ବହାରେ ରହି ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ପିନ୍ଧିଛନ୍ତି ସେ। ଏବେ ରାଜନୀତିର ଆକର୍ଷଣରେ ବାନ୍ଧିହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Advertisment

ପ୍ରାର୍ଥୀ ହୋଇଥିବା ଏହି ମଡେଲ୍‌ ହେଉଛନ୍ତି, ଚୁଡାପାଲି ପଞ୍ଚାୟତ ଢୁଲସର ଗାଁର ପ୍ରିୟଙ୍କା ନନ୍ଦ। ପ୍ରିୟଙ୍କା ଜଣେ ଉଚ୍ଚଶିକ୍ଷିତା ଝିଅ। ସେ ବାହାର ରାଜ୍ୟରେ ମଡେଲିଂ କରୁଥିବାବେଳେ ତାଙ୍କ ଭଉଣୀ ଶ୍ବେତା ନନ୍ଦ ବି ଜଣେ ମଡେଲ୍‌। ଉଭୟ ପ୍ରାଥମିକ ଶିକ୍ଷା ପରେ ବହାରେ ରହି ପାଠ ପଢୁଥିଲେ। ଏବେ ଶ୍ୱେତା ବେଙ୍ଗାଲୁରୁରେ ଜଣେ ପ୍ରଫେସନାଲ ମଡେଲ ଭାବେ କାମ କରୁଥିବା ବେଳେ ପ୍ରିୟଙ୍କା ଭୋପାଳରେ ପ୍ରଫେସନାଲ ମଡେଲ ଭାବେ ବିଭିନ୍ନ ଏଜେନ୍ସି ପାଇଁ କାମ କରୁଛନ୍ତି। ଉଚ୍ଚଶିକ୍ଷା ପରେ ୨୦୧୫ ମସିହାରେ ମଡେଲିଂ କ୍ୟାରିଅର ଆରମ୍ଭ କରିଥିଲେ ପ୍ରିୟଙ୍କା। ଆଉ ସେହି ବର୍ଷ ହିଁ ଗୋଟିଏ ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ୍‌ ଫଟୋଜେନିକ ହୋଇଥିଲେ। ତା’ପରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ପ୍ରିୟଙ୍କା। ୨୦୨୦ ସମିହାରେ ଇଣ୍ଡିଆନ ଷ୍ଟାଇଲ ଆଇକନ ୨୦୨୦ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ। ଏବେ ବିଭିନ୍ନ ନାମକରା ବ୍ରାଣ୍ଡ ସହିତ ସଂପୃକ୍ତ ହୋଇ କାମ କରୁଛନ୍ତି। ଜଣାଶୁଣା ମଡେଲିଂ ଏଜେନ୍ସି ସିଏଫ୍‌ଆଇ ସହିତ ଜଡ଼ିତ ପ୍ରିୟଙ୍କା। ସରପଞ୍ଚ ନିର୍ବାଚନ ପୂର୍ବରୁ ଦୁଇ ଭଉଣୀ ପ୍ରିୟଙ୍କା ଓ ଶ୍ୱେତା ଗାଁ ପାଇଁ କିଛି କରିବାକୁ ଏବେ ନିଜ ଗାଁ ମାଟିରେ ନିର୍ବାଚନ ଲଢୁଥିବା କହିଛନ୍ତି। ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଶ୍ୱେତା ତାଙ୍କ ପାଇଁ ଷ୍ଟାର୍‌ ପ୍ରଚାରକ ହୋଇଛନ୍ତି।