ଜୟପୁର: ଜୟପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ନିର୍ମାଣ ହେବ ଅତ୍ୟାଧୁନିକ ଓକିଲ ଭବନ। ଏନେଇ ୫ କୋଟି ୭୭ ଲକ୍ଷ ୫୨ ହଜାର ୭୦୦ ଟଙ୍କାର ଏକ ଅଟକଳ ମୂଲ୍ୟକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏ ସମ୍ପର୍କରେ ବୁଧବାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍ ତଥା ସେସନସ୍ ଜଜ୍ ସତ୍ୟ ନାରାୟଣ ମିଶ୍ର। ଓକିଲଙ୍କ ଉଦ୍ଧେଶ୍ୟରେ ନିର୍ମାଣ ହେବାକୁ ରହିଥିବା ଏହି ତିନି ମହଲା ବିଶିଷ୍ଟ ଭବନରେ ବ୍ୟାଙ୍କ, ଏଟିଏମ, କ୍ୟାଣ୍ଟିନ ସାଙ୍ଗକୁ ଅନେକ ସୁବିଧା ରହିବ । ଏପରିକି ଭବନ ମଧ୍ୟରେ ସରକାରୀ ଓକିଲଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କୋଠରୀ ରଖିବା ପାଇଁ ଯୋଜନା କରାଯିବ ବୋଲି ଜଣାଇଥିଲେ।
ଏହି ଆଲୋଚନା ବେଳେ କୋର୍ଟ ରେଜିଷ୍ଟ୍ରାର ବିଷ୍ଣୁ ପ୍ରସାଦ ଦେବତା, ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ, ସମ୍ପାଦକ ଶରତ ମାଝୀ, ରାଜ୍ୟ ବାର କାଉନସିଲର ସଦସ୍ୟ ପି ରମେଶ ପାତ୍ର, ପୂର୍ବତନ ସଭାପତି ସରୋଜ ଦାସ, ସୁଧୀର ଷଡଙ୍ଗୀ, ମଦନମୋହନ ନାୟକ, ତେଜେଶ୍ଵର ପଣ୍ଡା, ବାଲା ରାୟ, ଗିରିଧର ଖରା, ଗଙ୍ଗାଧର ନାୟକ, ପି ସନ୍ୟାସୀ ରାଓ , ରାଜେନ୍ଦ୍ର ଗୌଡ଼ଙ୍କ ସହ ଶତାଧିକ ଓକିଲ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନୂଆରେ ଜିଲ୍ଲା ଦୌରାଜଜ୍ କୋର୍ଟର ଲୋକାର୍ପଣ ପୂର୍ବରୁ ଏବଂ ଲୋକାର୍ପଣ ସମୟରେ ମଧ୍ୟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଓକିଲ ଭବନ ପାଇଁ ହାଇକୋର୍ଟର ବିଚାରପତି ମାନଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।