ଏମ୍‌କେସିଜିରେ ୭୬ କୋଟିରେ ହେବ ଅତ୍ୟାଧୁନିକ କର୍କଟ ବିଭାଗ କୋଠା, ଇନ୍‌ଡୋର୍‌ରେ ରହିବ ଶହେ ଶଯ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲ ଭିତ୍ତିଭୂମି ସୁଦୃଢ଼ ଯୋଜନାରେ ବହୁ କୋଠା ନିର୍ମାଣ କରାଯାଇଛି। ନିକଟରେ ବଡ଼ ମେଡିକାଲ ପୁରୁଣା ଇନ୍‌ଡୋର୍‌ କୋଠାରୁ ସମସ୍ତ ୱାର୍ଡ଼କୁ ସୁପର୍‌ସ୍ପେସାଲିଟି କୋଠାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସୁପର୍‌ସ୍ପେସାଲିଟି ବ୍ଲକ୍‌ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଏବେ କର୍କଟ ବିଭାଗର ନୂତନ ‌କୋଠା ନିର୍ମାଣ ପାଇଁ ସରକାର ଟଙ୍କା ମଂଜୁର କରିଛନ୍ତି। ପ୍ରାୟ ୭୬ କୋଟି ଟଙ୍କା ବ୍ୟୟ ଅଟକଳରେ କର୍କଟ ବିଭାଗର ନୂତନ ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ। ଏଥିପାଇଁ ମେଡିକାଲ କଲେଜ ଖେଳପଡ଼ିଆ ପାର୍ଶ୍ବରେ ଜମି ଚିହ୍ନଟ କରାଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ କୋଠା ନିର୍ମାଣ କାମ ଆରମ୍ଭ ହେବ।

ଏମ୍‌କେସିଜି ବଡ଼ ମେଡିକାଲ ପରିସରରେ ଥିବା କ୍ୟାନସର୍‌ ୱାର୍ଡ଼ର କୋଠା ବହୁ ପୁରୁଣା ହୋଇଗଲାଣି। ଛାତ ଅନେକ ସ୍ଥାନରେ ଫାଟି ଯାଇଥିବା ବେଳେ ରୋଗୀଙ୍କ ପାଇଁ ଆବଶ୍ୟକ ଶଯ୍ୟା ନାହିଁ। ସେଠାରେ ମାତ୍ର ୨୦ଟି ଶଯ୍ୟା ରହିଛି। ତଳ ମହଲାରେ ଆଉଟ୍‌ଡୋର୍‌ ଚାଲୁଥିବା ବେଳେ ଉପର ମହଲାରେ ଇନ୍‌ଡୋର୍‌ ରହିଛି। ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଶଯ୍ୟା ଅଭାବରୁ ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଥିବା ଘଟଣା ମଧ୍ୟ ନଜରକୁ ଆସିଛି। ଏହି ସମସ୍ୟାର ସମାଧାନ ସହିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଏକ ଅତ୍ୟାଧୁନିକ କୋଠା ତିଆରି କରାଯିବ।

ମେଡିକାଲ କଲେ ଖେଳ ପଡ଼ିଆ ପାର୍ଶ୍ବରେ ପ୍ରାୟ ୧୫ ହଜାର ବର୍ଗଫୁଟ ଜମି ଚିହ୍ନଟ କରାଯାଇଛି। ସେଠାରେ ୫ମହଲା ବିଶିଷ୍ଟ କୋଠା ତିଆରି ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ପୂର୍ତ୍ତ ବିଭାଗ ଏହାର ଟେଣ୍ଡର୍‌ ଆହ୍ବାନ କରି ଠିକା ସଂସ୍ଥା ଜରିଆରେ ଖୁବଶୀଘ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ମିଳିଛି। ସେଠାରେ ଆଉଟ୍‌ଡୋର୍‌, ଇନ୍‌ଡୋର୍‌ ସହିତ ବିଭିନ୍ନ ପରୀକ୍ଷା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯିବ।

ସମ୍ବନ୍ଧିତ ଖବର