ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୫ଟି ଜିଲ୍ଲାରେ ରହିଛି ଝଡ଼ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଦକ୍ଷିଣ ଉପକୂଳର ଗୋଟିଏ ଦୁଇଟି ସ୍ଥାନ ସମେତ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ପ୍ରଭୃତି ୫ଟି ଜିଲ୍ଲାରେ ଝଡ଼ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି (ଶୁକ୍ରବାର) ଅପରାହ୍ଣରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଏହି ସମୟରେ ଉପରୋକ୍ତ ଏହି ସମସ୍ତ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ମାରିବା ସମ୍ଭାବନା ରହିଥିବା ଦୃଷ୍ଟିରୁ ଝଡ଼ ବର୍ଷା ସମୟରେ ଖୋଲା ଆକାଶ ତଳକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଁଭାଁ ବର୍ଷା ହୋଇଥିଲା। ଏଥିସହ ରାଜ୍ୟର ସାମୁଦ୍ରିକ ଧୀବରମାନଙ୍କ ପାଇଁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଜନିତ ସେପରି କୌଣସି ବିଶେଷ ସତର୍କ ସୂଚନା ନଥିବା, ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର